ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଅଞ୍ଚଳର ଦେବୀ ପୀଠ, ଇଷ୍ଟଦେବୀ ମନ୍ଦିର, ଘରଦ୍ୱାର ଓ ସ୍ଥାନୀୟ ବଜାରଘାଟ। ନୂଆଖାଇରେ ଜମିବ ଖିଆପିଆ ଓ ନାଚଗୀତରେ ଦୁଲିକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅପେକ୍ଷା ପୂର୍ବ ନିର୍ଦ୍ଧାରିତ ଆସନ୍ତାକାଲିର ସେହି ଶୁଭ ମୂହୂର୍ତ୍ତକୁ। ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଇଷ୍ଟଦେବୀଙ୍କ ମନ୍ଦିରକୁ ସଜେଇ ଦିଆଯାଇଛି। ଏହାସହ ହାଟବଜାରରୁ କିଣା ସରିଛି ନୂଆଧାନ, କୁରେଇପତ୍ର, […]

nuakhai

Rakesh Mallick
  • Published: Monday, 05 September 2016
  • , Updated: 06 September 2016, 07:19 AM IST

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଅଞ୍ଚଳର ଦେବୀ ପୀଠ, ଇଷ୍ଟଦେବୀ ମନ୍ଦିର, ଘରଦ୍ୱାର ଓ ସ୍ଥାନୀୟ ବଜାରଘାଟ। ନୂଆଖାଇରେ ଜମିବ ଖିଆପିଆ ଓ ନାଚଗୀତରେ ଦୁଲିକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅପେକ୍ଷା ପୂର୍ବ ନିର୍ଦ୍ଧାରିତ ଆସନ୍ତାକାଲିର ସେହି ଶୁଭ ମୂହୂର୍ତ୍ତକୁ।

ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଇଷ୍ଟଦେବୀଙ୍କ ମନ୍ଦିରକୁ ସଜେଇ ଦିଆଯାଇଛି। ଏହାସହ ହାଟବଜାରରୁ କିଣା ସରିଛି ନୂଆଧାନ, କୁରେଇପତ୍ର, ସାରୁ ସମେତ ଦେବଦେବୀଙ୍କ ପାଇଁ ନାନାଦି ଭୋଗରାଗ। ପରିବାର ବର୍ଗଙ୍କ ପାଇଁ ନୂଆ ଲୁଗା ବି କିଣା ସରିଛି।  ତା’ସାଙ୍ଗକୁ ଘର ମୁହାଁ ହୋଇଛନ୍ତି ବିଦେଶରେ ଥିବା ପ୍ରିୟ ପରିଜନ। ଆସନ୍ତାକାଲି ଶୁଭଲଗ୍ନରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ଏକାଠି ହୋଇ ପାଳିବେ ନୂଆଖାଇ ଏବଂ ଜମିବ ଭେଟଘାଟ ଓ ଏହା ସହ ସାଂସ୍କୃତିକ ଆସର। ହେବ ଭାବର ଆଦାନ ପ୍ରଦାନ।

ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ବେହେରା କହିଛନ୍ତି,“ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ନବାନ୍ନ ଲାଗି ହେବ। ଅନ୍ୟନ୍ୟ ନୀତିକାନ୍ତି ପରେ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ।”

ସମ୍ବଲପୁର ବାସିନ୍ଦା ରୁଦ୍ରପ୍ରସାଦ ବେହେରା କହିଛନ୍ତି,“ଆମେ ଯିଏ ଯେଉଁଠି ଥିଲେ ମଧ୍ୟ ଆମେ ନୂଆଖାଇରେ ଘରକୁ ଫେରୁ। ବନ୍ଧୁ ପରିଜନଙ୍କ ସହ ସମୟ ବିତାଉ। ସାଥି ହୋଇ ନବାନ୍ନ ଖାଇବା ସହ ପରସ୍ପର ସହ ଖୁସି ବାଣ୍ଟିଥାଉ।”

ନୂଆଖାଇ ପୂର୍ବରୁ ବଲାଙ୍ଗିରରେ ରହିଛି ଏକ ଭିନ୍ନ ପରମ୍ପରା। ଏହାକୁ ‘ପାହୁର ଯାତ୍ରା’ କୁହାଯାଏ। ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀ, ସମଲେଶ୍ୱରୀ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିରକୁ ପହଞ୍ଚିଛି ପାହୁର। ନୂଆ ଧାନ ସହ ଚାଉଳ, ଡାଲି, ପନିପରିବା ଓ ନୂଆ ଲୁଗା ପହଞ୍ଚିଛି ମା’ଙ୍କ ପାଖରେ। ଆସନ୍ତାକାଲି ଏସବୁ ଲାଗି ହେବା ପରେ ଆରମ୍ଭ ହେବ ନୂଆଖାଇ ପର୍ବ।

ବଲାଙ୍ଗିରସ୍ଥିତ ସମଲେଇ ମନ୍ଦିରର ମୁଖ୍ୟ ପୂଜକ ଟଙ୍କଧର ଦିସାରୀ କହିଛନ୍ତି,“ପାହୁର ଯାତ୍ରାର ଗୋଟିଏ ବିଶେଷତ୍ୱ ହେଲା ମନ୍ଦିରରେ ଥିବା ଝାଡୁ ଠାରୁ ବାନା ପର୍ଯ୍ୟନ୍ତ ଯେତେ ସବୁ ବ୍ୟବହୃତ ହେଉଥିବା ଦ୍ରବ୍ୟ ନୂଆ କରି ମା’ଙ୍କ ନିକଟରେ ଲାଗି ହେବ। ଏଥିରେ ମା’ଙ୍କ ଅଳଙ୍କାର, ପିନ୍ଧା ବସ୍ତ୍ର, ମନ୍ଦିରର ବାନା, ଚାମର, ବାସନକୁଶନ ଓ ଅନ୍ୟନ୍ୟ ସାମଗ୍ରୀ ରହିଛି।”

Related story