ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରୁ ଆଇନର କାର୍ଯ୍ୟକାରିତାର ବାସ୍ତବ ଚିତ୍ର ପଦାକୁ ଆସିଛି। ଗତ ଦୁଇ ବର୍ଷ ମଧ୍ୟରେ କଟକ, ଭବାନୀପାଟଣା, କୁସୁମୀ, ଯୋଡା, ସୁନ୍ଦରଗଡ, ଧାନକଉଡା, କୁଚିଣ୍ଡା ଏବଂ ରେଢାଖୋଲ ବିଇଓ ଅଧୀନରେ ମାତ୍ର ୬୧୦ ଗରିବ ପିଲାଙ୍କୁ ପବ୍ଲକ୍ ସ୍କୁଲରେ ଆଡମିଶନ ଦିଆଯାଇଛି। ରାଜ୍ୟର କିଛି ସ୍ୱରସ୍ୱତୀ ଶିଶୁ ମନ୍ଦିର ଏବଂ ଅରବିନ୍ଦ ସମନ୍ୱିତ ଶିକ୍ଷାକେନ୍ଦ୍ରକୁ ଛାଡିଦେଲେ ଅଧିକାଂଶ ସ୍କୁଲ ଏହି ଆଇନର ଉଲଂଘନ କରିଛନ୍ତି।
ଏନେଇ ଶିକ୍ଷାବିତ୍ ପ୍ରିତୀଶ ଆଚାର୍ଯ୍ୟ କହିଛନ୍ତି,“ରାଜ୍ୟରେ ଯଦି ବାସ୍ତବ ଚିତ୍ର ଦେଖିବେ ଏହି ଆଇନ ବଡ ବଡିଆ ସ୍କୁଲରେ ଲାଗୁ ହେଉନାହିଁ। ଏହି ସ୍କୁଲମାନେ ଆଇନକୁ ଭ୍ରୁକ୍ଷେପ କରୁ ନାହାନ୍ତି। ହେଲେ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏଯେଉଁ ଆଇନ ଉଲଂଘନ ହୋଇଛି ଏଥିପାଇଁ ସରକାର ଦାୟୀ।”
ଶିକ୍ଷା ଅଧିକାର ଆଇନ ଉଲଂଘନ ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଏହି ନିୟମକୁ ଯେଉଁ ସ୍କୁଲ କର୍ତ୍ତୃପକ୍ଷମାନେ ମାନୁ ନାହାନ୍ତି ଆମେ ଅନୁଧ୍ୟାନ କରୁଛୁ। ମୋ ଅଧ୍ୟକ୍ଷତାରେ ଆରଟିଇ ପ୍ରାଧିକରଣ ରାଜ୍ୟରେ ଗଠିତ ହୋଇଛି। ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ଯେଉଁ ବିଦ୍ୟାଳୟମାନେ ଏହି ଆଇନକୁ ଉଲଂଘନ କରୁଛନ୍ତି ସେଥିପ୍ରତି ଦୃଷ୍ଟି ରଖିଛୁ। ଯେଉଁଠି ଯେଉଁଠି ଏପରି ହୋଇଛି ଆମେ ଡିଓମାନଙ୍କୁ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛୁ। ଯେଉଁଠି ପିଲାମାନେ ବଡ ବଡ ବିଦ୍ୟାଳୟରେ ପାଠ ପଢିବାରେ ବଞ୍ଚିତ ହେଉଛନ୍ତି ଆମେ ପଦକ୍ଷେପ ନେଉଛୁ।”
ଶିକ୍ଷା ଅଧିକାର ଆଇନ ଅନୁସାରେ ପବ୍ଲିକ ସ୍କୁଲଗୁଡିକ ସେମାନଙ୍କର ମୋଟ୍ ସିଟ୍ର ଅତିକମରେ ୨୫ ପ୍ରତିଶତ ସିଟ୍ରେ ସ୍ଥାନୀୟ ଅଞ୍ଚଳର ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରିବେ। ରାଜ୍ୟରେ ସରକାରୀ ସ୍କୁଲରେ ପ୍ରତି ପିଲା ପାଇଁ ଯେତେ ଖର୍ଚ୍ଚ ହେଉଥିବ ସରାକାର ପବ୍ଲିକ ସ୍କୁଲ୍କୁ ସେହି ପରିମାଣର ଅର୍ଥ ଦେବେ। ଯେଉଁ ସ୍କୁଲ ସରକାରଙ୍କଠାରୁ ମାଗଣା ଓ ରିହାତି ଦରରେ ଜାଗା, ବିଲ୍ଡିଂ କିମ୍ବା ଅନ୍ୟ କିଛି ସୁବିଧା ପାଇଥିବେ ସେ ସ୍କୁଲକୁ ରାଜ୍ୟ ସରକାର କୌଣସି ଅର୍ଥ ଦେବେ ନାହିଁ। ପବ୍ଲିକ ସ୍କୁଲଗୁଡିକ ଆଇନ୍ର ଖୋଲା ଉଲଂଘନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।