ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କଟକରେ ୫୮ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଜଗତସିଂହପୁର ଓ ବାଲେଶ୍ୱରରେ ୫୩ ଜଣ ଲେଖାଏଁ, ଖୋର୍ଦ୍ଧାରେ ୪୯ ଓ ଯାଜପୁରରେ ୪୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।
ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ପାଇଁ ମାଗଣା ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ରୋଗୀଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡେଙ୍ଗୁ ସଂପର୍କରେ ସୂଚନା ଦେବା ଲାଗି ରାଜ୍ୟସ୍ତରରେ ଏକ ହେଲ୍ପ ଲାଇନ୍ ନମ୍ୱର ଖୋଲାଯାଇଛି।
କଟକ ଏସସିବି ମେଡିକାଲରେ ୫୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଆଇସିୟୁରେ ରଖାଯାଇଛି। ଡେଙ୍ଗୁ ରୋଗୀଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ ବୋଲି ଏସସିବି ମେଡିକାଲର ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି।
ଓଡ଼ିଶାରେ ଡେଙ୍ଗୁରେ ସରକାରୀ ଭାବେ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଦିଲ୍ଲୀରେ ଡେଙ୍ଗୁରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବୁଧବାର ଆଉ ଜଣେ ଓଡ଼ିଆ ଯୁବକଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ସେ ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ସୁନୀଲ ବେହେରା। ଓଲାଭର କଲେଜରେ ଯୁକ୍ତ ଦୁଇ ପଢୁଥିଲେ ସୁନୀଲ। ଦିଲ୍ଲୀରେ ତାଙ୍କ ବାପା ରହନ୍ତି। ତେଣୁ ସେଠାକୁ ସେ ବୁଲିବାକୁ ଯାଇଥିଲେ। ବୁଲିବାକୁ ଯାଇଥିବା ବେଳେ ତାଙ୍କୁ ଜ୍ୱର ହୋଇଥିଲା। ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।
ପୂର୍ବରୁ ୭ ବର୍ଷର ବାଳକ ଅବିନାଶ ଓ ବାଲେଶ୍ୱର ସୋର ଅଞ୍ଚଳର ଶାନ୍ତନୁ କୁମାର ବେହେରା ମଧ୍ୟ ଦିଲ୍ଲୀରେ ଡେଙ୍ଗୁରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ।