ରାମାୟଣକୁ ଊର୍ଦ୍ଦୁରେ ଅନୁବାଦ କରି ଚର୍ଚ୍ଚାରେ ମୁସଲମାନ ମହିଳା

ବିଭିନ୍ନ ଧର୍ମଗ୍ରନ୍ଥରେ ଅନେକ ଦିବ୍ୟଜ୍ଞାନ ମିଳେ। ସେ ଗୀତା ହେଉ କିମ୍ବା କୋରାନ୍‌ ଅବା ବାଇବେଲ୍‌ ସବୁଥିରେ ଶିକ୍ଷଣୀୟ କଥା ଲେଖା ଯାଇଛି। ତେଣୁ ଏସବୁ କେବଳ ଗୋଟିଏ ଧର୍ମରେ ସୀମିତ ନ ରହି ସାର୍ବଜନୀନ ହେବା ଦରକାର। କାରଣ ଜ୍ଞାନ ବା ବିଦ୍ୟାର କୌଣସି ଧର୍ମ ନ ଥାଏ। ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଜ୍ଞାନ ଆହରଣ କରିବା ଦରକାର। ଏହି ବିଚାରଧାରାକୁ ଆଗେଇ ନେବାକୁ ଜଣେ ମୁସଲମାନ ମହିଳା ଯେଉଁ ଉଦ୍ୟମ କରିଛନ୍ତି ତାହା […]

urdu

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 07:42 PM IST

ବିଭିନ୍ନ ଧର୍ମଗ୍ରନ୍ଥରେ ଅନେକ ଦିବ୍ୟଜ୍ଞାନ ମିଳେ। ସେ ଗୀତା ହେଉ କିମ୍ବା କୋରାନ୍‌ ଅବା ବାଇବେଲ୍‌ ସବୁଥିରେ ଶିକ୍ଷଣୀୟ କଥା ଲେଖା ଯାଇଛି। ତେଣୁ ଏସବୁ କେବଳ ଗୋଟିଏ ଧର୍ମରେ ସୀମିତ ନ ରହି ସାର୍ବଜନୀନ ହେବା ଦରକାର। କାରଣ ଜ୍ଞାନ ବା ବିଦ୍ୟାର କୌଣସି ଧର୍ମ ନ ଥାଏ। ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଜ୍ଞାନ ଆହରଣ କରିବା ଦରକାର। ଏହି ବିଚାରଧାରାକୁ ଆଗେଇ ନେବାକୁ ଜଣେ ମୁସଲମାନ ମହିଳା ଯେଉଁ ଉଦ୍ୟମ କରିଛନ୍ତି ତାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

କାନପୁର ପ୍ରେମନଗର ଅଞ୍ଚଳର ଡକ୍ଟର ମାହି ତଲତ ସିଦ୍ଦିକି ନାମକ ଜଣେ ମହିଳା ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣକୁ ଊର୍ଦ୍ଦୁରେ ଅନୁବାଦ କରିଛନ୍ତି। ଏଥିସହିତ ଗଙ୍ଗା ଓ ଯମୁନା ନଦୀର ସଂସ୍କୃତି ବିଷୟରେ ଲେଖି ସେ ଭାରତର ଭାଇଚାରାକୁ ପ୍ରୋତ୍ସାହିତ କରିଛନ୍ତି। ଉର୍ଦ୍ଦୁ ଭାଷାରେ ରାମାୟଣ ଲେଖିବା ପଛରେ ମାହିଙ୍କର ଏକ ମହତ୍ୱକାଂକ୍ଷୀ ଉଦ୍ଦେଶ୍ୟ ରହିଛି। ସେ ଚାହାଁନ୍ତି ଯେ, ହିନ୍ଦୁ ସହିତ ମୁସଲମାନ ମଧ୍ୟ ରାମାୟଣର ଦିବ୍ୟଜ୍ଞାନ ବିଷୟରେ ଜାଣନ୍ତୁ। ସେଥିରେ ଲେଖାଥିବା ଭଲକଥା ଶିଖନ୍ତୁ। ସେଥିପାଇଁ ସେ ରାମାୟଣକୁ ଉର୍ଦ୍ଦୁରେ ଅନୁବାଦ କରିଛନ୍ତି।

ମାହିଙ୍କ କହିବାନୁସାରେ ତାଙ୍କୁ ରାମାୟଣର ରଚନା ଶୈଳୀ ଖୁବ୍‌ ପ୍ରଭାବିତ କରିଛି। ଅନ୍ୟ ଗ୍ରନ୍ଥଗୁଡ଼ିକ ଭଳି ରାମାୟଣରେ ମଧ୍ୟ ଭାଇଚାରା ଓ ଏକତାର କଥା ଲେଖା ହୋଇଛି। ତେଣୁ ରାମାୟଣକୁ ଉର୍ଦ୍ଦୁରେ ଅନୁବାଦ କରି ସେ ଆତ୍ମତୃତ୍ପି ପାଇଛନ୍ତି ବୋଲି ମାହି କହିଛନ୍ତି।

ରାମାୟଣକୁ ଉର୍ଦ୍ଦୁରେ ଅନୁବାଦ କରିବା ପାଇଁ ମାହି ତଲତଙ୍କୁ ଦେଢ଼ ବର୍ଷରୁ ଅଧିକ ସମୟ ଲାଗିଛି। ଅନୁବାଦ କଲା ବେଳେ ଯେପରି ରାମାୟଣର ଭାଷା ଓ ଭାବରେ ସମାନ୍ୟ ବି ବିଚ୍ୟୁତି ନ ଘଟେ ସେଥିପ୍ରତି ମଧ୍ୟ ସେ ଧ୍ୟାନ ଦେଇଛନ୍ତି। ହିନ୍ଦୀ ସାହିତ୍ୟରେ ଏମ୍‌ଏ ପାସ୍ କରିଥିବା ମାହି ଆଗକୁ ମଧ୍ୟ ଆହୁରି ବହି ଅନୁବାଦ କରିବେ ବୋଲି କହିଛନ୍ତି। ବହୁ ଧର୍ମୀ ରାଷ୍ଟ୍ର ଭାରତରେ କେତେକ ତଥାକଥିତ ଧାର୍ମିକ ମଙ୍ଗୁଆଳ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ସମ୍ପ୍ରାଦାୟିକତା ବଢ଼ାଉଥିବା ବେଳେ ମାହି ତଲତଙ୍କ ଭଳି ମହିଳାଙ୍କ ଉଦ୍ୟମ ଖୁବ୍‌ ପ୍ରଶଂସନୀୟ।

 

Related story