ଓଡ଼ିଆ ନେତୃତ୍ୱ ଓ ଜାତୀୟ ରାଜନୀତି

ଡଃ ଷ୍ଟାଲିନ ମିଶ୍ର, ସୂଚନାପ୍ରଯୁକ୍ତିବିତ, ସିଙ୍ଗାପୁର

ଓଡ଼ିଆ ଜାତି ଶାନ୍ତ, ସରଳ, ବୁଦ୍ଧିମାନ ଓ କର୍ମଠ ମଧ୍ୟ। ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚିକିତ୍ସାଶାସ୍ତ୍ର, ଅର୍ଥନୀତି, କୂଟନୀତି, ସୂଚନାପ୍ରଯୁକ୍ତି, ବ୍ୟାଙ୍କିଙ୍ଗ ତଥା ଅନ୍ୟ ସମସ୍ତ ସରକାରୀ-ବେସରକାରୀ କ୍ଷେତ୍ରରେ ଓଡ଼ିଆ ନିଜର ପାରଦର୍ଶିତା ସର୍ବଦା ନିରନ୍ତର ପ୍ରତିପାଦନ କରିଆସିଛି। ଅତୀତରେ ନୌବାଣିଜ୍ୟ କ୍ଷେତ୍ରରେ ଭାରତ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଏସିଆରେ କଳିଙ୍ଗର ଏକାଧିପତ୍ୟ କାହାକୁ ଅଛପା ନାହିଁ। ଯେତେବେଳେ ଅନ୍ୟ ସଭ୍ୟତାମାନେ ନିଜର ମୌଳିକ ଆବଶ୍ୟକତା ପୂରଣ ପାଇଁ ସଂଘର୍ଷରତ ଥିଲେ ସେତେବେଳେ ଆମେ ଓଡ଼ିଆ ତେର ନଈ ସାତ ଦରିଆ ଡେଇଁ ବ୍ୟାପାର ବଣିଜ କରି ନିଜ ରାଜ୍ୟ ତଥା ଦେଶକୁ ଅର୍ଥନୈତିକ ସଫଳତାର ଶିଖରରେ ପହଞ୍ଚାଇପାରିଥିଲେ। ଯେଉଁ କଳିଙ୍ଗକୁ ଜୟ କରିବାକୁ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଓ ତାଙ୍କ ପୁତ୍ର ବିନ୍ଦୁସାର ଅସମର୍ଥ ହୋଇଥିଲେ, ସେହି କଳିଙ୍ଗର ପତନ ପାଇଁ ଛଳର ଆଶ୍ରୟ ନେଇ ଅଶୋକ ପରି କୃର ସମ୍ରାଟଙ୍କୁ ୮ ବର୍ଷରୁ ଅଧିକ ସମୟ ଲାଗିଥିଲା। ଗ୍ରୀକ-ବାକଟ୍ରୀୟ ରାଜା ‘ଡେମେଟ୍ରିଅସ ପ୍ରଥମ’ ଯିଏ ସୁଦୂର ୟୁରୋପର ବାକଟ୍ରୀୟାରୁ ଆରମ୍ଭ କରି ଉତ୍ତର ପଶ୍ଚିମ ଭାରତ ଯାଏ ବିଶାଳ ଭୂଖଣ୍ଡ ଉପରେ ରାଜୁତି କରୁଥିଲେ, ଯିଏ କୌଣସି ଯୁଦ୍ଧ ହାରିନଥିଲେ, ଯାହାଙ୍କୁ ସେସମୟରେ ଅପରାଜେୟ ବୋଲି ଡକାଯାଉଥିଲା ସେ ବି କଳିଙ୍ଗାଧିପତି ଐର ଖାରବେଳଙ୍କ ବିଶାଳ ସାମରିକ ସାମର୍ଥ୍ୟକୁ ଡରି ନିଜ ପଥ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏପରିକି ବ୍ରିଟିଶ କାଳରେ ପରାଧୀନ ଦେଶ ମାତୃକାକୁ ବିଦେଶୀ କବଳରୁ ମୁକ୍ତ କରିବା ପାଇଁ ସର୍ବପ୍ରଥମ ଯଦି କାହା ଧମନୀର ରକ୍ତ ଉଷ୍ମ ହୋଇଥିଲା ସେ ହେଉଛି ଏଇ ଓଡ଼ିଆ ଜାତିର। ପାଇକ ବିଦ୍ରୋହକୁ କଣ ଆମେ କେବଳ ଇତିହାସ ପୃଷ୍ଠାର ଏକ ବିଷୟବସ୍ତୁ ବୋଲି ଭାବିନେଇ ସନ୍ତୁଷ୍ଟ ହୋଇଯିବା? ଏସବୁ ଅତୀତର ଗାଥା କଣ ଆଗାମୀ ପିଢ଼ିକୁ ଓଡ଼ିଆ ଜାତିର ନେତୃତ୍ୱ ନେବାର ସାମର୍ଥ୍ୟ, ଆତ୍ମସମ୍ମାନର ସୁରକ୍ଷା ପାଇଁ ପ୍ରାଣବଳି ଦେବାର ଅଦମ୍ୟ ସାହସର ପରିଚୟ ଦେଉନାହିଁ? ତାହେଲେ ଆଜି କାହିଁକି ନୁହେଁ? ଅତୀତ ଆମ୍ଭ ଗୌରବ, ପରାକ୍ରମ ଓ ଉତ୍କୃଷ୍ଟ ନେତୃତ୍ୱକୁ ବାରମ୍ବାର ପ୍ରମାଣିତ କରୁଥିବା ବେଳେ ଭବିଷ୍ୟତ ପାଇଁ ବର୍ତମାନର ପଛଘୁଞ୍ଚା ନିଜପ୍ରତି ଓଡ଼ିଆ ଜାତିର ସଂକୀର୍ଣ୍ଣତା ମନୋଭାବକୁ ଦର୍ଶାଉଛି। ଏହା କେବେବି ଜଣେ ସ୍ୱାଭିମାନୀ ଓଡ଼ିଆ ପ୍ରତି ଗ୍ରହଣୀୟ ହେବନାହିଁ।

ହଁ, ଆଜିବି ଓଡ଼ିଆ ପୁଅ-ଝିଅ ଦେଶ ବିଦେଶରେ ନିଜର ବିଦ୍ୟାବୁଦ୍ଧି ଓ କର୍ତ୍ତବ୍ୟନିଷ୍ଠା ବଳରେ ଗୌରବାନ୍ବିତ ପଦପଦବୀ ରେ ନିଜକୁ ପ୍ରତିଷ୍ଠିତ କରିବାରେ ପଛରେ ନାହାଁନ୍ତି। ରାଜନୈତିକ କ୍ଷେତ୍ରରେ ବି ଆଜି ଓଡ଼ିଆ ବେଶ ଆଗୁଆ। ଓଡ଼ିଆ ପୁଅ ଆଜି କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ରାଜ୍ୟପାଳ, ଅନେକ ରାଷ୍ଟ୍ରୀୟ ସଂସ୍ଥାର ମୁଖ୍ୟ, ସେନାବାହିନୀ, ପୋଲିସବାହିନୀ ତଥା ଅନ୍ୟ ଗୁରୁତ୍ୱପୂର୍ଣ ପଦପଦବୀରେ ଅଧିଷ୍ଠିତ। କିନ୍ତୁ ସତ କହିବାକୁ ଗଲେ ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଦେଶର ସର୍ବୋଚ୍ଚ ପଦବୀ ଯଥା ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ପଦରେ ଅଳଂକୃତ ହୋଇ ନିଜର ନେତୃତ୍ୱର ଦକ୍ଷତା ପ୍ରତିପାଦନ କରିବାର ସୁଯୋଗରୁ ଓଡ଼ିଆ ପୁଅ ଆଜି ଯାଏ ବଞ୍ଚିତ ହୋଇଆସିଛି। ଭୁତପୁର୍ବ ରାଷ୍ଟ୍ରପତି ଶ୍ରୀ ଭି.ଭି. ଗିରି ଓଡିଶାର ବ୍ରହ୍ମପୁର ସହରରେ ଜନ୍ମଲାଭ କରିଥିଲେ ବି ସେ ମୂଳତଃ ଆନ୍ଧ୍ରପ୍ରଦେଶ ନିବାସୀ ଥିଲେ।

ଏହା ସତ୍ୟ ଯେ କଂଗ୍ରେସ ସରକାର ଅପେକ୍ଷା ବିଜେପି ସରକାରରେ ଓଡ଼ିଶାକୁ ଅଧିକ ମାନ୍ୟତା ମିଳିଛି, ଅଧିକ ଓଡ଼ିଆ ବଡ଼ବଡ଼ ପଦପଦବୀରେ ଅଳଙ୍କୃତ ହୋଇଛନ୍ତି। ଏଥିପାଇଁ ଓଡ଼ିଶା ବିଜେପି ସରକାରଙ୍କ ପାଖରେ ଚିର ଋଣୀ ରହିବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତୀତରେ ବିଜୁବାବୁ ବହୁ ଅସାଧାରଣ ପ୍ରତିଭାର ଅଧିକାରୀ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସୁଯୋଗରୁ ବଞ୍ଚିତ ରହିଗଲେ। ଓଡ଼ିଆଙ୍କ ଗୋଡ଼ଟଣା ନୀତି ବି ଏଥିପାଇଁ କିଛି ମାତ୍ରାରେ ଦାୟୀ। ତାଙ୍କ ପରି ଜନନେତାଙ୍କ ସାଲିସ ବିହୀନ ରାଜନୀତି, ଓଡ଼ିଶା ପ୍ରେମ, ସ୍ୱାଭିମାନ ଓ ନେତୃତ୍ୱ ନେବାର ଅଦମ୍ୟ କ୍ଷମତା ଆଜିର ଦିନରେ କୌଣସି ଓଡ଼ିଆ ରାଜନୀତିଜ୍ଞଙ୍କ ପାଖରେ ମିଳିବା ବୋଧହୁଏ ଅସମ୍ଭବ। ତାଙ୍କ ପରେ ତାଙ୍କ ସୁପୁତ୍ର ନବୀନ ବାବୁ ଓଡ଼ିଶାର ନେତୃତ୍ୱ ନେବାରେ ପାଞ୍ଚ ଥର ସଫଳ ହେବା ସହିତ ଦଳ ନିର୍ବିଶେଷରେ କେନ୍ଦ୍ରର ସମସ୍ତ ସରକାରଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ଥାଇ ମଧ୍ୟ ନିଜକୁ ଜାତୀୟ ରାଜନୀତିରୁ ଦୂରେଇ ରଖିବା ‘ଓଡିଶା’ ଦେଶକୁ ସର୍ବୋଚ୍ଚ ନେତୃତ୍ୱ ଦେବା କ୍ଷେତ୍ରରେ ଆଜିବି ସଫଳ ହୋଇପାରିନାହିଁ। ଇତିମଧ୍ୟରେ ବୟସର ଅପରାହ୍ନରେ ପହଞ୍ଚିସାରିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆଉ ଭବିଷ୍ୟତରେ ଯେ ଦେଶର ନେତୃତ୍ୱ ନେଇପାରିବେ ତାହାର ଆଶା କ୍ଷୀଣ। ହୁଏତ ସେ ଆଗାମୀ ରାଷ୍ଟ୍ରପତି ପାଇଁ ସୁଯୋଗ ପାଇଲେ ଓଡ଼ିଶାର ଗୌରବ ବହୁଗୁଣିତ ହୋଇପାରନ୍ତା। ଆଜି ବି ଓଡ଼ିଶା ମା’ର ତୂଣୀରରେ ଏପରି ଅନେକ ଅମୋଘ ବାଣ ଅଛି ଯିଏ ଦେଶ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାରେ ସମର୍ଥ। ଅଭିଜ୍ଞତା, ଆୟୁ, ରାଜନୈତିକ ପରିପକ୍ଵତା, ସାଙ୍ଗଠନିକ ଦକ୍ଷତା ଓ ଆଗକୁ ବଢ଼ିବାର ଉତ୍ସାହ ସବୁଥିରେ ନିପୂଣ, ବିଜୁବାବୁଙ୍କ ପରେ ଦିଲ୍ଲୀ ଦରବାରରେ ଚର୍ଚ୍ଚିତ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିଅମ ଏବଂ ଷ୍ଟିଲ ଭଳି ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଏବେ ତାଙ୍କ ହାତରେ। ଏହା ସମସ୍ତ ଓଡ଼ିଆ ଜାତି ପାଇଁ ନିଶ୍ଚିତ ଗୌରବର ବିଷୟ। ତାଙ୍କ କାର୍ଯ୍ୟକାଳ ଭିତରେ ଓଡ଼ିଶା କିପରି ଅଧିକରୁ ଅଧିକ ଲାଭାନ୍ୱିତ ହେବ, ରାଜ୍ୟର ବିକାଶ କିପରି ତ୍ୱରାନ୍ୱିତ ହେବ, ଓଡ଼ିଶାର ଶିକ୍ଷିତ ଯୁବକମାନେ କିପରି ନିଯୁକ୍ତି ପାଇପାରିବେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ଗୁଡ଼ିକରୁ କିପରି ଅଧିକ ଲାଭ ଉଠାଇ ପାରିବେ ଏହା ଆମ୍ଭମାନଙ୍କର ପ୍ରାଥମିକତା ହେବା ଉଚ୍ଚିତ। ତାଙ୍କ ବ୍ୟତିତ ପ୍ରତାପ ଷଡ଼ଙ୍ଗୀ, ପିକେ ମିଶ୍ର, ଶକ୍ତିକାନ୍ତ ଦାସ, ଗିରୀଶ ମୁର୍ମୁ ପ୍ରମୁଖ ଅନେକ ଓଡ଼ିଆ ଏବେ ଜାତୀୟ ସ୍ତରରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଆସୀନ ଅଛନ୍ତି।

