ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲ୍ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ତା’ସହ ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଗୁରୁବାର ଭୁବନେଶ୍ୱରରେ ଗ୍ରାମ୍ୟ ବିଦ୍ୟୁତକରଣ ସମ୍ପର୍କିତ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କରିଥିଲେ ପୀୟୁଷ ଗୋୟଲ। ଏହି ସମୀକ୍ଷା ପରେ ସେ କହିଛନ୍ତି ଯେ ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଗାଁକୁ ବିଜୁଳି ପହଞ୍ଚିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଦିନଦୟାଲ ଗ୍ରାମଜ୍ୟୋତି ଯୋଜନା ଓ ଇଣ୍ଟିଗ୍ରେଟେଡ ପାୱାର ଡେଭଲପମେଣ୍ଟ ସ୍କିମରେ ୩୦୦୦ କୋଟି ଟଙ୍କା ସହାୟତା ଦିଆଯାଇଥିବା ବେଳେ ବାକି ୧୭୦୦ କୋଟି ଖୁବଶୀଘ୍ର ଦିଆଯିବ। ରାଜ୍ୟର ସମସ୍ତ ପରିବାରକୁ ସୁଲଭ ମୁଲ୍ୟରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବେ। ବର୍ତ୍ତମାନ ରାଜ୍ୟରେ ୫୮ ହଜାର ବିଦ୍ୟୁତ ଉପଭୋକ୍ତା ଥିବା ବେଳେ ୩୫୦୦ ଗାଁର ୪୦ ରୁ ୫୦ ଲକ୍ଷ ପରିବାର ଏପର୍ଯ୍ୟନ୍ତ ବିଜୁଳି ସୁବିଧା ପାଇନାହାନ୍ତି। ତେବେ ଆସନ୍ତା ବର୍ଷ ଜୁନ ମାସ ସୁଧା ରାଜୀବ ଗାନ୍ଧି ଗ୍ରାମିଣ ବିଦ୍ୟୁତ ଯୋଜନାରେ ୩୦୦୦ ଗାଁ କୁ ବିଦ୍ୟୁତକରଣ କରାଯିବା ସହିତ ୨୦୧୭ ସୁଧା ଅନ୍ୟ ସମସ୍ତ ଗାଁକୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୀକ୍ଷା ବୈଠକରେ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ବିଭାଗୀୟ ସଚିବଙ୍କ ସହିତ ଏମସିଏଲ ଏନଟିପିସି, ରୁରାଲ ଇଲେକଟ୍ରିଫିକେସନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।