ଏହି ୫ ବିବାହିତାଙ୍କୁ କୁହାଯାଏ କୁଆଁରୀ, ସ୍ମରଣ କଲେ ଧୋଇ ହୋଇଯାଏ ପାପ

କୁହାଯାଏ ଅହଲ୍ୟା, ଦ୍ରୌପଦୀ, କୁନ୍ତି, ତାରା ଓ ମନ୍ଦୋଦରୀଙ୍କ ନାଁ ସ୍ମରଣ କରିବା ମାତ୍ରେ ହିଁ ସବୁ ପାପ ଧୋଇଯାଏ। ଏହି ପାଞ୍ଚ ଜଣଙ୍କୁ ଅକ୍ଷତକୁମାରୀ କୁହାଯାଏ। ଏହି ପାଞ୍ଚ ଜଣ ବିବାହିତ ହୋଇଥିଲେ ମଧ୍ୟ ସେମାନଙ୍କ କ୍ଷେତ୍ରରେ କେବେହେଲେ ନାରୀ ଶବ୍ଦର ବ୍ୟବହାର କରାଯାଇନାହିଁ। ସବୁବେଳେ କନ୍ୟା ଶବ୍ଦର ବ୍ୟବହାର କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ବିବାହିତ ହୋଇଥିଲେ ହେଁ ଏମାନଙ୍କୁ କାହିଁକି କୁଆଁରୀ କୁହାଯାଉଛି। ଆସନ୍ତୁ ଜାଣିବା ଏହି ୫ ଜଣ କିଏ? […]

womenimage

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 01:23 PM IST

କୁହାଯାଏ ଅହଲ୍ୟା, ଦ୍ରୌପଦୀ, କୁନ୍ତି, ତାରା ଓ ମନ୍ଦୋଦରୀଙ୍କ ନାଁ ସ୍ମରଣ କରିବା ମାତ୍ରେ ହିଁ ସବୁ ପାପ ଧୋଇଯାଏ। ଏହି ପାଞ୍ଚ ଜଣଙ୍କୁ ଅକ୍ଷତକୁମାରୀ କୁହାଯାଏ। ଏହି ପାଞ୍ଚ ଜଣ ବିବାହିତ ହୋଇଥିଲେ ମଧ୍ୟ ସେମାନଙ୍କ କ୍ଷେତ୍ରରେ କେବେହେଲେ ନାରୀ ଶବ୍ଦର ବ୍ୟବହାର କରାଯାଇନାହିଁ। ସବୁବେଳେ କନ୍ୟା ଶବ୍ଦର ବ୍ୟବହାର କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ବିବାହିତ ହୋଇଥିଲେ ହେଁ ଏମାନଙ୍କୁ କାହିଁକି କୁଆଁରୀ କୁହାଯାଉଛି। ଆସନ୍ତୁ ଜାଣିବା ଏହି ୫ ଜଣ କିଏ? କ’ଣ ରହିଛି ଏମାନଙ୍କର ବିଶେଷତ୍ୱ? ଏମାନଙ୍କୁ ସ୍ମରଣ କଲେ କାହିଁକି ସବୁ ପାପ ନାଶ ହୋଇଯାଏ?

ଅହଲ୍ୟା: ପଦ୍ମପୁରାଣ ଅନୁଯାୟୀ ଋଷି ଗୌତମଙ୍କ ସ୍ତ୍ରୀ ଅହଲ୍ୟା ଦେଖିବାକୁ ବହୁତ ସୁନ୍ଦର ଥିଲେ। ଥରେ ଦେବରାଜ ଇନ୍ଦ୍ର ଭ୍ରମଣରେ ବାହାରି ଥିଲେ। ସେହି ସମୟରେ ତାଙ୍କ ନଜର ଦେବୀ ଅହଲ୍ୟାଙ୍କ ଉପରେ ପଡ଼ିଥିଲା ଓ ସେ ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଯାଇଥିଲେ। ଥରେ ସକାଳେ ଋଷି ଗୌତମ ସ୍ନାନ ଓ ପୂଜା ପାଇଁ ଘରୁ ବାହାରି ଯାଇଥିଲେ। ଏହି ସମୟରେ ଦେବରାଜ ଇନ୍ଦ୍ର ତାଙ୍କ (ଋଷି ଗୌତମ) ବେଶ ଧାରଣ କରି ତାଙ୍କ ଘରେ ପହଞ୍ଚି ଗଲେ। ଋଷି ଗୌତମ ରୂପୀ ଇନ୍ଦ୍ରଙ୍କୁ ଅହଲ୍ୟା ଚିହ୍ନି ପାରି ନଥିଲେ ଓ ନିଜ ସ୍ୱାମୀ ଭାବି ପଚାରିଥିଲେ,“ଆପଣ ଆଜି ବହୁତ ଶୀଘ୍ର ଚାଲି ଆସିଲେ।” ତେବେ ଇନ୍ଦ୍ର ଏହାର କୌଣସି ଉତ୍ତର ନଦେଇ ପ୍ରଣୟ ନିବେଦନ କଲେ। ଅହଲ୍ୟା ତାଙ୍କ ସ୍ୱାମୀଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେ ମନା କରିନଥିଲେ। ଆଉ ଇନ୍ଦ୍ର ଏଥିରୁ ଫାଇଦା ଉଠାଇ ଅହଲ୍ୟାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ଏହି ସମୟରେ ଋଷି ଗୌତମ ଘରକୁ ଫେରି ଆସିଲେ ଓ ଅହଲ୍ୟାଙ୍କୁ ଅନ୍ୟ ଜଣେ ପୁରୁଷ ସହିତ ଦେଖି ରାଗି ଗଲେ। ସେ ଅହଲ୍ୟାଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ। ସେ ଇନ୍ଦ୍ରଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ। ତେବେ ରାଗ ଶାନ୍ତ ହେବା ପରେ ଋଷି ଗୌତମ ସବୁ କଥା ଜାଣିପାରିଲେ ଓ ଶ୍ରୀରାମଙ୍କ ଚରଣ ସ୍ପର୍ଶରେ ଅହଲ୍ୟା ଅଭିଶାପରୁ ମୁକ୍ତି ପାଇପାରିବେ ବୋଲି ଆଶୀର୍ବାଦ ଦେଇଥିଲେ। ଅହଲ୍ୟା ଜଣେ ନିଷ୍ଠାବାନ ପତ୍ନୀ ଥିଲେ। ତେଣୁ ତାଙ୍କର କିଛି ଭୁଲ୍ ନଥାଇ ବି ସେ ସ୍ୱାମୀଙ୍କ ଅଭିଶାପକୁ ଗ୍ରହଣ କରି ନେଇଥିଲେ। ସେଥିପାଇଁ ତାଙ୍କୁ କୁଆଁରୀ ବୋଲି କୁହାଯାଏ।

ତାରା: ତାରା ସୁଗ୍ରୀବଙ୍କ ଭାଇ ବାଳିଙ୍କ ସ୍ତ୍ରୀ ଥିଲେ। କୁହାଯାଏ ତାରା ସମୁଦ୍ର ମନ୍ଥନରୁ ବାହାରିଥିଲେ ଓ ଭଗବାନ ବିଷ୍ଣୁ ତାଙ୍କର ବିବାହ ବାଳି ସହ କରାଇଥିଲେ। ଥରେ ବାଳି ଅସୁରଙ୍କ ସହ ଯୁଦ୍ଧ କରିବାକୁ ଯାଇ ଆଉ ଫେରି ନଥିଲେ। ତେଣୁ ସେ ମରିଯାଇଛନ୍ତି ବୋଲି ସମସ୍ତେ ଭାବି ନେଲେ। ପରେ ତାରାଙ୍କୁ ସୁଗ୍ରୀବ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ରାଜ୍ୟ ସମ୍ଭାଳିଥିଲେ। କିନ୍ତୁ ପରେ ବାଳି ଫେରିଥିଲେ। ସେ ସୁଗ୍ରୀବଙ୍କୁ ଯୁଦ୍ଧରେ ପରାସ୍ତ କରି ତାରାଙ୍କୁ ପାଖରେ ରଖିଥିଲେ। ଏହା ସହିତ ସେ ସୁଗ୍ରୀବଙ୍କୁ ରାଜ୍ୟରୁ ବାହାର କରି ଦେଲେ। ସୁଗ୍ରୀବ ପ୍ରଭୁ ଶ୍ରୀରାମଙ୍କ ଶରଣାପନ୍ନ ହୋଇ ବାଳିକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଲେ। ସେତେବେଳେ ତାରା ବୁଝିସାରିଥିଲେ ଯେ ସୁଗ୍ରୀବ ନିଶ୍ଚିତ କାହା ଠାରୁ ସାହସ ପାଇ ବାଳିକୁ ଯୁଦ୍ଧ ପାଇଁ ଆହ୍ୱାନ ଦେଉଛନ୍ତି। ସେ ଏକଥା ବାଳିକୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଳି ଓଲଟା ବୁଝିଲେ। ସେ ଭାବିଲେ ତାରା ସୁଗ୍ରୀବଙ୍କୁ ସାହାଯ୍ୟ କରୁଛନ୍ତି। ସେଥିପାଇଁ ସେ ତାରାଙ୍କୁ ତ୍ୟାଗ କରି ଦେଲେ। ସେ ସୁଗ୍ରୀବଙ୍କ ସହ ଯୁଦ୍ଧ କରିଥିଲେ ଓ ଶ୍ରୀରାମଙ୍କ ଦ୍ୱାରା ବଧ ହୋଇଥିଲେ। ମୃତ୍ୟୁ ସମୟରେ ବାଳି ସବୁ କଥାରେ ତାରାଙ୍କ ପରାମର୍ଶ ନେବା ପାଇଁ ସୁଗ୍ରୀବଙ୍କୁ କହିଥିଲେ। ତାରା ସବୁ ପରିସ୍ଥିତିରେ ନିଜ ସ୍ୱାମୀଙ୍କ ମଙ୍ଗଳ ଚାହୁଁଥିଲେ। ସେ କେବେ ବି ସୁଗ୍ରୀବଙ୍କ ସଙ୍ଗ ଚାହୁଁ ନଥିଲେ। ତଥାପି ଯେତେବେଳେ ବାଳି ତାଙ୍କୁ ତ୍ୟାଗ କରି ଦେଲେ ସେ ବିନା କୌଣସି ପ୍ରତିବାଦରେ ଏହାକୁ ଗ୍ରହଣ କରି ନେଇ ଥିଲେ। ଏହି କାରଣରୁ ତାଙ୍କୁ କୁଆଁରୀ କୁହାଯାଏ ଓ ସେ ପବିତ୍ର କନ୍ୟାଙ୍କ ମଧ୍ୟରେ ଗଣା ହୁଅନ୍ତି।

ମନ୍ଦୋଦରୀ: ମନ୍ଦୋଦରୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରାବଣ ତାଙ୍କୁ ବିବାହ କରିଥିଲେ। ମନ୍ଦୋଦରୀ ବହୁତ ବୁଦ୍ଧିମାନ ଥିଲେ। ସେ ସବୁବେଳେ ରାବଣଙ୍କୁ କେଉଁଟି ଠିକ୍‌ ଓ କେଉଁଟି ଭୁଲ୍‌ ସେ ବିଷୟରେ ବୁଝାଉଥିଲେ। ହେଲେ ରାବଣ କେବେ ତାଙ୍କ କଥା ମାନି ନଥିଲେ। ରାବଣଙ୍କ ମୃତ୍ୟୁ ପରେ ଶ୍ରୀରାମଙ୍କ କଥା ମାନି ବିଭୀଷଣ ତାଙ୍କୁ ଆଶ୍ରୟ ଦେଇଥିଲେ। ମନ୍ଦୋଦରୀଙ୍କ ଏହି ଗୁଣ ଯୋଗୁଁ ତାଙ୍କୁ ମହାନ ବୋଲି କୁହାଯାଇଛି ଓ ତାଙ୍କ ପବିତ୍ରତାକୁ କୁଆଁରୀ କନ୍ୟାଙ୍କ ସହ ତୁଳନା କରାଯାଇଛି।

