ବଢୁଛି ତୃତୀୟ ଲହର ଆଶଙ୍କା, ରାଜ୍ୟର ଅଧା ଲୋକଙ୍କ ପାଖରେ ପହଞ୍ଚି ପାରିନି ଟିକା

ଭଞ୍ଜନଗରର/ ଆଠଗଡ଼/ ଆନନ୍ଦପୁର/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସଂକ୍ରମଣ ବଢ଼ିବା ସହ ଧିରେ ଧିରେ ବଢୁଛି ତୃତୀୟ ଲହର ଆଶଙ୍କା । ହେଲେ ଏଯାଏଁ ରାଜ୍ୟର ଅଧା ଲୋକଙ୍କ ପାଖରେ ବି ପହଞ୍ଚି ପାରିନି ଟିକା । ମାତ୍ର ୪୨.୫ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି ।  ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ତ ନ କହିବା ଭଲ। ମାତ୍ର ୧୩ ପ୍ରତିଶତ ହିଁ ଏଯାଏଁ ଡବଲ୍ ଡୋଜ୍ ନେଇଛନ୍ତି । ଯାହା ଏବେ […]

Vaccine

Vaccine

Tapas Behera
  • Published: Thursday, 05 August 2021
  • Updated: 05 August 2021, 08:03 PM IST

Sports

Latest News

ଭଞ୍ଜନଗରର/ ଆଠଗଡ଼/ ଆନନ୍ଦପୁର/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସଂକ୍ରମଣ ବଢ଼ିବା ସହ ଧିରେ ଧିରେ ବଢୁଛି ତୃତୀୟ ଲହର ଆଶଙ୍କା । ହେଲେ ଏଯାଏଁ ରାଜ୍ୟର ଅଧା ଲୋକଙ୍କ ପାଖରେ ବି ପହଞ୍ଚି ପାରିନି ଟିକା । ମାତ୍ର ୪୨.୫ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି ।  ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ତ ନ କହିବା ଭଲ। ମାତ୍ର ୧୩ ପ୍ରତିଶତ ହିଁ ଏଯାଏଁ ଡବଲ୍ ଡୋଜ୍ ନେଇଛନ୍ତି । ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି । ସ୍ୱାସ୍ଥ୍ୟ ବିଭାଗ କହୁଛି, ଓଡ଼ିଶାର ପାଖାପାଖି ୩ କୋଟି ୧୦ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା । ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର । ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟିକା ନେଲେଣି । ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି । ସେଥିପାଇଁ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯାଉଛି ।  ଫ୍ରଣ୍ଟଲାଇନ୍ ୱାର୍କରଙ୍କ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଚାଲିଛି ପ୍ରୟାସ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ତୃତୀୟ ଲହର ମୁକାବିଲା ଲାଗି ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯିବା ଉଚିତ । ଏଥିପାଇଁ ସରକାର ଗାଁ ଗଣ୍ଡାରେ ମୋବାଇଲ ଭ୍ୟାନ୍ ବା ଅନ୍ୟ ବିକଳ୍ପ ଆପଣେଇ ଟିକାକରଣ ତ୍ୱରାନ୍ୱିତ କରାନ୍ତୁ।

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ ଟିକାକରଣ କେନ୍ଦ୍ରରେ  ଲୋକଙ୍କୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଥିଲା  । ହେଲେ ୧୫ ଦିନ ହେଲା ଟିକାକରଣ କେନ୍ଦ୍ରକୁ ଆସୁନି କୋଭାକ୍ସିନ୍।  ଫଳରେ ଦ୍ୱିତୀୟ ଡୋଜ୍ ଅବଧି ହୋଇଥିଲେ ବି କୋଭାକ୍ସିନ୍ ନେଇଥିବା ଅନେକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି । ଆଉ ଦିନକ ତଳର ଏ ଚିତ୍ର ହେଉଛି ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଟିକାକରଣ କେନ୍ଦ୍ରର ।  ଏହି କେନ୍ଦ୍ରକୁ ଆସିଥିଲା ମାତ୍ର ୩ ଶହ ଡୋଜ୍ । ହେଲେ ଟିକା ନେବାକୁ ଭିଡ଼ ଜମାଇଥିଲେ ଢେର୍ ଅଧିକ। ଫଳରେ ଉପୁଜିଥିଲା ଧସ୍ତାଧସ୍ତି ପରିସ୍ଥିତି। ଆଠଗଡ଼ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଟିକା ନେବାକୁ ସକାଳୁ ଆସି ଲାଇନ୍ ଲଗାଇ ଅପେକ୍ଷା କରିଛନ୍ତି ଲୋକେ । ହେଲେ କର୍ମଚାରୀଙ୍କ ଅଭାବରୁ ବନ୍ଦ ରହୁଛି ଟିକାକରଣ । କେବଳ ସୋରଡ଼ା, ଆନନ୍ଦପୁର କିମ୍ବା ଆଠଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ସ୍ଥିତି ଦେଖିବାରକୁ ମିଳିଛି।

କେବଳ ଗ୍ରାମାଞ୍ଚଳରେ ଯେ ଟିକାକରଣ ଧିମେଇଛି ତାହା ନୁହେଁ, ଭୁବନେଶ୍ୱରକୁ ଛାଡ଼ିଦେଲେ ଅନ୍ୟ ମହାନଗରଗୁଡ଼ିକର ଅବସ୍ଥା ଶୋଚନୀୟ । କଟକ ମହାନଗରର ମାତ୍ର ୧୯ ଭାଗ ଲୋକ ଉଭୟ ଡୋଜ୍ ଟିକା ନେଇଥିବା ବେଳେ ବ୍ରହ୍ମପୁରର ୧୭%, ସମ୍ବଲପୁରର ୧୪% ଓ ରାଉରକେଲାର ମାତ୍ର ୧୨% ଲୋକେ ଦୁଇ ଡୋଜ୍ ଟିକା ପାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos