ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ କହିଥିଲେ,“ନୀତି ନିର୍ଘଣ୍ଟ ଅନୁସାରେ ଭୋର ୩ଟା ୩୦ରୁ ମଙ୍ଗଳାର୍ପଣ, ୪ଟାରୁ ୬ଟା ପର୍ଯ୍ୟନ୍ତ ଡୋରଲାଗି ଓ ପଷ୍ପାଞ୍ଜଳୀ ଶେଷ ହୋଇ ପହଣ୍ଡି ଆରମ୍ଭ ହେବ, ୬ଟା ୩୦ରେ ମଙ୍ଗଳ ଆଳତୀ, ୬ଟା ୪୦ରେ ମଇଲମ, ୭ଟାରେ ତଡପ ଲାଗି, ୭ଟା ୩୦ରେ ଅଧରପୋଛା, ୮ଟାରେ ଅବକାଶ, ୮ଟା୩୦ରେ ବେଶ ଶେଷ, ୮ଟା ୪୦ରେ ରୋଷ ହୋମ, ୯ଟାରେ ସୂର୍ଯ୍ୟପୂଜା, ୯ଟା୧୦ରେ ଦ୍ୱାରପାଳ ପୂଜା, ୯ଟା୩୦ରୁ ୧୨ ପର୍ଯ୍ୟନ୍ତ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ୧୨ଟାରୁ ୧୨ଟା୩୦ ମଧ୍ୟରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗିବେଶ ପରେ ୧୨ଟା୩୦ରୁ ୧ଟା ମଧ୍ୟରେ ଛେରା ପହଁରା,୧ଟାରୁ ୩ଟା ପର୍ଯ୍ୟନ୍ତ ହାତୀ ବେଶ, ୩ଟା୧୫ରେ ମହନ୍ତ ଶାଢୀ ବନ୍ଧା, ୩ଟା୩୦ରୁ ୫ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳଧୂପ ଓ ସନ୍ଧ୍ୟା ୬ଟାରୁ ସହାଣ ମେଲା ଦର୍ଶନ ହେବ।”
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ନୀତିକାନ୍ତିକୁ ସମୟାନୁଯାୟୀ କରି ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥା କରାଯାଇଛି।
ଚଳିତଥର ପୁରୀରେ ଏକପାଖିଆ ଦର୍ଶନ ସହ ଅତିନିକଟରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି।
ଦଇତାପତି ନିଯୋଗ ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଥିଲେ,“ଚତୁର୍ଦ୍ଧାମୂରତିଙ୍କର ହାତୀବେଶକୁ ଅତି ପାଖରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ରାତି ୧୧ଟା ପରେ ସର୍ବସାଧାରଣ ଦର୍ଶନକୁ ବନ୍ଦ କରାଯିବ। ମହାପ୍ରଭୁ ପୁଣି ଥରେ ପହଣ୍ଡି ବିଜେ ହୋଇ ଅଣସରଘରକୁ ଯିବେ।”
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଥିଲେ,“ ରିତିନୀତି ଅନୁସାରେ ଶ୍ରୀଜଗନ୍ନାଥ ୩୫ କୁମ୍ଭ ଜଳ, ଶ୍ରୀବଳଭଦ୍ରଙ୍କ ଉପରେ ୩୩କୁମ୍ଭ ଜଳ, ଦେବୀ ସୁଭଦ୍ରା ୨୨କୁମ୍ଭ ଜଳ, ଶ୍ରୀସୁଦର୍ଶନ ୧୮କୁମ୍ଭ ଜଳସ୍ନାନ କରିବେ। ତା’ପରେ ଅପୂର୍ବ ଗଜାନନ ବା ହାତୀ ବେଶରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂରତୀ ଦର୍ଶନ ଦେବେ।”
ଅନ୍ୟପକ୍ଷରେ ସ୍ନାନଯାତ୍ରାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ଓ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭକ୍ତଙ୍କ ଶୃଙ୍ଗଳିତ ଦର୍ଶନ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇ ପୁରୀରେ ୫୩ ପ୍ଲାଟୁନ୍ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି। ଜିକ୍ଜାକ୍ ବ୍ୟାରିକେଡ ଦେଇ ମେଟାଲ ଡିଟେକ୍ଟର ଯାଞ୍ଚ ପରେ ଭକ୍ତମାନଙ୍କୁ ସିଂହଦ୍ୱାର ପଟୁ ପ୍ରବେଶ କରାଯାଇ ଅନ୍ୟ ୩ପଟେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି।
ଏହାସହ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସମଗ୍ର ଟ୍ରାଫିକ୍କୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ୪ ଥାକିଆ ଓ ୨ ଥାକିଆ ଯାନ ଉପରେ କଟକଣା ଜାରି କରାଯାଇଥିବା ବେଳେ ସମାଯାଜପୁର ଓଭରବ୍ରିଜ୍ ଦେଇ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛଇ। ସବୁ ଗାଡି ତଳ ରୋଗ ଦେଇ ଯିବାକୁ ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ସବୁ କଳ୍ପନା ଜଳ୍ପନା ଅନ୍ତ କରି ବିଶ୍ୱକର୍ମା ମହାରଣା ସେବାୟତ ଓ ଭୋଇ ସେବାୟତ ମାନେ ଆଜି ତିନି ରଥରେ ୪ନାହାକା ଉଠାଇଛନ୍ତି। ତାପରେ ରଥକାର୍ଯ୍ୟକୁ ଆହୁରି ଦ୍ରୁତ ଗତିରେ ନିର୍ମାଣ କରିଚାଲିଛନ୍ତି।