ମଜୁମଦାର ଓ ଶାହାବାଜଙ୍କ ଦମରେ ବେଙ୍ଗଲ ୩୦୮/୬

କଟକ (ଓଡ଼ିଶା ରିପୋର୍ଟର): ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ ଟ୍ରଫିର ଦ୍ୱିତୀୟ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସର ପ୍ରଥମ ସେସନ୍ ଓଡ଼ିଶା ବୋଲରଙ୍କ ନାଁରେ ରହିଥିବା ବେଳେ ଶେଷ ଦୁଇଟି ସେସନରେ ବେଙ୍ଗଲ୍ ଟିମ୍ ଦମଦାର ବ୍ୟାଟିଂ କରି ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଓଡ଼ିଶା ବୋଲରମାନେ ୫୦ ରନ୍ ଭିତରେ ବେଙ୍ଗଲର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ, କିନ୍ତୁ ଅନୁସ୍ତୁପ ମଜୁମଦାର ଓ ଶାହାବାଜ ଅହମ୍ମଦ ଚମତ୍କାର […]

odisha-vs-bengal

odisha-vs-bengal

Ranjit Kumar Jena
  • Published: Thursday, 20 February 2020
  • Updated: 20 February 2020, 06:45 PM IST

କଟକ (ଓଡ଼ିଶା ରିପୋର୍ଟର): ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ ଟ୍ରଫିର ଦ୍ୱିତୀୟ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସର ପ୍ରଥମ ସେସନ୍ ଓଡ଼ିଶା ବୋଲରଙ୍କ ନାଁରେ ରହିଥିବା ବେଳେ ଶେଷ ଦୁଇଟି ସେସନରେ ବେଙ୍ଗଲ୍ ଟିମ୍ ଦମଦାର ବ୍ୟାଟିଂ କରି ମଜଭୁତ୍ ସ୍ଥିତିରେ ପହଞ୍ଚିଛି।

ଓଡ଼ିଶା ବୋଲରମାନେ ୫୦ ରନ୍ ଭିତରେ ବେଙ୍ଗଲର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ, କିନ୍ତୁ ଅନୁସ୍ତୁପ ମଜୁମଦାର ଓ ଶାହାବାଜ ଅହମ୍ମଦ ଚମତ୍କାର ବ୍ୟାଟିଂ କରି ଘରୋଇ ଶିବିରକୁ ନିରାଶ କରିଛନ୍ତି। ଫଳରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ୮୬ ଓଭରରେ ୬ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମଜୁମଦାର ୧୩୬ (୧୯୪ ବଲ୍‌, ୨୦ ଚୌକା) ଓ ଶାହାବାଜ ୮୨ (୧୫୪ ବଲ୍‌, ୧୩ ଚୌକା) ରନରେ ଅପରାଜିତ ଥିଲେ। ଓଡ଼ିଶାର କନୱର ସିଂହ ଚୌହାନ୍ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ସଫଳତା ପାଇଛନ୍ତି।

ଓଡ଼ିଶା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାପଟେନଙ୍କ ନିଷ୍ପତ୍ତିକୁ ଉଚିତ୍ ପ୍ରମାଣିତ କରିଥିଲେ ଘରୋଇ ଦଳର ବୋଲର। ଭ୍ରମଣକାରୀ ଦଳର କ୍ୟାପଟେନ୍ ଅଭିମନ୍ୟୁ ଈଶ୍ୱରନ୍ (୭)ଙ୍କୁ ଆଉଟ୍ କରି ସୂର୍ଯ୍ୟକାନ୍ତ ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ପରବର୍ତ୍ତୀ ଓଭରରେ ଅନ୍ୟତମ ଓପ୍ନର କୌଶିକ୍ ଘୋଷ (୯)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଭେଟେରାନ୍ ବସନ୍ତ ମହାନ୍ତି।

ମଧ୍ୟକ୍ରମରେ ଅଭିଷେକ ରାଣା (୧) ଓ ଅର୍ଣ୍ଣବ ନନ୍ଦି (୨୪) ମଧ୍ୟ ନିରାଶ କରିଥିଲେ। ଜବରଦସ୍ତ ଫର୍ମରେ ଥିବା ଅଭିଜ୍ଞ ମନୋଜ ତିୱାରୀ ମାତ୍ର ୪ ରନ୍ କରି ଦେବବ୍ରତ ପ୍ରଧାନଙ୍କ ଶିକାର ହୋଇଥିଲେ। ଏଥିସହ ୪୬ ରନରେ ୫ ୱିକେଟ୍ ହରାଇ ବେଙ୍ଗଲରେ ବୃହତ ସଙ୍କଟରେ ପଡ଼ିଥିଲା ବେଳେ ଅନୁସ୍ତୁପ ଓ ଶ୍ରୀବତ୍ସ ଗୋସ୍ୱାମୀ ଷଷ୍ଠ ୱିକେଟ୍ ପାଇଁ ୮୭ ରନର ଭାଗୀଦାରୀ କରି ବେଙ୍ଗଲର ସ୍ଥିତି ସୁଧାରିଥିଲେ। ଗୋସ୍ୱାମୀ ବ୍ୟକ୍ତିଗତ ୩୪ ରନ୍ କରି କନୱର ସିଂହଙ୍କ ବଲରେ ୱିକେଟକିପର ରାଜେଶ ଧୂପରଙ୍କୁ କ୍ୟାଚ୍ ଦେଇ ବସିଥିଲେ।

୧୪୧ ରନରେ ୬ ୱିକେଟ୍ ନେଇ ଓଡ଼ିଶା ପୁଣିଥରେ ବେଙ୍ଗଲ ଉପରେ ଚାପ ପକାଇଥିଲା। କିନ୍ତୁ ଏହା ପରେ ଓଡ଼ିଶା ବୋଲରଙ୍କ ଚମକ ଆଉ ଦେଖିବାକୁ ମିଳିନଥିଲା। ମ୍ୟାଚ୍ ଆଗକୁ ବଢ଼ିବା ସହ ଅନୁସ୍ତୁପ ଓ ଶାହାବାଜ ଓଡ଼ିଶା ବୋଲରଙ୍କ ବିରୋଧରେ ମନଇଚ୍ଛା ଶଟ୍ ଖେଳିଥିଲେ। ଏହା ମଧ୍ୟରେ ଅନୁସ୍ତୁପ ଚଳିତ ସିଜନରେ ନିଜର ପ୍ରଥମ ଶତକ ପୂରଣ କରି ଘରୋଇ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ତାଙ୍କୁ ମଧ୍ୟ ଭରପୂର ସାଥ୍ ଦେଇଥିଲେ ଶାହାବାଜ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ୧୬୭ ରନ୍ ଯୋଡ଼ି ବେଙ୍ଗଲକୁ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos