ଢେଙ୍କାନାଳ: ତରଭା ଗାଁରେ ସଲମନ ରାଉତଙ୍କ ହତ୍ୟା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଦଳୀୟ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ଦୋକାନ ବଜାର ବନ୍ଦ କରିଥିଲେ। ବନ୍ଦ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ପୋଲିସ୍ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ପାଣି ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଅନେକ ଦଳୀୟ କର୍ମୀଙ୍କୁ ଅଟକ ରଖିଥିଲା।
ଢେଙ୍କାନାଳ ବାର୍ଆସୋସିଏସନ୍ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଥିଲା। ତେଣୁ ଆଜି କୋର୍ଟ କାର୍ଯ୍ୟ ବି ବନ୍ଦ ରହିଥିଲା। ସିଭିଲ୍ କୋର୍ଟ ବିଚାରପତି କୋର୍ଟ ବାହାରୁ ଫେରି ଯାଇଥିଲେ।
ଏହି ଘଟଣାକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ତରଭାରେ ଏବେ ବି ଉତ୍ତେଜନା ଲାଗି ରହିଛି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରାକୁ ବଳବତ୍ତର ରଖାଯାଇଛି। ଶାନ୍ତି ବଜାୟ ରଖିବାକୁ ସେଠାରେ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଛି।
ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ଗତକାଲିଠାରୁ ଢେଙ୍କାନାଳ ପୋଲିସ୍ ଗିରଫ କରି ସାରିଛି। ସେ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ୍ (ଓଏସ୍ଏପି)ର ଜଣେ ଯବାନ। କେନ୍ଦୁଝରରେ ସେ ନିଯୁକ୍ତି ପାଇଛନ୍ତି।
ସଲମନ ଓ ବ୍ୟୋମକେଶଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ରହିଥିଲା। ଶନିବାର ଏହା ଉଗ୍ର ରୂପ ଧାରଣ କରିଥିଲା। ପୋଷ୍ଟର ମରାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ବ୍ୟୋମକେଶ ପଏଣ୍ଟ ବ୍ଲାଙ୍କରେ ସଲମନଙ୍କ ଛାତିରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାର ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା।
ସୂଚନାଯୋଗ୍ୟ, ସଲମନ ଜଣେ ଟ୍ୟାକ୍ସି ଚାଳକ ଥିଲେ। ସେ ବିଜେପିର ଜଣେ କର୍ମୀ ମଧ୍ୟ ଥିଲେ। ତେଣୁ ଗତକାଲି ଭୁବନେଶ୍ୱରର ରାମ ମନ୍ଦିର ଛକରେ ଟ୍ୟାକ୍ସି ଚାଳକ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେପି ନେତା ଓ କର୍ମୀ ବି ସାମିଲ ହୋଇଥିଲେ।