କର୍ମସଂସ୍ଥାନ ପାଇଁ ଆଜି ଓଡ଼ିଆ ଅନ୍ୟରାଜ୍ୟ ଉପରେ ନିର୍ଭରଶୀଳ, କୁଶଳୀ ଶ୍ରମିକ ଦାଦନ ହେବାକୁ ବାଧ୍ୟ। ଉପଯୁକ୍ତ ସୁଯୋଗର ଅଭାବରେ ଉନ୍ନତ ମସ୍ତିସ୍କମାନେ ଅନ୍ୟ ରାଜ୍ୟ ତଥା ବିଦେଶ ପଳାୟନ କରିବାକୁ ଶ୍ରେୟ ମନେ କରୁଛନ୍ତି। ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆମାନେ ଆଗକୁ ବଢୁଥିବା ବେଳେ ରାଜ୍ୟ ରାଜନୀତିରେ ଅଣଓଡିଆଙ୍କ ପ୍ରାଧାନ୍ୟ ନିଶ୍ଚିତ ଚିନ୍ତାଜନକ ବ୍ୟାପାର। କିନ୍ତୁ ଏହି ପ୍ରସଙ୍ଗରେ ନା କୌଣସି ଗଣମାଧ୍ୟମ ନା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଦେଖିବାକୁ ମିଳୁନି। ସାମାନ୍ୟ ସ୍ୱାର୍ଥ ପାଇଁ ଓଡ଼ିଆ ଆଜି ନିଜର ଆତ୍ମସମ୍ମାନ ସହିତ ଆତ୍ମପରିଚୟକୁ ଅଣଓଡ଼ିଆଙ୍କ ପାଖରେ ସମର୍ପଣ କରିଦେବାକୁ ପଛାଉନାହିଁ। ଧୀରେ ଧୀରେ ଓଡ଼ିଆଙ୍କ ସ୍ୱର ଓ ସ୍ୱାର୍ଥ ଉଭୟ କ୍ଷୀଣ ହୋଇଚାଲଥିବା ବେଳେ ତଥାକଥିତ ସ୍ୱାଭିମାନୀ ଓଡ଼ିଆ ମାନଙ୍କର ‘ମୌନ ସହମତି’ ନିଶ୍ଚିତ ଭାବେ ଆମକୁ ପୁଣି ପରାଧୀନ ହେବାକୁ ବାଧ୍ୟ କରୁଛି।

ମୁଁ ଏଥିପାଇଁ ଦେଶ ବିଦେଶରେ ପ୍ରତିଷ୍ଠିତ ସମସ୍ତ ସ୍ୱାଭିମାନୀ ଓଡ଼ିଆଙ୍କୁ ଆହ୍ୱାନ ଦେଉଛି ଚାଲନ୍ତୁ ରାଜନୈତିକ ଅସହିଷ୍ଣୁତା ଓ ସଂକୀର୍ଣ୍ଣ ମନୋଭାବକୁ ପରିତ୍ୟାଗ କରି ଆମେ ସମସ୍ତ ଓଡ଼ିଆ ଜାତି ଏକ ହୋଇ ବଚନବଦ୍ଧ ହୋଇଯିବା ଯେପରି ଆଗାମୀ ଦିନରେ ଜଣେ ଓଡ଼ିଆ ଦେଶର ଗୋଟିଏ ସର୍ବୋଚ୍ଚ ସାମ୍ବିଧାନିକ ପଦ ହାସଲ କରିପାରିବ। ଏସବୁ ମୋର ମହତ୍ୱାକାଂକ୍ଷା ହୋଇପାରେ କିନ୍ତୁ ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ମୁଁ ନିଶ୍ଚୟ ଚାହିଁବି କି ଜଣେ ଓଡ଼ିଆ ଆଗାମୀ ଦିନରେ ଦେଶର ନେତୃତ୍ୱ ନିଅନ୍ତୁ ଓ ସେଥିପାଇଁ ସମସ୍ତ ପ୍ରଯତ୍ନ କରିବାକୁ ମୁଁ ପ୍ରସ୍ତୁତ ଅଛି। ଆପଣମାନେ ପ୍ରସ୍ତୁତ କି ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।