ଭଦ୍ରକ: ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଖୁଆପଦା ନିକଟରେ ବୈତରଣୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ୧୭.୮୨ ମିଟରରେ ବୈତରଣୀର ପ୍ରବାହିତ ହେଉଛି। ଫଳରେ ଏଠାରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳି ଯାଇଛି। ତେବେ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳା, ରେବ ଆଦି ନଦୀରେ ବନ୍ୟା ପାଣି ଆସିବା ଦ୍ୱାରା ୩ଟି ବ୍ଲକର ୧୦ ହଜାରରୁ ଅଧିକ ହେକଟର ଚାଷ ଜମିରେ ବନ୍ୟାଜଳ ମାଡ଼ି ଯାଇଛି। ବନ୍ୟାରେ ଭଣ୍ଡାରୀପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକର ୩୫ରୁ ଅଧିକ ପଞ୍ଚାୟତର ୧୫୦ରୁ ଅଧିକ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ଚାନ୍ଦବାଲି ବ୍ଲକ ଓଳଗଠାରେ ବୈତରଣୀ ନଦୀବନ୍ଧରେ ଗତକାଲି ୨୦ଫୁଟର ଘାଇ ସୃଷ୍ଟି ହେବାରୁ ଆରଡି, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ପାଖାପାଖି ୨୦ଟି ଗାଁରେ ପାଣି ପଶିଛି।