କୁନ୍ତି: ହସ୍ତିନାପୁରର ରାଜା ପାଣ୍ଡୁଙ୍କ ସ୍ତ୍ରୀ ଓ ପଞ୍ଚୁ ପାଣ୍ଡବଙ୍କ ମାତା ଥିଲେ କୁନ୍ତି। କୁନ୍ତିଙ୍କୁ ଦୁର୍ବାସା ଋଷି ଏକ ମନ୍ତ୍ର ଦେଇଥିଲେ। କୁନ୍ତି ଯେ କୌଣସି ଦେବତାଙ୍କୁ ଧ୍ୟାନ କରି ଏହି ମନ୍ତ୍ର ଜପିଲେ ସେହି ଦେବତା ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରଦାନ କରିବେ ବୋଲି ଦୁର୍ବାସା ଋଷି କହିଥିଲେ। ସେତେବେଳେ କୁନ୍ତିଙ୍କୁ ଅଳ୍ପ ବୟସ ହୋଇଥିଲା। ତେବେ ଋଷିଙ୍କର ଏହି ମନ୍ତ୍ରକୁ ପରଖିବା ପାଇଁ ଦିନେ କୁନ୍ତି ସୂର୍ଯ୍ୟଦେବଙ୍କୁ ସ୍ମରଣ କଲେ। ସୂର୍ଯ୍ୟଦେବ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରଦାନ କଲେ। ଏହି ପୁତ୍ର ସନ୍ତାନଙ୍କ ନାଁ ପରେ ରଖାଯାଇଥିଲା କର୍ଣ୍ଣ। ତେବେ ସେତେବେଳେ କୁନ୍ତି ବିବାହ କରି ନଥିବା ଯୋଗୁଁ କର୍ଣ୍ଣଙ୍କୁ ତ୍ୟାଗ କରି ଥିଲେ। ପରେ ସ୍ୱୟଂବରରେ କୁନ୍ତିଙ୍କ ବିବାହ ପଣ୍ଡୁଙ୍କ ସହିତ ହୋଇଥିଲା। ପଣ୍ଡୁଙ୍କ ଉପରେ ଏକ ଅଭିଶାପ ଥିଲା। ସେ ତାଙ୍କ ପତ୍ନୀଙ୍କୁ ସ୍ପର୍ଶ କରିବା ମାତ୍ରେ ହିଁ ତାଙ୍କର ମୃତ୍ୟୁ ହୋଇଯିବ। ପାଣ୍ଡୁଙ୍କ ମୃତ୍ୟୁ ପରେ ତାଙ୍କର ବଂଶ ଯେପରି ଲୋପ ପାଇନଯିବ ଓ ରାଜ୍ୟ ଅନାଥ ହୋଇନଯିବ ସେଥିପାଇଁ କୁନ୍ତି ଧର୍ମ ଦେବତାଙ୍କଠାରୁ ଯୁଧିଷ୍ଠିର, ବାୟୁଦେବଙ୍କ ଠାରୁ ଭୀମ ଓ ଇନ୍ଦ୍ର ଦେବଙ୍କଠାରୁ ଅର୍ଜୁନଙ୍କୁ ପୁତ୍ର ଭାବେ ପାଇଥିଲେ। ଭିନ୍ନ ଭିନ୍ନ ଦେବତାଙ୍କ ଠାରୁ ପୁତ୍ର ସନ୍ତାନ ପାଇବା ସତ୍ତ୍ୱେ ତାଙ୍କୁ କୁଆଁରୀ ଭାବେ ଗ୍ରହଣ କରାଯାଏ।

ଦ୍ରୌପଦୀ: ଦ୍ରୌପଦୀ ମହାଭାରତର ମୁଖ୍ୟ ନାୟିକା। ସେ ପଞ୍ଚୁ ପାଣ୍ଡବଙ୍କୁ ବିବାହ କରିଥିଲେ।  ତାଙ୍କୁ ଅର୍ଜୁନ ସ୍ୱୟମ୍ବରରେ ଜିତି ବିବାହ କରି ଥିଲେ। କିନ୍ତୁ କୁନ୍ତିଙ୍କ କହିବା ଅନୁଯାୟୀ ସେ ପାଞ୍ଚ ଭାଇଙ୍କ ପତ୍ନୀ ହେଲେ।  ଯଦି ଦ୍ରୌପଦୀ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଜଣଙ୍କ ପାଖରେ ରହିବାକୁ ଜିଦ୍ କରି ଥାଆନ୍ତେ ହୁଏତ ସେମାନଙ୍କ ମଧ୍ୟରେ ଏଭଳି ପ୍ରେମ ଓ ସମ୍ମାନ ରହି ନଥାଆନ୍ତା। ଦ୍ରୌପଦୀ ନିଜ ସୁଖ ଅପେକ୍ଷା ରାଜ୍ୟର ମଙ୍ଗଳ ପାଇଁ ପାଞ୍ଚ ଭାଇଙ୍କ ପତ୍ନୀ ହୋଇ ରହିବା କଥାକୁ ଗ୍ରହଣ କରି ନେଇଥିଲେ। ତେଣୁ ତାଙ୍କ ନାମ ନେଲେ ପାପନାଶ ହୋଇଥାଏ ବୋଲି କୁହାଯାଏ।

ଉପରୋକ୍ତ ସମସ୍ତ ସ୍ତ୍ରୀମାନେ ସବୁବେଳେ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ତେଣୁ ଏହି ୫ ଜଣଙ୍କ ନାଁ ସ୍ମରଣ କରିବା ମାତ୍ରେ ମହାପାପର ନାଶ ହୋଇଥାଏ ବୋଲି ଧର୍ମ ଗ୍ରନ୍ଥରେ କୁହାଯାଇଛି।

Related story