ରାୟପୁର: କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ସମାଜକୁ। କେବେ ସମୃଦ୍ଧି, କେବେ ଶକ୍ତି। ପୁଣି କେବେ ଜ୍ଞାନ ତ’ କେବେ ବଳ। ପୁଣି ଆଉ କେତେବେଳେ ବିଜୟ ଲାଗି ସେ ପୂଜା ପାଇଥାଏ। ପୁରୁଷ କୈନ୍ଦ୍ରିକ ସମାଜ ସହ ତାଳ ଦେଇ ନାରୀ ବି ସମାଜରେ ସୃଷ୍ଟି କରିଛି ନିଜର ସ୍ୱତନ୍ତ୍ର ପରିଚୟ। ଆସନ୍ତୁ ଜାଣିବା ସେମିତି ଜଣେ ନାରୀ ବିଷୟରେ ଏକ ପ୍ରେରଣାଦାୟକ କାହାଣୀ।
ସୁନିତା ଠାକୁର। କୌଣସି ବିପଦ ଆପଦକୁ କିମ୍ବା ମାଓବାଦୀଙ୍କୁ ତାଙ୍କର ଡର ନାହିଁ । ଯେଉଁଠି ପୋଲିସ ପ୍ରଶାସନ ପହଞ୍ଚି ପାରୁନି ସେଇଠି ସାହାଯ୍ୟର ହାତ ବଢ଼ାଇଛନ୍ତି ଏହି ମହିଳା ଜଣକ । ଏଏନଏମ ଭାବେ ଦନ୍ତେୱାଡାରେ ନିଯୁକ୍ତି ପାଇଛନ୍ତି ସେ। ଛତିଶଗଡ଼ର ମାଓ ଉପଦ୍ରୁତ ଅଞ୍ଚଳ ଦନ୍ତେୱାଡାର ଲୋକଙ୍କୁ ଦୀର୍ଘ ୭ବର୍ଷ ଧରି ଯୋଗାଇ ଚାଲିଛନ୍ତି ସ୍ୱାସ୍ଥ୍ୟ ସେବା। ଖରା, ବର୍ଷା, ଶୀତକୁ ଖାତିର ନ କରି ପ୍ରତିଦିନ ପାର ହେଉଛନ୍ତି ଇନ୍ଦ୍ରାବତୀ ନଦୀ। ସବୁଦିନ ପ୍ରାୟ ୮ କିଲୋମିଟର ଚାଲିବା ପରେ ପହଞ୍ଚନ୍ତି ନିଜ କର୍ମକ୍ଷେତ୍ରରେ। ସୁନିତାଙ୍କର ମାତ୍ର ଗୋଟିଏ ଲକ୍ଷ୍ୟ, ଗ୍ରାମାଞ୍ଚଳ ଲୋକଙ୍କୁ ସାହାଯ୍ୟ କରିବା ଏବଂ ମେଡିକାଲ ସେବା ପ୍ରଦାନ କରିବା। ମେଡିକାଲରେ ନବଜନ୍ମିତ ଶିଶୁ ଏବଂ ପ୍ରସୂତି ମହିଳାମାନଙ୍କର ଖୁବ୍ ଯତ୍ନ ନିଅନ୍ତି ସେ। ଲୋକଙ୍କ ସେବା ପାଇଁ ଦୀର୍ଘ ୭ ବର୍ଷ ଧରି ବିପଦପୂର୍ଣ୍ଣ ଭାବେ ଇନ୍ଦ୍ରାବତୀ ନଦୀରେ ଯାତ୍ରା କରିଆସୁଛନ୍ତି। ଏହାରି ଭିତରେ ସେ କେତେଥର କୁମ୍ଭୀର ହାବୁଡ଼ରେ ପଡ଼ିଲେଣି ତ’ ପୁଣି କେତେ ଥର ଭୟଙ୍କର ଜଙ୍ଗଲୀ ଜନ୍ତୁଙ୍କୁ ସାମ୍ନା କଲେଣି।
କେବଳ ସେତିକି ନୁହଁ ତା’ସହିତ ରହିଛି ମାଉ ଭୟ। ତଥାପି ସେ ଡରି ଯାଇନାହାନ୍ତି କିମ୍ବା ନିଜ ଦାୟିତ୍ୱରୁ ଓହରି ଯାଇ ନାହାନ୍ତି। ବରଂ ଦମ୍ଭ ଓ ସାହସର ସହିତ ସବୁପ୍ରକାର କଷ୍ଟ ଯନ୍ତ୍ରଣା ଓ ବିପଦକୁ ସାମ୍ନା କରି ଳୋକଙ୍କ ସେବା କରି ଆସୁଛନ୍ତି ସେ । ସୁନିତା କୁହନ୍ତି ମୁଁ ସବୁବେଳେ ମୋ କର୍ତ୍ତବ୍ୟକୁ ନିଷ୍ଠାର ସହ ଗୁରୁତ୍ୱ ଦେଇ ଆସିଛି। ଆଉ ସେଇଟା ମୋର ଧର୍ମ। ବିନା ଭୟରେ ମୁଁ ସବୁବେଳେ ଇନ୍ଦ୍ରାବତୀ ନଦୀ ପାର ହେଉଛି। କେବଳ ନଦୀ ନୁହଁ ଘଞ୍ଚ ଜଙ୍ଗଲଦେଇ ମଧ୍ୟ ଆସିବାକୁ ପଡ଼ୁଛି। ଅନେକ ସମୟରେ ବହୁ ହିଂସ୍ର ଜନ୍ତୁଙ୍କୁ ସାମ୍ନା କରିବାକୁ ପଡ଼ୁଛି । କିନ୍ତୁ ତାଙ୍କ ମତରେ ଆମେ ଯେତେବେଳେ କୌଣସି କାର୍ଯ୍ୟ କରିବାକୁ ବାହାରି ଥାଉ ସବୁ ପ୍ରଚାର ଚାଲେଞ୍ଜକୁ ଭେଟିବାକୁ ପଡ଼ିବ। ତାଙ୍କ କହିବା ଅନୁଯାୟୀ ସେ ଯେଉଁ ମେଡିକାଲରେ କାର୍ଯ୍ୟ କରୁଛନ୍ତି ସେଠାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ନଦୀ ପାର ହେବା ପରେ ମେଡିକାଲକୁ ଯିବା ଲାଗି ଜଙ୍ଗଲ ଭିତରେ ଆହୁରି ୮ରୁ ୧୦ କିମି ଚାଲିବାକୁ ପଡ଼େ। ତ୍ୟାଗ ଏବଂ ନିସ୍ୱାର୍ଥପରତାର ନିଚ୍ଛକ ଉଦାହରଣ ପାଲଟିଥିବା ସୁନିତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।