ଜୋତା ପଲିସ୍‌ କରି ଗରିବଙ୍କ ପାଇଁ ନିର୍ମାଣ କରିଛନ୍ତି ଡାକ୍ତରଖାନା

କୋଲକାତା: ଜଣେ ଗରିବ ପିଲା ପାଠ ପଢ଼ି ଡାକ୍ତର ହେବା କଥା ଆପଣ ଶୁଣିଥିବେ। କିନ୍ତୁ ଜଣେ ଗରିବ ଲୋକ ସାରା ଜୀବନ ଅଭାବରେ ଦିନ କାଟି, ଡାକ୍ତରଖାନାଟିଏ ତିଆରି କରିଥିବା କଥା କେବେ ଶୁଣିଛନ୍ତି କି ? ଆଜି ପଢ଼ନ୍ତୁ ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ ନିଜେ ଅଭାବ ଭିତରେ ରହି ଗରିବମାନଙ୍କ ପାଇଁ ଡାକ୍ତରଖାନାଟିଏ ନିର୍ମାଣ କରିଛନ୍ତି। ସେ ହେଉଛନ୍ତି କୋଲକାତାର ୭୫ ବର୍ଷିୟା ସୁଭାଷିନୀ ମିସ୍ତ୍ରୀ। ଆଶ୍ଚର୍ଯ୍ୟର କଥା ହେଲା ସୁଭାଷିନୀ […]

Subhasini

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 06:54 PM IST

କୋଲକାତା: ଜଣେ ଗରିବ ପିଲା ପାଠ ପଢ଼ି ଡାକ୍ତର ହେବା କଥା ଆପଣ ଶୁଣିଥିବେ। କିନ୍ତୁ ଜଣେ ଗରିବ ଲୋକ ସାରା ଜୀବନ ଅଭାବରେ ଦିନ କାଟି, ଡାକ୍ତରଖାନାଟିଏ ତିଆରି କରିଥିବା କଥା କେବେ ଶୁଣିଛନ୍ତି କି ? ଆଜି ପଢ଼ନ୍ତୁ ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ ନିଜେ ଅଭାବ ଭିତରେ ରହି ଗରିବମାନଙ୍କ ପାଇଁ ଡାକ୍ତରଖାନାଟିଏ ନିର୍ମାଣ କରିଛନ୍ତି। ସେ ହେଉଛନ୍ତି କୋଲକାତାର ୭୫ ବର୍ଷିୟା ସୁଭାଷିନୀ ମିସ୍ତ୍ରୀ। ଆଶ୍ଚର୍ଯ୍ୟର କଥା ହେଲା ସୁଭାଷିନୀ ଜୋତା ପଲିସ୍ କରି ଓ ପରିବା ବିକି ଏହି ଡାକ୍ତରଖାନାଟି ତିଆରି କରିଛନ୍ତି।

୧୯୪୩ ମସିହା ପଶ୍ଚିମବଙ୍ଗଳାରେ ମରୁଡ଼ି ପଡ଼ିଥିବା ବେଳେ ସୁଭାଷିନୀଙ୍କ ଜନ୍ମ ହୋଇଥିଲା। ତାଙ୍କର ୧୪ ଭାଇ,ଭାଉଣୀ ମଧ୍ୟରୁ ୭ ଜଣଙ୍କର ଖୁବ୍ କମ୍ ବିଷୟରେ ମୃତ୍ୟୁ ହୋଇଯାଇଥିଲା। ସୁଭାଷିନୀଙ୍କର କମ୍ ବୟସରେ ବାହାଘର ହୋଇଯାଇଥିଲା। ବାପଘର ଛାଡ଼ି ସେ ଶ୍ୱଶୁର ଘର ଗଲେ, କିନ୍ତୁ ଦୁଃଖ ତାଙ୍କ ପିଛା ଛାଡ଼ି ନଥିଲା।

