ସଚିନ ଜିତିଲେ 'ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡ'

ବର୍ଲିନ୍‌: କ୍ରିକେଟ୍ ଭଗବାନ୍ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ବଡ଼ ପୁରସ୍କାର ନିଜ ନାଁରେ କରିଛନ୍ତି। ସଚିନଙ୍କୁ ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ନିଜ ହୋମ୍ ଗ୍ରାଉଣ୍ଡରେ ୨୦୧୧ ବିଶ୍ୱକପ୍ ଜିତିବା ପରେ ସଚିନ ତେନ୍ଦୁଲକରଙ୍କୁ ତାଙ୍କ ସାଥୀ ଖେଳାଳି କାନ୍ଧରେ ଉଠାଇଥିଲେ, ଯାହାକୁ ଗତ ୨୦ ବର୍ଷ ମଧ୍ୟରେ ‘ଲୌରିଅସ୍ ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ’ର ଆଖ୍ୟା ଦିଆଯାଇଛି। ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ସମର୍ଥନ ସହ ସଚିନଙ୍କୁ ବିଜେତା ହେବା ପାଇଁ ସର୍ବାଧିକ ଭୋଟ୍ […]

sachin

sachin

Ranjit Kumar Jena
  • Published: Tuesday, 18 February 2020
  • Updated: 18 February 2020, 05:17 PM IST

ବର୍ଲିନ୍‌: କ୍ରିକେଟ୍ ଭଗବାନ୍ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ବଡ଼ ପୁରସ୍କାର ନିଜ ନାଁରେ କରିଛନ୍ତି। ସଚିନଙ୍କୁ ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ନିଜ ହୋମ୍ ଗ୍ରାଉଣ୍ଡରେ ୨୦୧୧ ବିଶ୍ୱକପ୍ ଜିତିବା ପରେ ସଚିନ ତେନ୍ଦୁଲକରଙ୍କୁ ତାଙ୍କ ସାଥୀ ଖେଳାଳି କାନ୍ଧରେ ଉଠାଇଥିଲେ, ଯାହାକୁ ଗତ ୨୦ ବର୍ଷ ମଧ୍ୟରେ 'ଲୌରିଅସ୍ ସର୍ବଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ'ର ଆଖ୍ୟା ଦିଆଯାଇଛି। ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ସମର୍ଥନ ସହ ସଚିନଙ୍କୁ ବିଜେତା ହେବା ପାଇଁ ସର୍ବାଧିକ ଭୋଟ୍ ମିଳିଥିଲା।

ନିଜର ଷଷ୍ଠ ତଥା ଅନ୍ତିମ ବିଶ୍ୱକପ୍ ଖେଳୁଥିବା ସଚିନଙ୍କ ସ୍ୱପ୍ନ ସେତେବେଳେ ସାକାର ହୋଇଥିଲା, ଯେତେବେଳେ ମହେନ୍ଦ୍ର ସିଂ ଧୋନି ଶ୍ରୀଲଙ୍କାର ପେସ୍ ବୋଲର ନୁୱନ୍ କୁଲଶେକରାଙ୍କ ବଲରେ ଛକା ମାରି ଭାରତକୁ ବିଜେତା କରାଇଥିଲେ। ଏହି ଐତିହାସିକ ଛକା ପରେ ଭାରତୀୟ କ୍ରିକେଟରମାନେ ଷ୍ଟାଡିୟମ ଭିତରକୁ ଦୌଡ଼ି ଆସିଥିଲେ ଏବଂ ସଚିନଙ୍କୁ କାନ୍ଧରେ ଉଠାଇଥିଲେ ଏବଂ 'ଲ୍ୟାପ୍ ଅଫ୍ ଅନର୍‌' କରାଇଥିଲେ। ଏହି କ୍ଷଣ ପ୍ରଶଂସକଙ୍କ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା।


ସୋମବାର ବିଳମ୍ବିତ ରାତିରେ ବର୍ଲିନରେ ଆୟୋଜିତ ଭବ୍ୟ ପୁରସ୍କାର ସମାରୋହରେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭ୍ ୱ' ଲୌରିଅସ୍ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡ ୨୦୦୦-୨୦୨୦ର ବିଜେତାଙ୍କ ଘୋଷଣା କରିଥିଲେ। କିମ୍ବଦନ୍ତୀ ଟେନିସ୍ ଖେଳାଳି ବୋରିସ୍ ବେକର୍ ସଚିନଙ୍କୁ ଏହି ବିଜେତା ଟ୍ରଫି ହସ୍ତାନ୍ତର କରିଥିଲେ। ଏହି ପୁରସ୍କାର ମିଳିବା ପରେ ସଚିନ ଭାବବିହ୍ୱଳ ହୋଇପଡ଼ିଥିଲେ। ସଚିନ ଏହି ପୁରସ୍କାର ଦୌଡ଼ରେ ଥିବା ଚାରିଜଣଙ୍କୁ ପଛରେ ପକାଇଛନ୍ତି। ଲୌରିଅସର ଏହି ତାଲିକାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଦାବିଦାରଙ୍କୁ ସାମିଲ୍ କରାଯାଇଥିଲା, କିନ୍ତୁ ଭୋଟିଂ ପରେ ଏହା କେବଳ ପାଞ୍ଚକୁ ସୀମିତ ହୋଇଯାଇଥିଲା।

