କୋରାପୁଟ: ସିସୋର ଲିଙ୍କ୍ରେ ଛନ୍ଦି ହୋଇପଡ଼ିଥିବା କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଗିରଫଦାରୀ ସହିତ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ରାସ୍ତାକୁ ଓହ୍ଲାଇ ଥିଲା ବିଜେଡି। ପ୍ରଦୀପଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ପ୍ରଦୀପଙ୍କ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପରିବହନ ମନ୍ତ୍ରୀ ରମେଶ ମାଝୀ। ସେହିପରି କୋରାପୁଟରେ ବିଜେଡି ଜିଲ୍ଲା ସଭାପତି ଜୟରାମ ପାଙ୍ଗିଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ବାହାରି ପ୍ରଦୀପଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ରାୟଗଡ଼ାର କପିଳାସ ଛକ ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ଏଠାରେ ବିଜେଡି କର୍ମୀମାନେ ରାସ୍ତା ରୋକ କରିବା ସହିତ ପ୍ରଦୀପଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ କହିଛନ୍ତି,“କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସିସୋର ଲିଙ୍କ୍ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ା ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଦୀପ ମାଝି ଓ ତାଙ୍କ ପରିବାର ଆକାଉଣ୍ଟକୁ ଯେଭଳି ସିସୋର ଟଙ୍କା ଯାଇଛି ବିଜୁ ଜନତା ଦଳ ତା’ର ସିବିଆଇ ତଦନ୍ତ ଦାବି କରୁଛି।”
ମାଲକାନଗିରିରେ ବିଧାୟକ ମାନସ ମାଡ଼କାମୀଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଦୀପଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ।
ବିଜେଡିର ଏହି ବିକ୍ଷୋଭ ନେଇ ପ୍ରଦୀପ ମାଝୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ କଂଗ୍ରେସ ବିଜେଡିର ବିକ୍ଷୋଭକୁ ହାସ୍ୟାସ୍ପଦ ବୋଲି କହିଛି। ତାଙ୍କ ପରିବାର ବିରୁଦ୍ଧରେ ଆସିଥିବା ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ପ୍ରଦୀପ ମାଝୀ କହି ସାରିଥିବାରୁ ବିଜେଡିର ବିକ୍ଷୋଭ ହାସ୍ୟାସ୍ପଦ ବୋଲି କହିଛନ୍ତି ପିସିସିର ପୂର୍ବତନ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ।