ଭୁବନେଶ୍ୱର (ଦେବଜାନୀ ସାମନ୍ତରାୟ): କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଅସଦାଚାରଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ଅଫିସ୍ ହେଉ ଅବା ବେସରକାରୀ, ଉଭୟ ସ୍ଥାନରୁ ବିଭିନ୍ନ ସମୟରେ ମହିଳାଙ୍କୁ ମାନସିକ ତଥା ଶାରିରୀକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଆସେ। ଏଭଳି ନିର୍ଯାତନା କେବଳ ଅଫିସରେ କାର୍ଯ୍ୟ କରୁଥିବା କର୍ମଜୀବି ମହିଳାଙ୍କ ମଧ୍ୟରେ ସୀମିତ ନୁହେଁ, ଶ୍ରମଜୀବି ମହିଳାମାନେ ମଧ୍ୟ ଏହାର ଶିକାର ହୁଅନ୍ତି।
୨୦୧୭ ଅକ୍ଟୋବର ମାସର ଘଟଣା। SCB ମେଡିକାଲ୍ କଲେଜର ଦାନ୍ତ ବିଭାଗର ପିଜି ଛାତ୍ରୀ ଆସୋସିଏଟ ପ୍ରଫେସରଙ୍କ ନାଁରେ ଆଣିଥିଲେ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ। ସେହିଭଳି ୨୦୧୭ ଜୁନ୍ ମାସରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କ ବିରୋଧରେ ଆସିଥିଲା ଏମିତି ଅଭିଯୋଗ। ସେହି ବର୍ଷ ମେ ମାସ ୨୦ ତାରିଖରେ ଜଣେ ମହିଳା ପାରିବାରିକ କଳହକୁ ନେଇ ପଟ୍ଟାମୁଣ୍ଡାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ତତ୍କାଳୀନ ଆଇଆଇସି ରମେଶ ଚନ୍ଦ୍ରମୁଖୀ ତାଙ୍କୁ ଘରକୁ ଡାକି ଶାରୀରିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲେ। ୨୦୦୮ ରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ନାଁରେ ଆସିଥିଲା ଯୌନ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଥିଲେ ସହକାରୀ ମାର୍ଶାଲ ଗାୟତ୍ରୀ ମହାନ୍ତି। ସେହିପରି ରାଜ୍ୟ ସରକାରଙ୍କ ଜଣେ ଅଫିସର ପ୍ରେମାନନ୍ଦ ପରିଡ଼ାଙ୍କ ନାଁରେ ତାଙ୍କ ଅଧୀନସ୍ଥ ଜଣେ ମହିଳା କର୍ମଚାରୀ ଆଣିଥିଲେ ନିର୍ଯାତନା ଅଭିଯୋଗ।
ନିର୍ଯାତନା କଣ?
ସୁପ୍ରିମକୋର୍ଟଙ୍କ ଅନୁସାରେ
୧- ଶାରିରୀକ ସ୍ପର୍ଶ
୨- pornography videos ଦେଖାଇବା
୩- ପ୍ରମୋଶନ ପାଇଁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିବା
୪-ଅଶ୍ଲୀଳ ଇଙ୍ଗିତ କରିବା
୫-ମାନସିକ ଯନ୍ତ୍ରଣା ଦେବା
ଶାରିରୀକ ହେଉ ଅବା ମାନସିକ ,ଏହା ସମୟ ସମୟରେ ଏତେ ସୀମା ଲଘଂନ କରିଯାଏ। ତେଣୁ ପୀଡ଼ିତା ବାଧ୍ୟହୋଇ ଚାକିରି ଛାଡ଼ିଥାଏ।
ମହିଳାମାନେ କେମିତି ନିଜକୁ ଏସବୁ ପରିସ୍ଥିତିରୁ ନିଜକୁ ବଞ୍ଚାଇ ପାରିବେ?
୧- ପ୍ରଥମେ ନିଜର କର୍ମକ୍ଷେତ୍ରର ପରିବେଶକୁ ବୁଝନ୍ତୁ
୨- ନିଜର ଉପରିସ୍ଥ ଅଧିକାରୀଙ୍କୁ ଭଲ ଭାବେ ଜାଣନ୍ତୁ
୩- ଅସଦାଚରଣର ଶିକାର ହେଲେ କେଉଁ କେଉଁ ନିୟମ ରହିଛି ତାକୁ ଜାଣନ୍ତୁ
୨୦୧୨ରେ ନିର୍ଭୟା ଗଣ ଦୁର୍ଷ୍କମ ପରେ ଦେଶରେ ବହୁତ ଶକ୍ତିଶାଳୀ ନିୟମ ତଥା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ୭୦ପ୍ରତିଶତ ଲୋକ ଯୌନ ନିର୍ଯାତନା ବିଷୟରେ ଜାଣନ୍ତି ନାହିଁ (୨୦୧୭ Indian Bar Association ସର୍ଭେ ଅନୁସାରେ)। ୩୬ପ୍ରତିଶତ ଭାରତୀୟ କମ୍ପାନୀ ଓ ୨୫ ପ୍ରତିଶତ ବହୁରାଷ୍ଟ୍ରୀୟ କମ୍ପାନୀରେ ICC(Internal complaint committe ) ନାହିଁ (FICCI-Federation Of Indian Chambers Of Commerce And Industry ୨୦୧୫ ତଥ୍ୟ ଅନୁସାରେ )। ଯଦିଓ ପ୍ରତି ସରକାରୀ ତଥା ବେସରକାରୀ ଅଫିସରେ ଏହାକୁ ବାଧ୍ୟତାମୂଳକ କରାଯାଇଛି ତଥାପି ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକରେ ସ୍ଥିତି ଏମିତି। ୪୦ ପ୍ରତିଶତ IT କମ୍ପାନୀରେ ଓ ୫୦ ପ୍ରତିଶତ ମିଡିଆ ଓ ବିଜ୍ଞାପନ କମ୍ପାନୀରେ ଲୋକେ ଜାଣନ୍ତି ନାହିଁ କି ICCର କିଛି ନିୟମ ଅଛି। ବହୁ ଜାଗାରେ ଅଭିଯୋଗ ପ୍ରକୋଷ୍ଠ ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନାହିଁ। ନିରବତା ସବୁ ସମସ୍ୟାର ସମାଧାନ ନୁହେଁ , ବରଂ ଏହାକୁ ଦୃଢ଼ତାର ସହ କିପରି ରୋକା ଯାଇପାରିବ ତା ଉପରେ ଧ୍ୟାନ ଦେବା ଉଚିତ।
କାହିଁକି ଏ ନିରବତା ?
ଯେହେତୁ ନାରୀ ସହନଶୀଳା ସେଥିପାଇଁ ବୋଧହୁଏ ନିରବ ରହିବାକୁ ସେ ପସନ୍ଦ କରେ। ଅନ୍ୟପକ୍ଷରେ ମନ ଭିତରେ ଗୋଟିଏ ଭୟ ତାକୁ ସବୁବେଳେ ଆନ୍ଦୋଳିତ କରୁଥାଏ- କାହାକୁ କହିବ ଓ କେମିତି କହିବ। ଏଥିପାଇଁ ସମାଜ ଆଗରେ ସେ ବଦନାମ ହେବ କି?, ପୂରା ସମାଜ ଆଗରେ ତାକୁ ଲଜ୍ଜିତ ହେବାକୁ ପଡ଼ିବ କି?- ଏସବୁ ପ୍ରଶ୍ନ ଭିତରେ ସେ ଘାଣ୍ଟି ହୋଇଥାଏ। ଏମିତି ସ୍ଥିତିରେ ସାଙ୍ଗସାଥୀ ତଥା ତଥା ମହିଳାଙ୍କ ସହକର୍ମୀମାନେ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାର ଆବଶ୍ୟକତା ରହିଛି।
ଏହି ନିୟମ ବିଷୟରେ ବହୁତ ମହିଳା ଅବଗତ ନୁହଁନ୍ତି। ସେଥିପାଇଁ ଅଭିଯୋଗ କରିବାକୁ ପଛଘୁଞ୍ଚା ଦିଅନ୍ତି। କେଉଁଠି ରିପୋର୍ଟ କରିବେ ଓ କାହାକୁ ଅଭିଯୋଗ ଜଣାଇବେ ସେ ବିଷୟରେ ସେମାନେ ଅବଗତ ନୁହଁନ୍ତି।
ଏ ସବୁକୁ କିପରି କୌଶଳତାର ସହ ସମାଧାନ କରିବେ?
୧-ନିର୍ଯାତନାକୁ ଉପେକ୍ଷା କରନ୍ତୁ ନାହିଁ
୨-ତଥ୍ୟକୁ ସାଇତି ରଖନ୍ତୁ
୩-ଅଭିଯୋଗ ଦେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ
୪- ଅନୁସନ୍ଧାନ ଯଦି ଠିକ ଭାବରେ ହେଉନାହିଁ ବୋଲି ହୃଦବୋଧ ହେଉଛି କୋର୍ଟର ଆଶ୍ରୟ ନିଅନ୍ତୁ
୫- ସବୁବେଳେ ବିକଳ୍ପ ଭାବି ରଖିଥାନ୍ତୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।