ଆଜି ସୁପରମୁନ୍: ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ ଚନ୍ଦ୍ର, କିନ୍ତୁ ଏଭଳି ହୁଏ କେମିତି?

ଆଜି ରାତିରେ ଦେଖାଯିବ ସୁପରମୁନ୍। ଆଜି ଅନ୍ୟ ସାଧାରଣ ପୂର୍ଣ୍ଣିମା ରାତି ଗୁଡ଼ିକ ଠାରୁ ଚନ୍ଦ୍ର ଅପେକ୍ଷାକୃତ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ। 2017 ମସିହାର ଏକମାତ୍ର ସୁପରମୁନ୍ ଏବଂ ଏହି ମହାଜାଗତିକ ଦୃଶ୍ୟ ସାରା ବିଶ୍ୱରେ ଦୃଶ୍ୟମାନ ହେବ। ଆଜି ରାତିରେ ଚନ୍ଦ୍ର ଉଇଁବା ଠାରୁ ଅସ୍ତ ଯିବା ପର୍ଯ୍ୟନ୍ତ ଏହା ବଡ଼ ଦେଖାଗଲେ ମଧ୍ୟ ଭାରତରେ ପ୍ରାୟ ରାତି 9ଟା 16 ମିନିଟ୍ ବେଳକୁ ଏହା ସର୍ବାଧିକ ବଡ଼ ତଥା ଉଜ୍ଜ୍ୱଳ ଦେଖାଯିବ ବୋଲି […]

sangram das

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 06:47 PM IST

ଆଜି ରାତିରେ ଦେଖାଯିବ ସୁପରମୁନ୍। ଆଜି ଅନ୍ୟ ସାଧାରଣ ପୂର୍ଣ୍ଣିମା ରାତି ଗୁଡ଼ିକ ଠାରୁ ଚନ୍ଦ୍ର ଅପେକ୍ଷାକୃତ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ। 2017 ମସିହାର ଏକମାତ୍ର ସୁପରମୁନ୍ ଏବଂ ଏହି ମହାଜାଗତିକ ଦୃଶ୍ୟ ସାରା ବିଶ୍ୱରେ ଦୃଶ୍ୟମାନ ହେବ। ଆଜି ରାତିରେ ଚନ୍ଦ୍ର ଉଇଁବା ଠାରୁ ଅସ୍ତ ଯିବା ପର୍ଯ୍ୟନ୍ତ ଏହା ବଡ଼ ଦେଖାଗଲେ ମଧ୍ୟ ଭାରତରେ ପ୍ରାୟ ରାତି 9ଟା 16 ମିନିଟ୍ ବେଳକୁ ଏହା ସର୍ବାଧିକ ବଡ଼ ତଥା ଉଜ୍ଜ୍ୱଳ ଦେଖାଯିବ ବୋଲି ସୂଚନା ମିଳିଛି । ଆଜି ଚନ୍ଦ୍ର 7% ବଡ଼ ଓ 15% ଉଜ୍ଜ୍ୱଳ ଦେଖାଯିବ ।

ତେବେ ଏହି ସୁପରମୁନ ହୁଏ କେମିତି?

