ପୁଅ ଘରେ ପଶିଲା ସିବିଆଇ, ବାପା କହିଲେ- ଏଫ୍ଆଇଆର୍ରେ ମୋ ନାଁ ନାହିଁ
ନୂଆଦିଲ୍ଲୀ: ସାଂସଦ କାର୍ତ୍ତି ଚିଦାମ୍ବରମ୍ଙ୍କ ଘରେ ପଶିଲା ସିବିଆଇ। ଏକକାଳୀନ ୯ଟି ସ୍ଥାନରେ କଲା ଚଢ଼ାଉ। ପୁଅ ଘରେ ଚଢ଼ାଉ ପରେ ଚିହିଁକି ଉଠିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିମ୍ବାମରମ୍। ପୁଅ ବିରୋଧରେ ରୁଜୁ ମାମଲାରେ ହୋଇଥିବା ଚଢ଼ାଉକୁ ନେଇ ଖୋଲିଲେ ମୁହଁ।
ପୁଅ କାର୍ତ୍ତିଙ୍କ ଘରେ ସିବିଆଇ ଚଢ଼ାଉ ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଟ୍ୱିଟ୍ କରି କହିଛନ୍ତି, ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ମୋତେ ଯେଉଁ ଏଫ୍ଆଇଆର୍ ଦେଖାଇଛି ସେଥିରେ ମୋ ନାଁ ନାହିଁ। କିନ୍ତୁ ମୋ ଘରେ ପସି ତଲାସି କରାଯାଇଛି। ସିବିଆଇ ଟିମ୍ ଚେନ୍ନାଇ ସ୍ଥିତ ମୋ ଘରେ, ଦିଲ୍ଲୀ ସହଯୋଗୀଙ୍କ ଘରେ ଚଢ଼ାଉ କରିଛନ୍ତି। ତେବେ ଚଢ଼ାଉରେ ସିବିଆଇ ଟିମ୍କୁ କିଛି ବି ମିଳିନାହିଁ। ସେମାନେ କିଛି ବି ଜବତ କରିନାହାନ୍ତି, କିନ୍ତୁ ସେମାନଙ୍କ ଚଢ଼ାଉ କରିବା ସମୟ ବେଶ୍ ରୋଚକ ଥିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି।
This morning, a CBI team searched my residence at Chennai and my official residence at Delhi. The team showed me a FIR in which I am not named as an accused.
The search team found nothing and seized nothing.
I may point out that the timing of the search is interesting.
— P. Chidambaram (@PChidambaram_IN) May 17, 2022
ଉଲ୍ଲେଖଯୋଗ୍ୟ ଯେ, ସିବିଆଇ କାର୍ତ୍ତିଙ୍କ ବିରୋଧରେ ଏକ ନୂତନ ମାମଲା ରୁଜୁ କରି ଏହି ଚଢ଼ାଉ କରିଛି। ଆଜି ସକାଳୁ ସକାଳୁ କାର୍ତ୍ତି ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରିଛି ସିବିଆଇ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇସ୍ଥିତ ବାସଭବନ ଉପରେ ଚଢ଼ାଉ ହୋଇଛି । ସିବିଆଇ ଟିମ୍ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ ଓ ଓଡ଼ିଶାର ଝାରସୁଗୁଡ଼ାରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ତେବେ ଆଜି ସିବିଆଇ ଚଢ଼ାଉ ବେଳେ କାର୍ତ୍ତି ଲଣ୍ଡନରେ ଥିବା ସୂଚନା ରହିଛି।
୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଆଜି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି । ସାବୁ ନାମକ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ପାଇଥିବା ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।
ସିବିଆଇ ରେଡ ଚାଲିଥିବା ବେଳେ କାର୍ତ୍ତି ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି,’ ଏପରି କେତେ ଥର ଚଢ଼ାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି। ଏହା ଏକ ରେକର୍ଡ।’
ଏହାପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ଚିଦାମ୍ବରମ ବାପ ପୁଅ। କାର୍ତ୍ତି ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କାର୍ତ୍ତି । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍ରେ ରହିବା ପରେ ଶେଷରେ ମୁକୁଳିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।