ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ଦିର ଏକ ଧାର୍ମିକ ଅନୁଷ୍ଠାନ। ଏହାର ପରିବେଶ ଅତି ପବିତ୍ର। ହେଲେ ବେଳେ ବେଳେ ମନ୍ଦିରରେ କିଛି ଅଶ୍ଲିଳ ଚିତ୍ର ଦେଖି ଅନେକ ଲୋକ ଭ୍ରମରେ ପଡନ୍ତି। ଆପଣ ଭାବୁଥିବେ ଏମିତି ମନ୍ଦିରରେ କ’ଣ ଦେଖିବାକୁ ମିଳେ ଯେ, ଲୋକେ ଚିନ୍ତାରେ ପଡନ୍ତି? ବାସ୍ତବରେ ଆମେ ଆପଣଙ୍କୁ ମନ୍ଦିର ଦେହରେ ଅଙ୍କିତ ଶୃଙ୍ଗାର ବା ଯୌନକ୍ରୀଡା ରତ ମୂର୍ତ୍ତି ସମ୍ପର୍କରେ କହିବାକୁ ଯାଉଛୁ। କୋଣାର୍କ ହେଉ କି ଲିଙ୍ଗରାଜ ଅଥବା ଜଗନ୍ନାଥ ମନ୍ଦିର ସବୁଠାରେ ଏହି ରତିକ୍ରୀଡା ସମ୍ୱଳିତ ମୂର୍ତ୍ତି ଦେଖିବାକୁ ମିଳେ। ହେଲେ ଆମେ ଏହାର କାରଣ ଖୋଜି ପାଉନା। ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ କହିବାକୁ ଯାଉଛୁ।
ବାସ୍ତବରେ ମନ୍ଦିର କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ ଏ କଥା ଆମେ ଜାଣି ରଖିବା ଉଚିତ। ଏହା ଏକ ସାମାଜିକ ଅନୁଷ୍ଠାନ ମଧ୍ୟ। ପୂର୍ବକାଳରେ ମନ୍ଦିରଗୁଡିକ ଅନେକ ସାମଜିକ କାର୍ଯ୍ୟସହ ସମ୍ପୃକ୍ତ ରହିଥିଲା। ସେଇଥିପାଇଁ ତ ରାଜାମାନେ ବିରାଟବିରାଟ ମନ୍ଦିର ଆଉ ମଣ୍ଡପମାନ ନିର୍ମାଣ କରାଉଥିଲେ।
ହିନ୍ଦୁ ଧାର୍ମିକ ବ୍ୟବସ୍ଥା ଅନୁଯାୟୀ ଜୀବନକୁ ୪ ଭାଗରେ ବିଭକ୍ତ କରାଯାଇଛି । ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ। ମଣିଷ ଏହି ୪ଟି ସ୍ତର ଦେଇ ଗତି କରୁଥିବା ବେଳେ ମନ୍ଦିର ଓ ଈଶ୍ୱରଙ୍କ ସହ ସମ୍ପର୍କ ଏ ସବୁ ସ୍ତରରରେ ରହିଛି। ଏଣୁ ଧର୍ମକାମୀ ମଣିଷ ଧର୍ମ ଆଶାରେ ମନ୍ଦିର ଆସୁଥିବା ବେଳେ ଅର୍ଥକାମୀ ମଣିଷ ଆର୍ଥକ ସ୍ତରାରେ ସ୍ୱାବଲମ୍ୱୀ ହେବାକୁ ମନ୍ଦିର ଓ ଧର୍ମକୁ ଆଧାର କରି ଅର୍ଥ ଆମଦାନୀ କରିଥାଏ। ସେହିପରି ମୋକ୍ଷ ଆଶାୟୀ ମଣିଷ ଠାକୁରଙ୍କ ଧ୍ୟାନରେ ମନୋନିବେଶ କରିବାର ଏହା ପ୍ରମୁଖ ସ୍ଥଳ। ଏହିଠାରେ ପ୍ରଶ୍ନ ଉଠେ କାମ ଆଶାୟୀ ମଣିଷଙ୍କ ଲାଗି ମନ୍ଦିର ଭଳି ବୃହତ୍ ସାମାଜିକ ଅନୁଷ୍ଠାନରେ କି ବ୍ୟବସ୍ଥା ରହିଛି? ଏହାର ଉତ୍ତର ହେଉଛି ମନ୍ଦିର ଗାତ୍ରର ଯୌନମୂର୍ତ୍ତି। ଯାହା ମଣିଷକୁ ପରିବାର ଓ ଗୃହସ୍ତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଦେଇଥାଏ। ପ୍ରକାରାନ୍ତରେ କହିବାକୁ ଗଲେ ମନ୍ଦିର ଏକ ମୁକ୍ତ ବିଶ୍ୱବିଦ୍ୟାଳୟର କାମ କରେ ।
ଦ୍ୱିତୀୟ କାରଣଟି ଶିଳ୍ପଶାସ୍ତ୍ର ଜଡିତ। ମନ୍ଦିରରେ ଈଶ୍ୱର ପ୍ରମୁଖ ସ୍ଥାନରେ ରହୁଥିବା ବେଳେ ଏ ସମଗ୍ର ସୃଷ୍ଟି ତାଙ୍କ ସଂରଚନା ବୋଲି ବିବେଚନା କରାଯାଏ। ଏଣୁ ସୃଷ୍ଟି ତତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା ଦେବାକୁ ଯାଇ ହିନ୍ଦୁ ମନ୍ଦିରଗୁଡିକରେ ଏହି ଯୌନକ୍ରୀଡା ସମ୍ବଳିତ ମୂର୍ତ୍ତି ସ୍ଥାନିତ ହୋଇଥାନ୍ତି। କେବଳ ପୁରୁଷ-ନାରୀ ମଧ୍ୟରେ ରତିକ୍ରୀଡାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ତା ନୁହେଁ, ମୋଡି ହୋଇ ରହିଥିବା ବୃକ୍ଷରାଜି, ଗୁଡାଇ ହୋଇ ରହିଥିବା ସର୍ପ ସମୂହ, ଚଞ୍ଚୁ ଘସୁଥିବା ପକ୍ଷୀଙ୍କ ମୂର୍ତ୍ତି ମଧ୍ୟ ମନ୍ଦିର ଗାତ୍ରରେ ରହିଥାଏ। ଯାହା ସେହି ପ୍ରଜାତିର ପ୍ରଜନନ କ୍ରିୟା ବା ସୃଷ୍ଟି ତତ୍ତ୍ୱକୁ ଦର୍ଶାଇଥାଏ। ଏହି ମୂର୍ତ୍ତିଗୁଡିକ ଅଶ୍ଲୀଳ ନୁହେଁ ବରଂ ଧାର୍ମିକ ମାର୍ଯ୍ୟାଦା ଗ୍ରହଣ କରିଥାଏ।
ତୃତୀୟ କାରଣଟି ଅତି ରୋଚକ, ସମ୍ଭବତଃ ଗ୍ରହଣୀୟ। ପୂର୍ବକାଳରେ ମନ୍ଦିର ନିର୍ମାଣ ଲାଗି ବର୍ଷାଧିକ କାଳ ସମୟ ଲାଗୁଥିଲା। ଏଣୁକରି ସ୍ଥପତି ଓ ଶ୍ରମିକମାନଙ୍କୁ ଘରଠାରୁ ବହୁ ଦୂରରେ ରହିବାକୁ ପଡୁଥିଲା। ଦୀର୍ଘ ସମୟ ଧରି ସେମାନେ ପତ୍ନୀଙ୍କୁ ଛାଡି ବାହାରେ ରହୁଥିବାରୁ ନିଜ ମନର ବିକାରକୁ ମୂର୍ତ୍ତିର ରୂପ ଦେଉଥିବେ କେତେକ ଗବେଷକ ମତ ଦିଅନ୍ତି।