ଯଦିଓ ଭିନ୍ନ ଭିନ୍ନ ପକ୍ଷୀ ଭିନ୍ନ ଭିନ୍ନ ଆକୃତିର ଅଣ୍ଡା ଦେଇଥାନ୍ତି, ତଥାପି ଅଧିକାଂଶ ପକ୍ଷୀର ଅଣ୍ଡା ଏକ ନିର୍ଦ୍ଦିଷ୍ଟ ଆକୃତିର ହୋଇଥାଏ। ଏହା ସମ୍ପୂର୍ଣ୍ଣ ଗୋଲାକାର ନୁହେଁ କିମ୍ବା ସମାନ ଆକାରରେ ଉଭୟ ପଟକୁ ଲମ୍ବାଳିଆ ନୁହେଁ। ଅଣ୍ଡା କହିବାକୁ ଗଲେ ଏକ ଗୋଲାକାର କୋନ୍ ଭଳି ଆକୃତିର। ଏହାର ଗୋଟିଏ ପଟ ଗୋଲାକାର ଏବଂ ଅନ୍ୟପଟଟି ଧୀରେ ଧୀରେ ସଂକୁଚିତ ହେଲା ଭଳି ହୋଇଥାଏ। ଆପଣ ଅନ୍ୟ ପକ୍ଷୀର ଅଣ୍ଡା ହୁଏତ ଦେଖି ନଥିବେ, କିନ୍ତୁ କୁକୁଡ଼ା ଅଣ୍ଡା ତ ନିଶ୍ଚୟ ଦେଖିଥିବେ। କେବେ ଭାବିଛନ୍ତି, ଅଣ୍ଡାର ଆକାର ଏଭଳି କାହିଁକି ହୋଇଥାଏ ?
ପକ୍ଷୀ ଓ ଅଣ୍ଡା ବିଶେଷଜ୍ଞମାନେ ବିଭିନ୍ନ ସମୟରେ ଏହାର କାରଣ ଦର୍ଶାଇବାକୁ ଯାଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଯଦିଓ ଅଣ୍ଡାର ଏଭଳି ଆକାର ପଛରେ ପ୍ରକୃତ କାରଣ ବୋଲି କିଛି ପ୍ରମାଣିତ ହୋଇନାହିଁ, ତଥାପି ପ୍ରତ୍ୟେକ ଦାବିର କିଛି ମାତ୍ରାରେ ଯଥାର୍ଥତା ରହିଛି। ଆସନ୍ତୁ ଜାଣିବା ଗବେଷକମାନେ କ’ଣ କାରଣ ଦର୍ଶାଇଛନ୍ତି।
ଅଣ୍ଡାର ଦୃଢ଼ତା ବୃଦ୍ଧି: କିଛି ଗବେଷକଙ୍କ ମତରେ ଅଣ୍ଡାର ଦୃଢ଼ତା ବୃଦ୍ଧି ପାଇଁ ଅର୍ଥାତ୍ ଏହା ଯେପରି ସହଜରେ ଭାଙ୍ଗି ନଯାଏ, ସେଥିପାଇଁ ଅଣ୍ଡାର ଏଭଳି ଆକୃତି ହୋଇଛି। କିନ୍ତୁ ଏହା ସତ ନୁହେଁ, କାରଣ ଯଦିଓ ଏହି ଆକୃତିରେ ଅଣ୍ଡାକୁ ଅପେକ୍ଷାକୃତ ଅଧିକ ଦୃଢ଼ତା ମିଳିଥାଏ, ତଥାପି ଯଦି ଅଣ୍ଡା ସମ୍ପୂର୍ଣ୍ଣ ଗୋଲାକାର ହୋଇଥାନ୍ତା, ତେବେ ତାହା ଅଧିକ ଦୃଢ଼ତର ହୋଇପାରନ୍ତା। ତେବେ ସମସ୍ତ ପକ୍ଷୀର ଅଣ୍ଡା ଗୋଲାକାର ହେଲା ନାହିଁ କାହିଁକି ? କାହିଁକି ଏହା ଅଣ୍ଡାକୃତିର ହେଲା ?
ଅଣ୍ଡା ଦେବାରେ ସୁବିଧା ହୁଏ: ପକ୍ଷୀ କ୍ଲୋଏକା ପଟେ ଅଣ୍ଡା ଦେବା ବେଳେ ଅଣ୍ଡାର ଏଭଳି ଆକୃତି ଯୋଗୁଁ ତାକୁ କମ୍ ଚାପ ଦେବାକୁ ପଡ଼େ ବୋଲି କିଛି ଗବେଷକ ଦାବି କରନ୍ତି। ଅଣ୍ଡା କ୍ଲୋଏକା ପଟେ ବାହାରିବା ପୂର୍ବରୁ ଏକ ନଳୀ ଦେଇ ଗତିକରେ। ଅଣ୍ଡାର ଗୋଲାକାର ପଟଟି ଆଗକୁ ଥାଏ ଏବଂ ଗୋଜିଆ ମୁଣ୍ଡଟି ପଛକୁ ଥାଏ। ତେଣୁ ସେହି ନଳୀର ମାଂଶପେଶୀକୁ ସଂକୁଚିତ ହୋଇ ପଛପଟୁ ଅଣ୍ଡାକୁ ଧକ୍କା ଦେବା ପାଇଁ ସହଜ ହୋଇଥାଏ। ଅଣ୍ଡା ଗୋଲାକାର ହୋଇଥିଲେ ପକ୍ଷୀକୁ ଅଧିକ ବଳ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା।
ଅଣ୍ଡା ଉଷୁମାଇବାରେ ସୁବିଧା: ତେବେ ଅଣ୍ଡାର ଏଭଳି ଆକାର ପଛରେ ସବୁଠାରୁ ଲୋକପ୍ରିୟ ଏବଂ ବହୁଆଦୃତ କାରଣ ହେଉଛି, ପକ୍ଷୀ ଏକାଥରେ ଦେଉଥିବା ଅଣ୍ଡାର ସଂଖ୍ୟା ଉପରେ ଏହାର ଆକାର ନିର୍ଭର କରେ। ଅର୍ଥାତ୍ ଓଟିପକ୍ଷୀ ଭଳି କୌଣସି ପକ୍ଷୀ ଗୋଟିଏ ମାତ୍ର ଅଣ୍ଡା ଦେଉଥିଲେ ଏହା ଗୋଲାକାର ହୋଇଥାଏ। କାରଣ ସେହି ପକ୍ଷୀକୁ ଗୋଟିଏ ଅଣ୍ଡା ଉଷୁମାଇବାକୁ ପଡ଼ିଥାଏ ଏବଂ ଗୋଲାକାର ଅଣ୍ଡା ଉପରେ ବସି ଏହାକୁ ଉଷୁମାଇବା ସହଜ ହୋଇଥାଏ। କିନ୍ତୁ ପକ୍ଷୀ ଏକାଧିକ ଅଣ୍ଡା ଦେଲେ ଯଦି ତାହା ଗୋଲାକାର ହେବ, ତେବେ ବସାରେ ଅଣ୍ଡା ଗୁଡ଼ିକ ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ରହିବ ଏବଂ ପ୍ରତ୍ୟେକ ଅଣ୍ଡାକୁ ସମାନ ଢଙ୍ଗରେ ଉଷୁମାଇବା ପକ୍ଷୀ ପାଇଁ କାଠିକର ପାଠ ହେବ। ତେଣୁ ଅଣ୍ଡାର ଏଭଳି ଆକୃତି ଯୋଗୁଁ ସେଗୁଡ଼ିକ ପ୍ରାୟତଃ ପରସ୍ପର ସହିତ ଲାଗିଲାଗି ହୋଇ ରହନ୍ତି। ଫଳରେ ଅଣ୍ଡାଗୁଡ଼ିକର ନିଜସ୍ୱ ଉତ୍ତାପ ପରସ୍ପର ମଧ୍ୟରେ ବାଣ୍ଟି ହୋଇଯାଏ ଓ ଅଣ୍ଡାଗୁଡ଼ିକ ସମାନ ଭାବେ ଉଷୁମାଇବା ସମ୍ଭବ ହୁଏ।
ଏହି ସବୁ କାରଣ ବ୍ୟତୀତ ଗବେଷକଙ୍କ ଆଉ କେତେକ ମତ ହେଲା, ଯେଉଁ ପକ୍ଷୀର ଉଡ଼ିବା ଦକ୍ଷତା ଯେତେ ଅଧିକ ତାହାର ଅଣ୍ଡା ସେତେ ଗୋଜିଆ ହୋଇଥାଏ। ବାକି କିଛି ଜଣ ଗବେଷକ କହନ୍ତି, ଖାଦ୍ୟରେ ଖଣିଜ ତତ୍ତ୍ୱ କମ୍ ଥିବା ଅଞ୍ଚଳର ପକ୍ଷୀ ଗୋଲାକାର ଅଣ୍ଡା ଦିଅନ୍ତି, କାରଣ ଏହାର ଖୋଳପା ତିଆରିରେ କମ୍ ଖଣିଜ ପଦାର୍ଥ ବ୍ୟବହାର ହୋଇଥାଏ।