୧୯୭୧ ମସିହାରେ ସୁଭାଷିନୀ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ। ଚାରିଟି ପିଲାଙ୍କ ଦାୟିତ୍ୱ ତାଙ୍କୁ ଏକା ସମ୍ଭାଳିବାକୁ ପଡ଼ିଥିଲା। ମୁଣ୍ଡ ଉପରେ ଚାରୋଟି ପିଲାଙ୍କ ଦାୟିତ୍ୱ ଥିବା  ସତ୍ତ୍ୱେ ସେ ଆଉ ଗୋଟିଏ କଥାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ।  ଚିକିତ୍ସା ଅଭାବରୁ ସ୍ୱାମୀଙ୍କ ମୃତ୍ୟୁ ଘଟଣା ତାଙ୍କୁ ଖୁବ୍ ବାଧିଥିଲା। ତାଙ୍କ ସ୍ୱାମୀଙ୍କ ଭଳି ଆଉ କେହି ଚିକିତ୍ସା ଅଭାବରୁ ପ୍ରାଣ ହରାନ୍ତୁ ବୋଲି ସେ ଚାହୁଁନଥିଲେ।  ଏଥିପାଇଁ ସେ ଗରିବ ଲୋକମାନଙ୍କ ପାଇଁ ଏକ ଡାକ୍ତରଖାନା ନିର୍ମାଣ କରିବାକୁ ମନେ ମନେ ଶପଥ ନେଇଥିଲେ।

ମନରେ ଦୃଢ଼ ସଂକଳ୍ପ ନେଇ ସେ ଏ ଦିଗରେ ଆରମ୍ଭ କରି ଦେଲେ ଅକ୍ଳାନ୍ତ ପରିଶ୍ରମ। ପର ଘରେ ଲୁଗା ସଫା କରିବା, ବଜାରରେ ପରିବା ବିକ୍ରି କରିବା ଓ ଜୋତା ପଲିସ୍‌ ଭଳି କାର୍ଯ୍ୟ କରିବାକୁ ଲାଗିଲେ। ଦିନରାତି ପରିଶ୍ରମ କରି ଅର୍ଥ ସଞ୍ଚୟ କଲେ। ପ୍ରାୟ ୨୦ ବର୍ଷ ଧରି ସେ ଅର୍ଥ ସଞ୍ଚୟ କଲେ। ୧୯୯୨ରେ ସେ ତାଙ୍କ ଗାଁ ହଂସପୁକୁର ଫେରି ଆସିଥିଲେ ଏବଂ ୧୦ ହଜାର ଟଙ୍କା ଦେଇ ଜମିଟିଏ କିଣି ଥିଲେ। ତା’ପରେ ଏକ ଅସ୍ଥାୟୀ ଘର ତିଆରି କରିଥିଲେ ଓ ଏଠାରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଡାକ୍ତରଙ୍କୁ ନିଆରା ଢଙ୍ଗରେ ସେ ଅନୁରୋଧ କରୁଥିଲେ। ସହରରେ ଲାଉଡ୍‌ସ୍ପିକର ଯୋଗେ ଡାକ୍ତରଙ୍କୁ ଅନୁରୋଧ କରାଯାଉଥିଲା। ଅସ୍ଥାୟୀ ଘରେ ପ୍ରଥମ ଦିନ ୨୫୨ ଜଣଙ୍କ ଚିକିତ୍ସା କରାଯାଇଥିଲା। ତା’ପରେ ଧୀରେ ଧୀରେ ସେ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ପ୍ରାୟ ୯୦୦୦ ବର୍ଗଫୁଟ୍‌ରେ ଛିଡ଼ା ହୋଇଛି ତାଙ୍କ ସ୍ୱପ୍ନର ଡାକ୍ତରଖାନା।

ଏବେ ଏହି ହସ୍ପିଟାଲ ‘ହ୍ୟୁମାନିଟି ହସ୍ପିଟାଲ୍‌’ ନାମରେ ପରିଚିତି। ଏଠାରେ କମ୍ ପଇସାରେ ଗରିବ ଲୋକମାନଙ୍କର ସେବା କରାଯାଉଛି। ଏବେ ସୁଭାଷିନୀ ଚାହୁଁଛନ୍ତି ଡାକ୍ତରଖାନାରେ ୨୪ ଘଣ୍ଟା ସେବା ଯୋଗାଇ ଦେବାକୁ। ଅବିରତ ଉଦ୍ୟମ ଓ ଦୃଢ଼ ନିଷ୍ଠା ବଳରେ ଅଭାବିପଣର ବେଡ଼ି ଛିଡ଼ାଇ ସେ ଗରିବ ଲୋକଙ୍କ ପାଇଁ  ଦେଖିଥିବା ସ୍ୱପ୍ନଟି ସାକାର ହୋଇପାରିଛି।

ତେବେ ସୁଭାଷିନୀଙ୍କ ସମ୍ପର୍କରେ ଶେଷ ଖବରଟି ହେଲା, ତାଙ୍କର ଏହି ନିଃସ୍ୱାର୍ଥପର ସେବା ପାଇଁ ଏ ଦେଶ ତାଙ୍କୁ ସମ୍ମାନୀତ କରିଛି। ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।

Related story