ପୁରସ୍କାର ଜିତିବା ପରେ ସଚିନ କହିଥିଲେ, "ଏହି କ୍ଷଣ ମୋ ପାଇଁ ଅବିଶ୍ୱସନୀୟ। ବିଶ୍ୱକପ୍ ଜିତିବାର ଭାବନାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଏହି ବିଜୟ କେବଳ ଭାରତୀୟ କ୍ରିକେଟର ନଥିଲା ବରଂ ପୂରା ଦେଶର ଥିଲା। ଏହି ବିଜୟରେ ପୂରା ଦେଶ ଉତ୍ସବ ମନାଉଥିଲା। ବୋରିସ୍ ବେକର ସଚିନଙ୍କୁ ସେହି କ୍ଷଣର ଅନୁଭୂତି କଥା ପଚରାରିଥିଲେ ଏବଂ ଜବାବରେ ସଚିନ କହିଥିଲେ, ୧୯୮୩ରେ ମୁଁ ଯେତେବେଳେ ୧୦ ବର୍ଷର ଥିଲି, ସେତେବେଳେ ମୋର ଏହି ଅଭିଯାନ ଆରମ୍ଭ ହୋଇଥିଲା। ୧୯୮୩ରେ ଭାରତ ପ୍ରଥମଥର ଲାଗି ବିଶ୍ୱକପ୍ ଟ୍ରଫି ଜିତିଥିଲା। ସେହି ସମୟରେ ମୁଁ ଏହାର ମହତ୍ତ୍ୱ ବୁଝିପାରିନଥିଲି ଏବଂ ସମସ୍ତଙ୍କ ଭଳି ମୁଁ ମଧ୍ୟ ବିଜୟର ଖୁସି ମନାଇବାରେ ମଜି ଯାଇଥିଲି। କିନ୍ତୁ ମୁଁ ଏତିକି ଜାଣିପାରିଥିଲି ଯେ ଦେଶ ପାଇଁ ନିଶ୍ଚିତ କିଛି ଗୋଟେ ବଡ଼ ଉପଲବ୍ଧି ହୋଇଛି। ଦିନେ ମୁଁ ଏହାର ଅନୁଭୂତ କରିବାକୁ ଚାହୁଁଥିଲି ଏବଂ ସେହିଠାରୁ ମୋର ଅଭିଯାନ ଆରମ୍ଭ ହୋଇଥିଲା।"


ସଚିନ ଆହୁରି କହିଥିଲେ, "ଏହି କ୍ଷଣ ମୋ ପାଇଁ ସବୁଠାରୁ ଗୌରବମୟ ଥିଲା। ଯେଉଁ ଟ୍ରଫି ପାଇଁ ମୁଁ ୨୨ ବର୍ଷ ଅପେକ୍ଷା କରିଥିଲି, ଶେଷରେ ତାକୁ ଧରିବାର ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। କିନ୍ତୁ ମୁଁ କେବେବି ଆଶା ଛାଡ଼ି ନଥିଲି। ମୁଁ କେବଳ ନିଜ ଦେଶବାସୀଙ୍କ ତରଫରୁ ସେହି ଟ୍ରଫିକୁ ଉଠାଇଥିଲି। କ୍ରିକେଟ୍ ଦୁନିଆରେ ସର୍ବାଧିକ ରନ୍ କରିଥିବା ୪୬ ବର୍ଷୀୟ ସଚିନ କହିଥିଲେ, ଲୌରିଅସ୍ ଟ୍ରଫି ଜିତିବା ମଧ୍ୟ ମୋ ପାଇଁ ବଡ଼ ସମ୍ମାନର କଥା।"

ଦକ୍ଷିଣ ଆଫ୍ରିକାର ମହାନ ନେତା ନେଲସନ୍ ମାଣ୍ଡେଲାଙ୍କ କଥାକୁ ମନେ ପକାଇ ସଚିନ କହିଥିଲେ, "ମୁଁ ଯେତେବେଳେ ୧୯ ବର୍ଷ ହୋଇଥିଲି, ସେତେବେଳେ ତାଙ୍କୁ (ନେଲସନ୍ ମାଣ୍ଡେଲା) ସାକ୍ଷାତ କରିଥିଲି। ସେ ଅନେକ ବାର୍ତ୍ତା ଦେଇଛନ୍ତି, କିନ୍ତୁ ଗୋଟିଏ କଥା ମୋ ମନ ଭିତରେ ଆଜି ଯାଏ ରହିଛି। ସେ କହିଥିଲେ ଯେ କ୍ରୀଡ଼ା ଏକମାତ୍ର ମାଧ୍ୟମ, ଯାହା ସମସ୍ତଙ୍କୁ ଏକଜୁଟ୍ କରିପାରିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos