ଭୁବନେଶ୍ୱର(ଓଡିଶା ରିପୋର୍ଟର): ମା’ ସୁଭଦ୍ରାଙ୍କ ରଥ ହେଉଛି ଦର୍ପଦଳନ ବା ଦେବଦଳନ। ଦେବୀ ଦୁର୍ଗା ହେଉଛନ୍ତି ଗର୍ବ ଓ ଅହଂକାର ବିନାଶକାରୀ। ମା’ଙ୍କୁ ଉପାସନା କଲେ ଦୁଷ୍ଟ ଶକ୍ତିର ବିନାଶ ହୋଇଥାଏ। ଦେବୀ ସୁଭଦ୍ରା ହେଉଛନ୍ତି ଶକ୍ତିରୂପିଣୀ ଦେବୀ ଭୁବନେଶ୍ୱରୀ। ଯାହାଙ୍କୁ ଆଧାର କରି ଅଣସର ସମୟରେ ମଝିବାଡ଼ରେ ଦେବୀ ଭୁବନେଶ୍ୱରୀଙ୍କ ପଟ୍ଟି ପୂଜା ହୋଇଥାଏ। ଏଣୁ ରଥର ନାମ ଦର୍ପଦଳନ। ଦ୍ୱିତୀୟ ଅର୍ଥଟି ରାମାୟଣ ଯୁଗ ସହ ସମ୍ପର୍କିତ। ଦେବତାମାନଙ୍କୁ ପରାସ୍ତ କରିବା ଲାଗି ରାବଣଙ୍କ ପୁତ୍ର ମେଘନାଦ ଦେବୀ ଦୁର୍ଗାଙ୍କୁ ନିକୁମ୍ଭିଲା ଗଡ଼ରେ ଉପାସନା କରିଥିଲେ। ମା’ ତାଙ୍କୁ ଯୁଦ୍ଧରେ ବିଜୟୀ ହେବା ପାଇଁ ନିଜ ରଥ ପ୍ରଦାନ କରିଥିଲେ। ଦେବୀଙ୍କ ଦୟାରୁ ମେଘନାଦ ଇନ୍ଦ୍ରଙ୍କ ଉପରେ ବିଜୟ ଲାଭ କରି ଇନ୍ଦ୍ରଜିତ ହୋଇଥିଲେ। ଦେବୀ ଦୁର୍ଗାଙ୍କ ରଥରେ ମେଘନାଦ ଦେବାତାଙ୍କୁ ପରାସ୍ତ କରିଥିବା ବା ଦଳନ କରିଥିବାରୁ ଏହାର ନାମ ଦେବଦଳନ ହୋଇଥିବା କେତେକ ପୁରାଣକାର କୁହନ୍ତି।
ରଥ ବିବରଣୀ-
ଏହି ରଥର ଉଚ୍ଚତା ୩୧ ହାତ । କାଠ ସଂଖ୍ୟା- ୫୯୩, ଚକ ସଂଖ୍ୟା-୧୨। ରଥାବରଣ କୃଷ୍ଣ-ଲୋହିତ। ରଥ ରକ୍ଷକ ଜୟଦୁର୍ଗା, ଧ୍ୱଜାଧିପତି ହେଉଛନ୍ତି ତ୍ରୀପୁରସୁନ୍ଦରୀ। ରଥର ୪ କସରା ରାଙ୍ଗର ଅଶ୍ୱ ବା ଘୋଡ଼ା ହେଉଛନ୍ତି ରୋଚିକା, ମୋଚିକା, ଜିତା ଓ ଅପରାଜିତା। ସାରଥୀ ହେଉଛନ୍ତି ଅର୍ଜୁନ। ରଥ ଦଉଡ଼ି ସ୍ୱର୍ଣ୍ଣଚୁଡ଼ ନାଗ, ରଥ ପତାକାର ନାଁ ହେଉଛି ନାଦାମ୍ବିକା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।