ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଛୁଳୁଛି ମହାନଦୀ। ଉଗ୍ର ରୂପ ଧରି ମାଡ଼ି ଆସୁଛି ବଢ଼ିପାଣି। ଆସନ୍ତାକାଲି ଏହା ଆହୁରୀ ରୁଦ୍ର ରୂପ ଧାରଣ କରିବ। ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା।
ମହାନଦୀର ପଛୁଆ ପାଣିରେ ଉବୁଟୁବୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଆଦି ଗାଁ। ଏହି ଗାଁ ମାନଙ୍କରେ ପଶିଛି ବନ୍ୟା ପାଣି। ଗାଁ ଦାଣ୍ଡରେ ପାଣିର ସୁଅ ଛୁଟିଛି। ଘରେ ବି ପଶିଛି ବନ୍ୟା ପାଣି। ଜଳମଗ୍ନ ହୋଇଛି ହଜାର ହଜାର ହେକ୍ଟର ଚାଷ ଜମି।
ସେହିପରି ସମ୍ବଲପୁର ସହରର ତଳି ଅଞ୍ଚଳର ଦୃଶ୍ୟ ସମାନ। ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରୁଛି ପ୍ରଶାସନ। ସେମାନଙ୍କୁ ୭ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି। ବଡ଼ ବଡ଼ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଛି।
ସୁବର୍ଣ୍ଣପୁର ଜିଲ୍ଲାରେ ବି ବନ୍ୟା ସ୍ଥିତି। ବିନିକା ସହରର ଗୁଲାପଡ଼ାରେ ବଢ଼ି ପାଣି ପଶି ଥିବାରୁ ବହୁ ହେକ୍ଟର ଚାଷ ଜମି ବୁଡ଼ି ଯାଇଛି। ଗୁଲାପଡ଼ାରୁ ବିନିକା ଟାଉନକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ି ଯିବା ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଠିକ୍ ସେଭଳି ମାଳତୀ ଯୋର ସେତୁ ଉପରେ ପାଣି ବଢ଼ିବା ଯୋଗୁ ସୋନପୁର ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ବୀରମହାରାଜପୁର-ଅମରପାଲି ରାସ୍ତାର ଘୁଂଘିଯୋର ରାସ୍ତା ଉପରେ ୪ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଥିବାବେଳେ ବିଜେପୁର ସେତୁ ଉପରେ ମଧ୍ୟ ବନ୍ୟା ପାଣି ଚାଲିଛି। ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ବୌଦ୍ଧ ଜିଲ୍ଲାରେ ଜଗନ୍ନାଥ ସଡକ ଉପରେ ପ୍ରାୟ ୮ ଫୁଟର ବନ୍ୟାପାଣି ଚାଲିଛି। ତା ସହ ବୁଡିଯାଇଛି ଧଳପୁର-ଆଠମଲ୍ଲିକ ସେତୁ ପାଇଁ ହୋଇଥିବା ଠିକା ସଂସ୍ଥାର କ୍ୟାମ୍ପ ଅଫିସ୍। ସେପଟେ ହରଭଙ୍ଗା ବ୍ଲକରେ ମହାନଦୀର ବଢ଼ି ପାଣି ପଶିବା ଫଳରେ ଅନେକ ଗାଁ ପ୍ରଭାବିତ ହୋଇଛି। ବୌଦ୍ଧ-ହରଭଙ୍ଗା ମଧ୍ୟ ଯାତାୟତା ପ୍ରଭାବିତ ହୋଇଛି।
କଟକ ବଡ଼ମ୍ବାର ଭଟ୍ଟାରିକା ପୀଠ ମହାନଦୀ କୂଳରେ ଅବସ୍ଥିତ ମା’ଙ୍କ ମନ୍ଦିରରେ ବନ୍ୟା ପାଣି ପଶିଛି। ଫଳରେ ଠାକୁରଣୀଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ବାଙ୍କୀର ଅନେକ ଅଂଚଳ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି।
ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଏସ୍ଆରସିଙ୍କ ପକ୍ଷରୁ ଆଜି ସମୀକ୍ଷା କରାଯାଇଛି। ସୂଚନା ଅନୁସାରେ ଆସନ୍ତାକାଲି ସଂଧ୍ୟାରେ କଟକ ମୁଣ୍ଡଳୀରେ ୧୧ ଲକ୍ଷ କ୍ୟାୁସେକ୍ ପାଣି ପାସ୍ କରିବ। ଏଥିଯୋଗୁଁ ୪ ଜିଲ୍ଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ତେବେ ହୀରାକୁଦ ଡ୍ୟାମରୁ ୩୪ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ଏସ୍ଆରସି ପ୍ରଦୀପ ଜେନା ସ୍ପଷ୍ଟ କହିଛନ୍ତି। ଆବଶ୍ୟକ ପଡ଼ିଲେ ତଳି ଅଂଚଳର ଲୋକଙ୍କୁ ସ୍ଥାନ୍ତାନର କରାଯିବ ବୋଲି ଅପରାହ୍ଣରେ ସମ୍ଭାବ୍ୟ ବନ୍ୟା ପରସ୍ଥିତିର ସମୀକ୍ଷା କରି କହିଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ।
ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ସବୁ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। ସମସ୍ତଙ୍କୁ ଆବଶ୍ୟକ ହେଲେ ବନ୍ୟା ମୁକାବିଲ ନିମନ୍ତେ କାମ କରିବାକୁ କୁହାଯାଇଛି। ଅନ୍ୟପଟେ ହୀରାକୁଦ ପାଣି ବଢ଼ିଲେ ପୁରୀ, ଜଗତିସଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହେବ ବୋଲି ହୀରାକୁଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି।
ସେପଟେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବଂଶଧାରା ଓ ଜଳକା ଫୁଲିବାରେ ଲାଗିଛି। ବର୍ଷା ଲାଗି ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ ଘଟିଛି। କେନ୍ଦୁଝରରେ ରାସ୍ତାଘାଟ ବୁଡ଼ି ଯାଇଛି। ଘରେ ବି ଭରି ରହିଛି ପାଣି। ଚାରିଆଡ଼େ ଜଳବନ୍ଦୀ ସ୍ଥିତି। ଗାଁ ଗଣ୍ଡା ସହ କେନ୍ଦୁଝର ସହର ବି ରହିଛି ପାଣି ଘେରରେ। କେନ୍ଦୁଝର ଜିଲ୍ଲାର ଅରଡେଇ ନଦୀ ପୋଲ ଉପରେ ୩ଫୁଟର ପାଣି ଚାଲିଛି। ଫଳରେ ଆଖପାଖର ୩ଟି ପଂଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କେନ୍ଦୁଝରରେ ଏକ ଅଟୋ ଉପରେ ବିଶାଳ ଗଛ ଉପୁଡି ପଡିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହୀନୀ ଗଛକୁ କାଟି ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି। ସେହିପରି ଜିଲ୍ଲାର ଟିକରଗୁମୁରା ଗାଁ ମୁଣ୍ଡାସାହିରେ ବର୍ଷା ଯୋଗୁଁ ଭୁଶୁଡି ପଡିଛି ଘର।
ସୁନ୍ଦରଗଡ଼ର ରାସ୍ତାଘାଟ, ଘରଦ୍ୱାର, ହସ୍ପିଟାଲ ପ୍ରଭୃତି ଚାରିଆଡେ ଖାଲି ପାଣି ଆଉ ପାଣି। ବାଲେଶ୍ୱର ଜିଲ୍ଲାରେ ବି ସ୍ଥିତି ବେହାଲ। ବିପଦସଙ୍କେତ ଉପରେ ବୋହୁଛି ଜଳକା।
ରାୟଗଡାରେ ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଖସି ସିକରପାଇ ରେଳ ଷ୍ଟେସନ୍ ଠାରେ ରେଳ ଚଳାଚଳ ବ୍ୟାଘାତ ହୋଇଛି। ସେହିପରି ରାୟଗଡା-କୋରାପୁଟ ରେଳପଥର ଭାଲୁମୁସ୍କା ଷ୍ଟେସନ ଟନେଲ ନିକଟରେ ବିରାଟ ପଥର ଖସି ପଡ଼ିବାରୁ ରେଳ ଚଳାଚଳ ବ୍ୟାଘାତ ହୋଇଛି। ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥ ପରଦିଗୁଡା ନିକଟରେ ରାସ୍ତା ଦବିଯିବାରୁ ଠପ୍ ହୋଇଯାଇଛି ଯାତାୟତ। ୫ ଘଂଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଶହ ଶହ ଯାନବାହନ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଭାଙ୍ଗିଯାଇଛି ବିଜୁ ସେତୁ ଗାର୍ଡ ୱାଲ। ଫଳରେ ପାଡେନକେତା-ମାଣ୍ଟୁବାଡି ଆପ୍ରୋଚ୍ ରୋଡ୍ ଦବି ଯାଇଛି।
ଢେଙ୍କାନାଳ କାମାକ୍ଷାନଗର ବ୍ଳକ୍ ଗୁନେଇବିଲ୍ଲି ଗାଁରେ କାନ୍ଥ ପଡି ମହିଳାଙ୍କ ମୃତ ହୋଇଛି। ତାଙ୍କ ନାଁ ଶାନ୍ତିଲତା ଭୋଇ। ଲଗାଣ ବର୍ଷା ଯୋଗୁଁ ଗତକାଲି ଘରକାନ୍ଥ ଭୁଶୁଡ଼ି ପଡ଼ିଥିଲା। ତା ଭିତରେ ସେ ଚାପି ହୋଇଯାଇଥିଲେ। ଆଜି ତାଙ୍କ ଶବ ଉଦ୍ଧାର ହୋଇଛି।
ପାଟଣାଗଡରେ ମଧ୍ୟ ଅନେକ ଘର ଭୁଶୁଡି ପଡିଛି। ପାଟଣାଗଡ ବ୍ରହ୍ମପୁରା ଏବଂ ଭାଟିଶାଲ ପଡାରେ ଦୁଇଟି ଘର ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ପୂରା ପରିବାର।
ଗଜପତି ଜିଲ୍ଲା ମୋହନାରେ ଲଗାଣ ବର୍ଷା ଯୋଗୁ ପାଣି ସୁଅରେ ବୁଡି ରହିଛି ରାସ୍ତାଘାଟ। ଗୁଣ୍ଡିରିଗୁଡା ଗାଁର ଏଲିଆଜର ରଇତଙ୍କ ଘରେ ଗ୍ୟାସ ସରି ଯିବାରୁ ମୋହନାରୁ ଗ୍ୟାସ ସିଲିଣ୍ଡର ମୁଣ୍ଡରେ ବୋହି ଭରା ନଈ ପାର ହୋଇ ଘରକୁ ଫେରୁ ଥିବା ବେଳେ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ହଠାତ ତାଙ୍କ ସାଙ୍ଗରେ ଥିବା ଜଣେ ବ୍ୟକ୍ତି ତାକୁ ହାତ ଧରି ନଦୀ ପାର ପାଇଁ ସାହାଯ୍ୟ କରିଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହିପରି ମୋହନା ଅନ୍ତର୍ଗତ ପଥରଗଡ଼ ଗାଁରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡି ଘର ଉପରେ ପଡିବାରୁ ଗାଁର କୁରିଙ୍ଗା କାର୍ଜି ଓ ଗଣେଶ କାର୍ଜିଙ୍କ ଘର ଭାଙ୍ଗି ଯାଇଛି। ସେମାନଙ୍କ ପରିବାର ଜୀବନହାନିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
କରଞ୍ଜିଆରେ ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦେଓ, ସାଳନ୍ଦୀ, ଖଇରୀଭଣ୍ଡନ ନଦୀରେ ଜଳସ୍ତର ବଢିବାରୁ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପ୍ରଥମଥର ପାଇଁ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
ତେଣୁ ଆସନ୍ତାକାଲି ଯଦି ପ୍ରବଳ ବର୍ଷା ହୁଏ ତେବେ ବନ୍ୟା ସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି।
https://twitter.com/mcbbsr/status/1558810351067856898?s=20&t=D_YnaYz7s1Sou9y18aPtsw