କେବେ ଭାବିଛନ୍ତି, ଲୋମ ଟାଙ୍କୁରି ଉଠେ କାହିଁକି ?

କେବଳ ଯେ ଥଣ୍ଡା ଲାଗିଲେ ଆମ ଲୋମ ଟାଙ୍କୁରି ଉଠେ ତା ନୁହେଁ, ଆମେ କୌଣସି କାରଣରୁ ଭୟଭୀତ ହେଲେ, ଉତ୍ସାହିତ ହେଲେ, ଆନନ୍ଦ ଦାୟକ ସ୍ପର୍ଶ ଅନୁଭବ କଲେ, ଆଶ୍ଚର୍ଯ୍ୟ ଚକିତ ହେଲେ, ପୁରୁଣା ସୁଖଦ ସ୍ମୃତିକୁ ମନେ ପକାଇଲେ କିମ୍ବା ସ୍ମୃତି ସହ ଜଡ଼ିତ ଗୀତ ଆଦି ଶୁଣିଲେ ଆମେ ଶିହରିତ ହେଉ, ରୋମାଞ୍ଚିତ ଅନୁଭବ କରୁ ଏବଂ ଆମ ଲୋମ ଟାଙ୍କୁରି ଉଠେ। ତେବେ ଆପଣ କେବେ ଭାବିଛନ୍ତି ଆମ ଲୋମ ଟାଙ୍କୁରେ […]

hair1

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 02:59 PM IST

କେବଳ ଯେ ଥଣ୍ଡା ଲାଗିଲେ ଆମ ଲୋମ ଟାଙ୍କୁରି ଉଠେ ତା ନୁହେଁ, ଆମେ କୌଣସି କାରଣରୁ ଭୟଭୀତ ହେଲେ, ଉତ୍ସାହିତ ହେଲେ, ଆନନ୍ଦ ଦାୟକ ସ୍ପର୍ଶ ଅନୁଭବ କଲେ, ଆଶ୍ଚର୍ଯ୍ୟ ଚକିତ ହେଲେ, ପୁରୁଣା ସୁଖଦ ସ୍ମୃତିକୁ ମନେ ପକାଇଲେ କିମ୍ବା ସ୍ମୃତି ସହ ଜଡ଼ିତ ଗୀତ ଆଦି ଶୁଣିଲେ ଆମେ ଶିହରିତ ହେଉ, ରୋମାଞ୍ଚିତ ଅନୁଭବ କରୁ ଏବଂ ଆମ ଲୋମ ଟାଙ୍କୁରି ଉଠେ। ତେବେ ଆପଣ କେବେ ଭାବିଛନ୍ତି ଆମ ଲୋମ ଟାଙ୍କୁରେ କାହିଁକି ? ଅର୍ଥାତ୍ ଆମକୁ ଥଣ୍ଡା ଲାଗିଲେ କିମ୍ବା ପୂର୍ବରୁ ବର୍ଣ୍ଣିତ କୌଣସି ପ୍ରକାର ସ୍ଥିତି ଅନୁଭବ କଲେ ଆମ ଲୋମ ଟାଙ୍କୁରେ କାହିଁକି ? ଏହା ପଛର ବିଜ୍ଞାନ କ'ଣ ? ଲୋମ ଟାଙ୍କୁରି ଉଠିଲେ ଆମର କ'ଣ ଉପକାର ହୁଏ?ଲୋମ ଟାଙ୍କୁରିବା ଅର୍ଥ ଆମ ଶରୀରର ଲୋମ ଗୁଡ଼ିକ ଠିଆ ହୋଇଯାଏ ଏବଂ ଲୋମ ମୂଳ ଫୁଲି ଉଠେ। ଏହା ଆମ ଶରୀରର ଏକ ପ୍ରକାର ସ୍ୱତଃ ପ୍ରତିକ୍ରିୟା ବା ରିଫ୍ଲେକ୍ସ୍। ମଣିଷ ଓ ଅନ୍ୟ ଜୀବଜନ୍ତୁମାନେ ଯେତେବେଳେ ଶାରିରୀକ କିମ୍ବା ମାନସିକ ଭାବେ ଜୀବନ ପ୍ରତି ବିପଦ ଅନୁଭବ କରନ୍ତି ବା ଶତ୍ରୁର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଆମ ଶରୀରରେ ଆଡ୍ରେନାଲିନ ନାମକ ଏକ ହରମୋନ କ୍ଷରଣ ହୁଏ। ଏହି ହରମୋନ କ୍ଷରଣ ଫଳରେ ଶରୀରର ମାଂସପେଶୀଗୁଡ଼ିକ ବିପଦକୁ ସାମ୍ନା କରିବା ପାଇଁ କିମ୍ବା ସେହି ସ୍ଥାନରୁ ଦୌଡ଼ି ପଳାଇବା ପାଇଁ ସକ୍ରିୟ ହୋଇଉଠେ। ସେହି ସମୟରେ ଅନ୍ୟ ମାଂସପେଶୀ ଭଳି ଆମ ଲୋମ ମୂଳରେ ଲାଗିଥିବା କ୍ଷୁଦ୍ରକ୍ଷୁଦ୍ର ମାଂସପେଶୀ ଗୁଡ଼ିକ ମଧ୍ୟ ସକ୍ରିୟ ହୋଇଉଠେ ଏବଂ ସଂକୁଚିତ ହୁଏ। ଫଳରେ ଲୋମ ମୂଳରେ ଥିବା ମାଂସ ଫୁଲି ଉଠେ ଏବଂ ଲୋମ ଟାଙ୍କୁରି ଯାଏ । କେବଳ ଯେ ବିପଦ ଅନୁଭବ କଲେ ଆଡ୍ରେନାଲିନ କ୍ଷରଣ ହୁଏ ଓ ଲୋମ ଟାଙ୍କୁରେ ତା ନୁହେଁ, ପୂର୍ବ ବର୍ଣ୍ଣିତ ସ୍ଥିତି ଗୁଡ଼ିକରେ ମଧ୍ୟ ଆଡ୍ରେନାଲିନ ସ୍ୱତଃ କ୍ଷରଣ ହୁଏ। କାରଣ ଆମ ମସ୍ତିଷ୍କ ଶକ୍ତିଶାଳୀ ଆବେଗ ଗୁଡ଼ିକ ମଧ୍ୟରେ ପ୍ରଭେଦ ବାରି ପାରେନାହିଁ ।

ଲୋମ ଟାଙ୍କୁରିବାର କାରଣ ଜାଣିବା ପାଇଁ ଆମକୁ ଅନ୍ୟ ଜୀବଙ୍କ ସମ୍ପର୍କରେ ଜାଣିବାକୁ ପଡ଼ିବ। ଲୋମ କେବଳ ମଣିଷର ଟାଙ୍କୁରେ ନାହିଁ। ବିଲେଇ, କୁକୁର, ମାଙ୍କଡ଼ ଓ ଅନ୍ୟ ବହୁ ପ୍ରକାର ଜୀବଜନ୍ତୁଙ୍କ ଲୋମ ଠିକ୍ ଆମ ଭଳି ଟାଙ୍କୁରି ଉଠେ। ଯଦିଓ ଲୋମ ଟାଙ୍କୁରିବା ଆମର ବିଶେଷ ଉପକାରରେ ଆସେ ନାହିଁ, କିନ୍ତୁ ଅନ୍ୟ ଜୀବଜନ୍ତୁଙ୍କ ବହୁ କାମରେ ଆସେ । ଯେମିତିକି, ବିଲେଇର ଲୋମ ଟାଙ୍କୁରି ଉଠିଲେ ଏହାର ବାଳ ଗୁଡ଼ିକ ଠିଆ ହୋଇଯାଏ ଏବଂ ଏହା ଆକାରରେ ଅପେକ୍ଷାକୃତ ବଡ଼ ଦେଖାଯାଏ। ଫଳରେ କୁକୁର ଭଳି ଶତ୍ରୁମାନେ ଏହାକୁ କୌଣସି ବଡ଼ ଜନ୍ତୁ ଭାବି ଆକ୍ରମଣ କରନ୍ତି ନାହିଁ। ସେହିପରି ଝିଙ୍କ ଶତ୍ରୁ ଆକ୍ରମଣର ସମ୍ମୁଖୀନ ହେଲେ କିମ୍ବା ବିପଦ ଅନୁଭବ କଲେ, ତାହାର ଲୋମ ଟାଙ୍କୁରି ଉଠେ ଅର୍ଥାତ୍ କଣ୍ଟା ଗୁଡ଼ିକ ଠିଆ ହୋଇଯାଏ ଓ ଶତ୍ରୁ ଜୀବ ଝିଙ୍କକୁ ଆକ୍ରମଣ କଲେ, ତା ଦେହରେ କଣ୍ଟାଗୁଡ଼ିକ ଠିଆ ହୋଇ ଶତ୍ରୁ ଦେହରେ ଫୋଡ଼ି ହୋଇଯାଏ।

ସେହିପରି ଥଣ୍ଡା ଲାଗିଲେ, ଜୀବଜନ୍ତୁଙ୍କ ଲୋମ ଫୁଲି ଉଠିବା କାରଣରୁ ଲୋମ ଓ ଚର୍ମ ମଧ୍ୟରେ ଅଧିକ ମୋଟେଇର ପବନ ସ୍ତର ସୃଷ୍ଟି ହୁଏ ଏବଂ ଏହା ତାପର କୁପରିବାହୀ ଭାବେ କାର୍ଯ୍ୟ କରିବାରୁ ଶରୀର ଉତ୍ତାପ ସହଜରେ ବାହାରି ପାରେ ନାହିଁ ଓ ଶରୀର ଗରମ ରହେ। ଫଳରେ ଜୀବଜନ୍ତୁଙ୍କୁ ଶୀତରୁ ରକ୍ଷା କରିବା ପାଇଁ ମଧ୍ୟ ଲୋମ ଟାଙ୍କୁରିବା ବହୁମାତ୍ରାରେ ସହାୟକ ହୁଏ।
ତେବେ ମନୁଷ୍ୟର ଶରୀରରେ ଯେ ଲୋମ ଟାଙ୍କୁରିବା ପ୍ରକ୍ରିୟା କୌଣସି କାମରେ ଆସେ ନାହିଁ ତା ନୁହେଁ । ଆପଣଙ୍କ ଲୋମ ପୂର୍ବ ବର୍ଣ୍ଣିତ ସ୍ଥିତି ମାନଙ୍କରେ ସ୍ୱାଭାବିକ ଭାବେ ଟାଙ୍କୁରୁଛି ଅର୍ଥ, ଆପଣଙ୍କ ଶରୀରର ସ୍ୱତଃ ପ୍ରତିକ୍ରିୟା ଧର୍ମ ସଠିକ୍ ଭାବେ କାର୍ଯ୍ୟ କରୁଛି। ବୈଜ୍ଞାନିକ ଭାଷାରେ କହିଲେ, ଆପଣଙ୍କ ଶରୀରରେ ପାଇଲୋମୋଟର୍ ରିଫ୍ଲେକ୍ସ ସଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି।

Related story