ବିଧାୟକ ଓ ଜିଲ୍ଲାପାଳଙ୍କୁ ଅନେକ ଥର ଭେଟିଛନ୍ତି, କେହିବି ଶୁଣିଲେଣି ଗୁହାରୀ

ଯାଜପୁର(ଜନ୍ମେଜୟ ଦାଶ): ଗରିବଙ୍କ ପାଇଁ ସାତସପନ ହୋଇ ରହିଛି ସରକାରଙ୍କ ପକ୍କାଘର ଯୋଜନା। ଜଣେ କିମ୍ବା ଦୁଇଜଣ ନୁହେଁ ଗୋଟିଏ ଗାଁରେ ଏମିତି ବହୁ ଗରିବ ପରିବାର ଅଛନ୍ତି। ଯେଉଁମାନେ ବିପଦସଙ୍କୁଳ ଝାଟିମାଟି ଘରେ ବସବାସ କରୁଛନ୍ତି। ଯାଜପୁର ଜିଲ୍ଲା କୋରେଇ ବ୍ଲକର ବନ୍ଦାଳ ପଞ୍ଚାୟତର ହଟପୁର ଗାଁରେ ଏଭଳି ଦୃଶ୍ୟ ନଜର ଆସିଛି। ଏହି ଗାଁ’ରେ ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ୬୦ ଭାଗ ଲୋକ ଦିନ ମଜୁରିଆ। ମୂଲ ଲାଗିଲେ ଚୁଲି ଜଳେ, […]

home

  • Published: Sunday, 16 October 2022
  • , Updated: 16 October 2022, 07:32 PM IST

ଯାଜପୁର(ଜନ୍ମେଜୟ ଦାଶ): ଗରିବଙ୍କ ପାଇଁ ସାତସପନ ହୋଇ ରହିଛି ସରକାରଙ୍କ ପକ୍କାଘର ଯୋଜନା। ଜଣେ କିମ୍ବା ଦୁଇଜଣ ନୁହେଁ ଗୋଟିଏ ଗାଁରେ ଏମିତି ବହୁ ଗରିବ ପରିବାର ଅଛନ୍ତି। ଯେଉଁମାନେ ବିପଦସଙ୍କୁଳ ଝାଟିମାଟି ଘରେ ବସବାସ କରୁଛନ୍ତି। ଯାଜପୁର ଜିଲ୍ଲା କୋରେଇ ବ୍ଲକର ବନ୍ଦାଳ ପଞ୍ଚାୟତର ହଟପୁର ଗାଁରେ ଏଭଳି ଦୃଶ୍ୟ ନଜର ଆସିଛି।

ଏହି ଗାଁ’ରେ ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ୬୦ ଭାଗ ଲୋକ ଦିନ ମଜୁରିଆ। ମୂଲ ଲାଗିଲେ ଚୁଲି ଜଳେ, ନହେଲେ ପୂରା ପରିବାର ଖାଡ଼ା ଉପାସ। ଏଭଳି ପରିସ୍ଥିତିରେ ପକ୍କା ଘର ତିଆରି କରିବା ସେମାନଙ୍କ ପାଇଁ ସାତସପନ ହୋଇ ରହିଯାଇଛି। ଅତି ଦୟନୀୟ ଅବସ୍ଥାରେ ଏହି ପରିବାର ଝାଟିମାଟି ଘରେ ଜୀବନଯାପନ କରୁଛନ୍ତି।

ସେମାନେ ପ୍ରତିବର୍ଷ ଚାଳ ଛପର ମଧ୍ୟ କରିପାରୁନାହାନ୍ତି। ତେଣୁ ଅଧିକାଂଶ ଲୋକଙ୍କ ଚାଳ ଘର ଉପରେ ଘୋଡା ଯାଇଛି ପାଲିଥିନି କିମ୍ବା ଜରିପାଲ। ନିର୍ବାଚନ ପରେ ନିର୍ବାଚନ ଯାଉଛି, ପକ୍କାଘର ଯୋଜନାରେ ଘର ଯୋଗାଇ ଦେବାର ପ୍ରତିଶ୍ରୁତି ମିଳୁଛି ଓ ହେଲେ ଭୋଟ୍ ଜିତି ଜନପ୍ରତିନିଧି ହେବା ପରେ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି ରାଜନେତା। ସରକାରୀ ଅବ୍ୟବସ୍ଥା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ସୀମା ଟପିଛି। ତେଣୁ ଏହି ଗରିବ ଲୋକଙ୍କ ଭାଗ୍ୟ ବଦଳୁନି।