ଅର୍ଥାତ୍ ଚନ୍ଦ୍ର ଅନ୍ୟ ପୂର୍ଣ୍ଣିମା ରାତି ଠାରୁ ସୁପରମୁନରେ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ କାହିଁକି? ପ୍ରକୃତରେ, ଚନ୍ଦ୍ର ସୁପରମୁନ୍ ରାତିରେ ଆକାରରେ ବଢ଼ିଯାଏ ନାହିଁ କିମ୍ବା ଅଧିକ ଆଲୋକ ବିକିରଣ କରେ ନାହିଁ। ଏହା ପୃଥିବୀକୁ ସେଭଳି ଦେଖାଯାଏ। ଏହାର କାରଣ ହେଲା, ଚନ୍ଦ୍ର ପୃଥିବୀ ଚାରିପଟେ ସମ୍ପୂର୍ଣ୍ଣ ବୃତ୍ତାକାର ପଥରେ ପରିକ୍ରମଣ କରେ ନାହିଁ। ଏହା ସୂର୍ଯ୍ୟର ମହାକର୍ଷଣ ଶକ୍ତି ପ୍ରଭାବରେ ଅଣ୍ଡାକୃତି ପଥରେ ପରିକ୍ରମଣ କରେ। ଏଥିସହ ପୃଥିବୀ ମଧ୍ୟ ସୂର୍ଯ୍ୟ ଚାରିପଟେ ଅଣ୍ଡାକୃତି ପଥରେ ପରିକ୍ରମଣ କରୁଥିବାରୁ ଋତୁ ଅନୁସାରେ ଚନ୍ଦ୍ରର ଗତିପଥ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଉଭୟ ପୃଥିବୀ ଓ ଚନ୍ଦ୍ର ଅଣ୍ଡାକାର ପଥରେ ଗତି କଲା ବେଳେ ଯେତେବେଳେ ଚନ୍ଦ୍ର ପୃଥିବୀର ସର୍ବାଧିକ ନିକଟତର ହୁଏ, ସେତେବେଳେ ଏହା ଆମକୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ। ଚନ୍ଦ୍ର ପୃଥିବୀଠାରୁ ହାରାହାରି 238,900 ମାଇଲ ଦୂରତାରେ ରହୁଥିବା ବେଳେ ଆଜି ଏହା 222,761 ମାଇଲ ଦୂରତାରେ ରହିବ ।

ସୁପରମୁନରେ ଚନ୍ଦ୍ର 14% ବଡ଼ ଓ 30% ଉଜ୍ଜ୍ୱଳ ମଧ୍ୟ ଦେଖାଯାଇପାରେ। ତେବେ ଗତବର୍ଷ ନଭେମ୍ବରରେ ହୋଇଥିବା ସୁପରମୁନରେ ଚନ୍ଦ୍ର ଆଜିର ସୁପରମୁନ୍ ଠାରୁ ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଇଥିଲା । ଗତ 1948 ମସିହାରେ ଗତବର୍ଷ ଭଳି ସ୍ୱତନ୍ତ୍ର ସୁପରମୁନ୍ ହୋଇଥିଲା ଏବଂ ଆଗକୁ 2034ରେ ସେଭଳି ସୁପରମୁନ ହେବ । ତେବେ ସେଭଳି ସ୍ୱତନ୍ତ୍ର ନହେଲେ ମଧ୍ୟ, ଆସନ୍ତା ବର୍ଷ ଜାନୁଆରୀ 1 ଓ 31 ତାରିଖରେ ମଧ୍ୟ ସୁପରମୁନ୍ ଦେଖାଯିବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା କହିଛି ।

ତେବେ ଜାଣିଛନ୍ତି କି, ଆଜି ଚନ୍ଦ୍ରକୁ ଦେଖିବାର କିମ୍ବା ଚନ୍ଦ୍ରର ଫଟୋ ଉଠାଇବାର ପ୍ରକୃଷ୍ଟ ସମୟ କେତେବେଳେ? ଚନ୍ଦ୍ର ଉଇଁବା ବେଳେ କିମ୍ବା ଅସ୍ତ ଯିବା ବେଳେ । କାରଣ ଏହି ସମୟରେ ଦିଗବଳୟରେ ଥିବା ଗଛ ଓ ଘର ଆଦି ଯୋଗୁଁ ଚନ୍ଦ୍ର ଆପେକ୍ଷିକ ଭାବେ ଆକାରରେ ବଡ଼ ଓ ଉଜ୍ଜ୍ୱଳ ଥିବା ସ୍ପଷ୍ଟ ଜଣାପଡ଼େ ।

ସଂଗ୍ରାମ ଦାସ ମହାପାତ୍ର

Related story