ନୂଆଦିଲ୍ଲୀ: ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ଚାଲିଆସେ।’ ସଂଘର୍ଷ ଓ ପରିଶ୍ରମ ଦ୍ୱାରା ଯେ କୌଣସି ମଣିଷ ସଫଳତା ହାସଲ କରିପାରେ। ସେମିତି କିଛି ଘଟିଛି କ୍ରିକେଟର ୟଶସ୍ୱୀ ଜୟସ୍ୱାଲଙ୍କ ଜୀବନରେ। ଦିନ ଥିଲା ସେ ଗୁପ୍ଚୁପ୍ ବିକ୍ରି କରୁଥିଲେ। ଆଜି ସେ U-19 କ୍ରିକେଟ୍ ଟିମ୍ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ତେବେ କେବଳ ଏମିତିରେ ୟଶସ୍ୱୀଙ୍କ ସଂଘର୍ଷ ସରିନି। ଆହୁରି ଅନେକ କିଛି ଘଟିଛି ତାଙ୍କ ଜୀବନରେ। କିନ୍ତୁ ବିପରୀତ ପରିସ୍ଥିତିରେ ବିଚଳିତ ନହୋଇ ଜିତିବାର ଅଭୀପ୍ସା ତାଙ୍କୁ ଆଜି ଏକ ନୂଆ ପରିଚୟ ଦେଇଛି।
ଉତ୍ତର ପ୍ରଦେଶର ଭଦୋହୀ ସହରରେ ୟଶସ୍ୱୀଙ୍କ ଜନ୍ମ। ସେଠାରେ ତାଙ୍କ ପିଲାଦିନ କଟିଛି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଗୋଟେ ଦୋକାନରେ ରହି କାମ କରୁଥିଲେ। କିନ୍ତୁ ମନ ତାଙ୍କର ଥିଲା କ୍ରିକେଟ ପାଖରେ। ତେଣୁ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ସେ ମୁମ୍ବାଇ ଚାଲିଗଲେ। ସେ ତାଙ୍କ ମଉସାଙ୍କ ଘର ବରେଲିରେ ରହିବାକୁ ଚାହିଁଥିଲେ। କିନ୍ତୁ ମଉସାଙ୍କ ଘର ଛୋଟ ହୋଇଥିବାରୁ ସେଠାରେ ସେ ରହିପାରି ନଥିଲେ। ତେଣୁ ସେ ମୁସ୍ଲିମ୍ ୟୁନାଇଟେଡ୍ କ୍ଳବରେ ରହିବା ପାଇଁ ସ୍ଥିର ହେଲା। ସେଠାରେ ମଧ୍ୟ ରହିଲେ।
ଦିନ ତମାମ କ୍ରିକେଟ ଖେଳିବା ପରେ ତାଙ୍କୁ ରାତିରେ ନିଦ ଲାଗୁଥିଲା। ତେଣୁ କାମ କରୁଥିବା ଦୋକାନରେ ସେ ଶୋଇବା ପାଇଁ ଚାହୁଁଥିଲେ। ମାତ୍ର ସେଠାରେ ଶୋଇବା ପାଇଁ ତାଙ୍କୁ ମନା କରାଗଲା। ଦିନେ ଦୋକାନ ମାଲିକ ତାଙ୍କ ବ୍ୟାଗ ଫିଙ୍ଗି ତାଙ୍କୁ ଦୋକାନରୁ ବାହାର କରିଦେଲେ। ଏହାପରେ ୟଶସ୍ୱୀ ଟେଣ୍ଟରେ ୩ ବର୍ଷ ରହିଲେ। ତାଙ୍କ ବାପା ଠିକ୍ ସମୟରେ ପଇସା ପଠାଇ ଦେଉଥିଲେ। ୟଶସ୍ୱୀ ଅଧିକ ଅର୍ଥ ରୋଜଗାର କରିବା ପାଇଁ ଆଜାଦ୍ ମଇଦାନ୍ରେ ରାମଲୀଳା ଚାଲିଥିବା ସମୟରେ ଗୁପ୍ଚୁପ୍ ବିକ୍ରି କରିବା ଆରମ୍ଭ କରିଦେଲେ। ବେଳେବେଳେ ଅର୍ଥ ଅଭାବରୁ ଖାଇବାକୁ ନପାଇ ସେ ଖାଲି ପେଟରେ ଶୋଇ ପଡୁଥିଲେ। ଶୌଚ କରିବା ପାଇଁ ଟଏଲେଟ୍ ବ୍ୟବସ୍ଥା ନଥିଲା, ତେଣୁ ସେ ଏଥିପାଇଁ ଫ୍ୟାସନ୍ ଷ୍ଟ୍ରିଟ୍ ଯାଉଥିଲେ। କାରଣ ରାତିରେ ସେଇଟା ବନ୍ଦ ହୋଇଯାଉଥିଲା।
ୟଶସ୍ୱୀ କହିଛନ୍ତି- “ସବୁ ଦିନ ରାତିରେ ମୁଁ ମହମବତୀ ଜଳାଇ ଖାଉଥିଲି। କାରଣ ମୁଁ ଯେଉଁଠି ରହୁଥିଲି ସେଠାରେ ବିଜୁଳି ନଥିଲା। ଆଉ ସେତେବେଳେ ମତେ ମୋ ପରିବାର ଲୋକଙ୍କ କଥା ବହୁତ ମନେ ପଡୁଥିଲା। ମୁଁ ବହୁତ କାନ୍ଦୁଥିଲି।”
ୟଶସ୍ୱୀଙ୍କ ଜୀବନରେ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ସେ କୋଚ୍ ଜ୍ୱାଲା ସିଂଙ୍କୁ ଦେଖା କଲେ। ତାଙ୍କୁ U-19 କ୍ରିକେଟ୍ ଟିମ୍ରେ ଖେଳିବାକୁ ସୁଯୋଗ ଦିଆଗଲା। ଏବେ ସେ U-19 କ୍ରିକେଟ୍ ଟିମ୍ରେ ସାମିଲ୍ ହୋଇଛନ୍ତି। ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ସହ ଗୋଟିଏ ଡ୍ରେସିଂ ରୁମ୍ ସେୟାର କରିବେ। ମୁମ୍ବାଇ U-19ରେ କୋଚ୍ ସତୀଶ ସାମନ୍ତଙ୍କ କହିବା ଅନୁଯାୟୀ, ସେ ଯେମିତି ସଟ୍ ଖେଳନ୍ତି, ସେମିତି କେହି ଖେଳି ପାରିବେନି। ତାଙ୍କ ପାଖରେ ନା ସ୍ମାର୍ଟ ଫୋନ୍ ଅଛି ନା ହ୍ୱାଟସ୍ଆପ୍। ସେ ଜଣେ ବଡ଼ ଖେଳାଳୀ ହୋଇ ବାହାରିବେ।
ୟଶସ୍ୱୀଙ୍କ କହିବା ଅନୁଯାୟୀ, କ୍ରିକେଟ୍ରେ ମାନସିକ ଚାପ କଥା କୁହାଯାଏ। ମୁଁ ମୋ ଜୀବନରେ ସବୁବେଳେ ଚିନ୍ତାରେ ରହିଆସିଛି। ମୁଁ ଅନେକ କଠିନ ପରିସ୍ଥିତ ଦେଇ ଆସିଛି। ଯାହା ମତେ ଆଜି ଶକ୍ତ କରିଦେଇଛି।
ଟିମ୍ରେ ଯୋଗଦେବା ପରେ ମୁଁ କିଛି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛି। ଯେତେବେଳେ ମୁଁ ଟିମ୍ ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ଯାଏ, ମୋ ପାଖରେ ଟଙ୍କା ନଥାଏ। ମୁଁ ସେମାନଙ୍କୁ ମୋ ପାଖରେ ପଇସା ନାହିଁ ଏବଂ ମୁଁ ଭୋକିଲା ଅଛି ବୋଲି ଖୋଲିକି କହିଦିଏ। କାରଣ ମୋ ପାଖରେ ଆଉ କିଛି ବିକଳ୍ପ ନଥାଏ।