ଭାତ ହାଣ୍ଡିରୁ ଗୋଟିଏ ପରଖିବା ଭଳି ଏହି ଗ୍ରାମର ପ୍ରଦୀପ ମହାପାତ୍ରଙ୍କ ଘର ଅବସ୍ଥାକୁ ଦେଖିଲେ ଏହାର ଅନୁମାନ ଲଗାଇ ହେବ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ଝିଅ। ପ୍ରଦୀପ ମୂଲ ଲାଗିଲେ ଘର ଚଳେ। ଝିଅ ବାହାଘର ପରେ ଏବେ ପଡ଼ୋଶୀ ରବୀନ୍ଦ୍ର ଦାସଙ୍କ ଘରେ ସମୟ ବିତାଉଛନ୍ତି ସ୍ୱାମୀ, ସ୍ତ୍ରୀ। କାରଣ ତାଙ୍କ ଝାଟିମାଟି ଘର ଗତ ଲଘୁଚାପ ବର୍ଷାରେ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି। ଯେଉଁ ପଡ଼ୋଶୀଙ୍କ ଘରେ ସେମାନେ ଆଶ୍ରୟ ନେଇଛନ୍ତି, ଉକ୍ତ ଘରର ଅବସ୍ଥା ମଧ୍ୟ କହିଲେ ନ ସରେ। ବର୍ଷା ହେଲେ ସେ ଘରେ ରହିବା ମଧ୍ୟ ନିରାପଦ ନୁହେଁ। ଏଭଳି ପରିସ୍ଥିତିରେ ଘରେ ରୋଗୀଣା ସ୍ତ୍ରୀଙ୍କ ସହ ଭାଗ୍ୟକୁ ଆଦରୀ ଦିନ କାଟୁଛନ୍ତି ପ୍ରଦୀପ। ରୋଗୀଣା ସ୍ତ୍ରୀର ଚିକିତ୍ସାରେ ରୋଜଗାରର ଅଧିକାଂଶ ଅର୍ଥ ଖର୍ଚ୍ଚ ହୋଇଯାଉଥିବାରୁ ଘର ତିଆରି କଥା ଭାବି ବି ପାରୁନାହାନ୍ତି ପ୍ରଦୀପ। ସରକାରୀ ଯୋଜନାରେ ପକ୍କାଘର ଖଣ୍ଡିଏ କରିଦେବାକୁ ସେ ଅନେକ ଥର ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗୁହାରୀ ଜଣାଇଛନ୍ତି। ହେଲେ କେହି ତାଙ୍କ ଦୁଃଖ ଦୂର କରିବାକୁ ପଦକ୍ଷେପ ନେଇନାହାନ୍ତି।

ସେହିପରି ସୁଭଦ୍ରା ମଳିକ, ପ୍ରଦୀପ ମଳିକ, ମହେନ୍ଦ୍ର ମଳିକଙ୍କ ଅବସ୍ଥା ମଧ୍ୟ ସମାନ। ଝାଟିମାଟି ଘରେ ଅତି ଦୁଃଖଦ ସ୍ଥିତିରେ ଏହି ପରିବାର ଲୋକେ ଦିନ କାଟୁଛନ୍ତି।

ସେପଟେ କୋରେଇ ବିଡ଼ିଓ ରଞ୍ଜନ କୁମାର ପରିଡା ଏନେଇ କହିଛନ୍ତି, ଯେତେ ସବୁ ଏଭଳି ଅଭିଯୋଗ ଆସିଛି ସବୁଗୁଡିକର ତଦନ୍ତ କରାଯିବ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ, ସେମାନଙ୍କୁ ଯଥାଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।

Related story