ସାଂସଦ ବଳଭଦ୍ର ମାଝିଙ୍କ ବିରୋଧରେ ଉଜ୍ୱଳା ଯୋଜନା ଭଣ୍ଡୁର ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ମୁଖ୍ୟଅତିଥି ଭାବେ ଆମନ୍ତ୍ରିତ ନ ହେବାରୁ କାର୍ଯ୍ୟକ୍ରମ ଭଣ୍ଡୁର କରିବା ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଧମକ ଦେଇଥିବା ଅଭିଯୋଗ ଆସିଛି। ଓଡ଼ିଶାରେ କାର୍ଯ୍ୟକ୍ରମର ଆୟୋଜନ କରି ମହିଳାଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର ଦେଉଥିବା ଭାରତୀୟ ତୈଳ ନିଗମ ଏ ନେଇ ସାଂସଦ ବିରୋଧରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହୋଇଛନ୍ତି। ସାଂସଦଙ୍କ ପାଇଁ ମାଲକାନଗିରି ଓ ନବରଙ୍ଗପୁରର ୪ଟି ବ୍ଲକରେ ଉଜ୍ୱଳା କାର୍ଯ୍ୟକ୍ରମ ବାତିଲ ହୋଇଥିବା ଅଭିଯୋଗ […]

ujwala

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 11:10 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ମୁଖ୍ୟଅତିଥି ଭାବେ ଆମନ୍ତ୍ରିତ ନ ହେବାରୁ କାର୍ଯ୍ୟକ୍ରମ ଭଣ୍ଡୁର କରିବା ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଧମକ ଦେଇଥିବା ଅଭିଯୋଗ ଆସିଛି। ଓଡ଼ିଶାରେ କାର୍ଯ୍ୟକ୍ରମର ଆୟୋଜନ କରି ମହିଳାଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର ଦେଉଥିବା ଭାରତୀୟ ତୈଳ ନିଗମ ଏ ନେଇ ସାଂସଦ ବିରୋଧରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହୋଇଛନ୍ତି। ସାଂସଦଙ୍କ ପାଇଁ ମାଲକାନଗିରି ଓ ନବରଙ୍ଗପୁରର ୪ଟି ବ୍ଲକରେ ଉଜ୍ୱଳା କାର୍ଯ୍ୟକ୍ରମ ବାତିଲ ହୋଇଥିବା ଅଭିଯୋଗ ଆସିଛି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରେ ସରକାରୀ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗ କରି ବିଜେଡି କର୍ମୀମାନେ ପେଣ୍ଡାଲକୁ ଦଖଲ କରି ନେଇଥିଲେ। ଶେଷରେ ତୈଳ କମ୍ପାନୀର ଅଧିକାରୀ ମହିଳାଙ୍କୁ ଗ୍ୟାସ୍‌ ସିଲିଣ୍ଡର ବାଣ୍ଟିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଫେରାଦ ହୋଇ ଭାରତୀୟ ତୈଳ ନିଗମର ଅଧିକାରୀ କହିଛନ୍ତି ସାଂସଦ ମାଝି ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନରେ ବାଧକ ସାଜିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଓ ପୋଲିସ ଡିଜିଙ୍କୁ ମଧ୍ୟ ଏହି ଅଭିଯୋଗର ନକଲ ଦିଆଯାଇଛି।

ତୈଳ ନିଗମର ଅଭିଯୋଗ ଅନୁସାରେ, ମୁଖ୍ୟଅତିଥି ନ ହେଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ କରାଇ ଦେବେ ନାହିଁ ବୋଲି ସାଂସଦ ଧମକ ଦେଇଥିଲେ। ତେଣୁ କାର୍ଯ୍ୟକ୍ରମର ଆୟୋଜନ ବେଳେ ତୈଳ ନିଗମ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠିରେ ଅନୁରୋଧ କରାଯାଇଛି।

ଏପରି ଅଭିଯୋଗକୁ ସାଂସଦ ମାଝି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ସେପରି କିଛି ଧମକ ଦେଇନାହିଁ। ମୋ ବିରୋଧରେ ଅଭିଯୋଗ ଆଣିବାରେ କୌଣସି ଯଥାର୍ଥତା ନାହିଁ। ଆମେ କେବେ ସେମିତି କରିନାହୁଁ। ଆମେ କହିଛୁ ସରକାରୀ କାର୍ଯ୍ୟକ୍ରମ ସରକାରୀ ହିସାବରେ ହେଉ। ବିଜେପି ଏହି ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଛି।”

ଉଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ୍‌ ସିଲିଣ୍ଡର ଦିଆଯିବା ସହ ଏଲ୍‌ପିଜି ସମ୍ପର୍କିତ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଭିଡିଓ ଚିତ୍ର ଦେଖାଇ ସଚେତନ କରାଯାଉଛି। ଆସନ୍ତା ୩ ବର୍ଷ ମଧ୍ୟରେ ଓଡ଼ିଶାର ୩୦ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୫,୦୦୦ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ତେବେ ବିଭିନ୍ନ ସ୍ଥାନରେ ମୁଖ୍ୟଅତିଥିଙ୍କୁ ନେଇ ବିବାଦ ଦେଖା ଦେଉଛି।

ତୈଳ କମ୍ପାନୀ ବିଜେପି ଦଳୀୟ ନେତାଙ୍କୁ ଡାକି ସରକାରୀ କାର୍ଯ୍ୟକ୍ରମ କରୁଥିବା ବିଜେଡି ଅଭିଯୋଗ କରିଛି। ବିଜେଡି ମୁଖ୍ୟପାତ୍ର ସମୀର ଦାସ କହିଛନ୍ତି, “ବିଜେପି ନେତାଙ୍କୁ ପେଣ୍ଡାଲରେ ବସାଇ ଗ୍ୟାସ୍‌ ସିଲିଣ୍ଡର ବାଣ୍ଟିବା ଠିକ୍‌ ନୁହେଁ। ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବିଜେପି ଏହି ଯୋଜନାକୁ ବ୍ୟବହାର କରୁଛି।”

ବିଜେପି ଏପରି ଅଭିଯୋଗର ଜବାବ ଦେଇଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ତାଙ୍କ ଲୋକ ଯାଇଥିଲେ ଉଜ୍ୱଳା ଯୋଜନା ତାଙ୍କ ନାଁରେ ହୋଇଥାନ୍ତା। ତାଙ୍କ ଲୋକ ଯାଉନାହାନ୍ତି, ତେଣୁ ଯୋଜନାଟି ତାଙ୍କ ନାଁରେ ହୋଇପାରୁ ନାହିଁ ବୋଲି ସେମାନଙ୍କ ଭୟ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଯୋଜନା କମ୍ପାନୀର ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ବିଜେଡିର ଧାରଣା ସୃଷ୍ଟି ହୋଇଛି ଏହି ଯୋଜନାରେ ଉପକୃତ ହେବାକୁ ଥିବା ୪୫ ଲକ୍ଷ ଲୋକ କାଳେ ତାଙ୍କୁ ଭୋଟ ଦେବେ ନାହିଁ। ସେଥିପାଇଁ ଯେମିତି ହେଲେ ଏହି ଯୋଜନା ସେମାନେ କରିଥିବା କହିବାକୁ ବାଡେଇ ପିଟି ହେଉଛନ୍ତି।”

Related story