ଜଣ୍ଡିସ ଚିନ୍ତା: ରାଜଧାନୀର ସବୁ କୂଅ ପାଣି ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଥିବା ଜଣ୍ଡିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ମେୟର ସ୍ଥିତି ସମୀକ୍ଷା କରିଛନ୍ତି। ଜଣ୍ଡିସ୍‌ ଯେମିତି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ରାଜଧାନୀରେ ଥିବା ସବୁ କୂଅର ପାଣିକୁ ଯାଞ୍ଚ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୫୩ ନମ୍ବର ୱାର୍ଡର ଝରଣା ସାହିରେ ଜଣ୍ଡିସ୍‌ ବ୍ୟାପିଥିବା ଗତକାଲି […]

jundis

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 03:25 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଥିବା ଜଣ୍ଡିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ମେୟର ସ୍ଥିତି ସମୀକ୍ଷା କରିଛନ୍ତି। ଜଣ୍ଡିସ୍‌ ଯେମିତି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ରାଜଧାନୀରେ ଥିବା ସବୁ କୂଅର ପାଣିକୁ ଯାଞ୍ଚ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ୫୩ ନମ୍ବର ୱାର୍ଡର ଝରଣା ସାହିରେ ଜଣ୍ଡିସ୍‌ ବ୍ୟାପିଥିବା ଗତକାଲି ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମୋବାଇଲ୍‌ ଟିମ୍‌ ଯାଇ ଘର ଘର ବୁଲି ଲୋକଙ୍କୁ ହାଲୋଜେନ ବଟିକା ଖାଇବାକୁ ଦେଇଥିଲେ। ଏହାସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସାହିରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ।

ସାହିର ଯେଉଁ ସ୍ଥାନରେ କୁଢ଼କୁଢ଼ ଅଳିଆ ଅବର୍ଜନା ପଡୁଛି ସେହି ସ୍ଥାନରେ ରହିଛି ପିଇବା ପାଣି ଟାଙ୍କି। କୂଅର ଦୂଷିତ ପାଣି ବି ପିଉଛନ୍ତି ଲୋକେ। ଶିଉଳି ଲାଗିଥିବା ପାଣି ଟାଙ୍କିରେ ଚୂନ ଲଗାଯାଇଛି। ଏପରି ସ୍ଥିତିରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ନିଜ ଟିମ୍‌ ସହ ପ୍ରଭାବିତ ଅଞ୍ଚଳକୁ ଯାଇ ପାଣି ନମୁନା ସଂଗ୍ରହ କରିଛନ୍ତି। ଗତକାଲିଠାରୁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏବେ ବି ପାଣିରେ ମଇଳା ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଆଜି ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, “କ୍ଲୋରିନ ଥିବା ପାଣି ପିଇବାକୁ ଦିଆଯାଉଛି। ବୋରିଂ ପାଣି ସହ ଟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ସାହିରେ ହାଲୋଜେନ ବଟିକା ଖାଇବାକୁ ଦିଆଯାଇଛି। ସମସ୍ତଙ୍କୁ ପାଣି ଫୁଟାଇ ପିଇବାକୁ ଉପଦେଶ ଦିଆଯାଇଛି। ରାଜଧାନୀରେ ଥିବା ସବୁ କୂଅ ପାଣି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଜଣ୍ଡିସ ସମ୍ପର୍କରେ ଜଣାଇବା ଲାଗି ବିଏମ୍‌ସି ପକ୍ଷରୁ ଏକ ସଚେତନତା ରଥ ବୁଲାଇବାକୁ ନିଷ୍ପତ୍ତି ହୋଇଛି।”

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, “କୂଅ ପାଣି ପିଇବା ଦ୍ୱାରା ଜଣ୍ଡିସ ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୂଅ ପାଣିର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।”

ରାଜ୍ୟ ସରକାରଙ୍କ ସୂଚନା ମୁତାବକ ଡମଣା ଅଞ୍ଚଳରେ ୬ ଜଣ ଓ ୫୩ ନମ୍ବର ୱାର୍ଡରେ ୧୮ ଜଣ ଜଣ୍ଡିସ ଆକ୍ରାନ୍ତ ହୋଇଛନ୍ତି। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ବହୁତ ଅଧିକ ବୋଲି କୁହାଯାଇଛି।

କଟକ ପରେ ଭୁବନେଶ୍ୱରରେ ଜଣ୍ଡିସ ବ୍ୟାପିବା ସରକାରଙ୍କ ଚିନ୍ତା ବଢାଇ ଦେଇଛି।

Related story