ରଜକୁ କାହିଁକି କୁହାଯାଏ ଝିଅଙ୍କ ପର୍ବ…

(ଓଡ଼ିଶା ରିପୋର୍ଟର): ଆସିଯାଇଛି ଓଡ଼ିଆ ଘରର ସବୁଠୁ ବଡ଼ ପର୍ବ ରଜ। ସମସ୍ତଙ୍କ ମନରେ ଏହାକୁ ନେଇ ନାହିଁ ନ ଥିବା ଉତ୍ସାହ। ଦୂରଦୂରାନ୍ତରେ ଥିବା ଲୋକେ ତଥା ବନ୍ଧୁବାନ୍ଧବ ଏବେ ଗାଁ ମୁହାଁ। ରଜ ୩ ଦିନ ଘରେ ଘରେ ପିଠାପଣା, ମିଠା, ଆମ୍ୱ, ପଣସର ମହ ମହ ବାସ୍ନା। ଝିଅ ବୋହୂମାନେ ନାଲି, ନୀଳ, ହଳଦୀ ଓ କାହିଁ କେତେ ରଙ୍ଗବେରଙ୍ଗ ବସ୍ତ୍ର ପିନ୍ଧି ଅଳତା, କୁଙ୍କୁମରେ ସଜେଇ ହୋଇ ଗାଁ ଦାଣ୍ଡରେ ଏକାଠି ହେଲେଣି।

ବାଡ଼ି ପଟର ଆମ୍ବ ତୋଟାରେ ଦୋଳି ଲାଗିଗଲାଣି। ଆଉ ଗାଁ ଝିଅମାନେ ଦୋଳିକୁ ଫୁଲରେ ସଜେଇବା ମଧ୍ୟ ଆରମ୍ଭ କରିଦେଲେଣି। ଖୁବ୍‌ ଶୀଘ୍ର ଆରମ୍ଭ ହୋଇଯିବ ଝିଅଙ୍କର ଦୋଳି ଖେଳ। ଆଉ ଆମ୍ବ ତୋଟା ଆଡ଼ୁ ଶୁଣାଯିବ ରଜ ଗୀତର ମଧୂର ସ୍ୱର। ଦାଣ୍ଡ ପିଣ୍ଡାରେ ଜମିବ ମାଉସୀଙ୍କ ଲୁଡୁ ଓ ତାସ ଖେଳ। ଆଉ ତା ସାଙ୍ଗକୁ ରଜର ସ୍ପେଶାଲ ମିଠା ଖିଲି ପାନ। ବିଶେଷ କରି ରଜକୁ ଝିଅ ବୋହୂଙ୍କ ପର୍ବ ହିଁ କୁହାଯାଏ। ଏହି ଅବସରରେ ରାଗଦ୍ୱେଷ ଭୁଲି ସମସ୍ତେ ପରସ୍ପରଙ୍କୁ ପିଠା, ମିଠା ଦିଆନିଆ କରିଥାନ୍ତି।

ରଜ ପର୍ବ କଣ- ଏହି ପର୍ବର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା ବା ରଜସ୍ୱଳା ହେବା। ଏହି ଦିନ ସାରା ରାଜ୍ୟବାସୀ ଧରିତ୍ରୀ ମା’ର ମାତୃତ୍ୱ କାମନା କରିଥାନ୍ତି। ଆଷାଢ଼ ମାସର ପ୍ରଥମ ବର୍ଷା ପରେ ପୃଥିବୀ ମାତା ରଜବତୀ ହୁଅନ୍ତି ବା ଉତ୍ପାଦନକ୍ଷମ ହୋଇ ଧରିତ୍ରୀକୁ ଶସ୍ୟଶ୍ୟାମଳା କରିଥାନ୍ତି। ସେଥିପାଇଁ ରଜ ତିନି ଦିନ ଭୂମି ଖନନ ଓ ଚାଷ କାମ ବନ୍ଦ ରହିଥାଏ ଓ ପ୍ରଜନନକ୍ଷମ ମାଆଙ୍କୁ ବିଶ୍ରାମ ଦିଆଯାଏ।

ଏହି ଦିନରେ ମାଟିରେ ଖାଲିପାଦରେ ଚାଲିବା ମନା। ପାଦରେ କଦଳି ପଟୁଆରେ ତିଆରି ଚପଲ ପିନ୍ଧି ଝିଅମାନେ ଚଲାବୁଲା କରିବାର ପରମ୍ପରା ରହିଛି। ରଜ ତିନି ଦିନ ପରେ ଚତୁର୍ଥ ଦିନ ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ କଳସରେ ଆମ୍ବଡାଳ ରଖି କ୍ଷୀରରେ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ତିନିଦିନ ରଜସ୍ୱଳା ହୋଇ ମାତା ଅସୁଦ୍ଧ ରହିବା ପରେ ଏହି ଦିନ ତାଙ୍କୁ ସ୍ନାନ କରାଯାଇ ଶୁଦ୍ଧ କରାଯାଏ।

ରଜକୁ କାହିଁକି ଝିଅଙ୍କ ପର୍ବ କୁହାଯାଏ ଜଣେ  ଝିଅ ଯେପରି ବାଲ୍ୟରୁ କୈଶୋର ଓ ଋତୁମତି ହୋଇ ଯୌବନ ଲାଭ କରିଥାଏ, ଠିକ୍‌ ସେମିତି ଆମ ମାଟି ମା’ ମଧ୍ୟ ଯୌବନ ଲାଭ କରି ସମଗ୍ର ଧରାକୁ ଶସ୍ୟଶ୍ୟାମଳା କରିଥାନ୍ତି। ତେଣୁ ମା’ ପରି ମାଟି ମଧ୍ୟ ପୂଜନୀୟ। ତେଣୁ ଏହାକୁ ଝିଅଙ୍କ ପର୍ବ ବୋଲି କୁହାଯାଏ। ଏହି ତିନିଦିନ ଝିଅ ବୋହୂମାନଙ୍କୁ କାମ କରିବା ମନା। ଧରଣୀ ମା’ ପରି ଝିଅବୋହୂମାନଙ୍କୁ ମଧ୍ୟ ଏହି ତିନିଦିନ ବିଶ୍ରାମ ଦିଆଯାଏ। ସମସ୍ତେ କେବଳ ପୋଡ଼ ପିଠା ଖାଇ, ରଜ ଦୋଳିରେ ଝୁଲି ରଜପାନର ମଜା ନେଇ ଖୁସି ମନାଇଥାନ୍ତି।