ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ପୁଣି ଚର୍ଚ୍ଚାରେ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ । ଜଣେ ୩ବର୍ଷର ଜ୍ୱର ଆକ୍ରାନ୍ତ ଝିଅକୁ ଭଲ କରିବାକୁ ଏଠି ଡାକ୍ତର ଲେଖିଛନ୍ତି ୫୩ ଓ ୫୫ବର୍ଷୀୟ ରୋଗୀଙ୍କ ପାଥୋଲୋଜି ରିପୋର୍ଟ ଅନୁସାରେ ଔଷଧ । ତେବେ ପରିବାର ଲୋକଙ୍କ ସାବଧାନତାରୁ ଝିଅଟି ତ ନିଶ୍ଚିତ ବିପଦରୁ ବଞ୍ଚିଯାଇଛି, ହେଲେ ସେ ଔଷଧ ଚିଠାକୁ ନେଇ ଚାଲିଛି ତନାଘନା ।
ପଦାରେ ପଡ଼ିଛି ଖାମଖିଆଲି ସ୍ୱାସ୍ଥ୍ୟ ସେବାର ପୁଣି ନଗ୍ନ ଚିତ୍ର। ୩ ବର୍ଷର ଝିଅକୁ ଦିଆଯାଇଛି ୫୫ ବର୍ଷୀୟ ରୋଗୀଙ୍କ ମେଡିସିନ୍। ପାଥୋଲୋଜି ରେଜିଷ୍ଟରରେ ଅଦଳବଦଳ ହୋଇ ଯାଇଛି ଟେଷ୍ଟ ରିପୋର୍ଟ । ଏମିତି ସାଂଘାତିକ ଅଭିଯୋଗକୁ ନେଇ ପୁଣି ଚର୍ଚ୍ଚାରେ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ । ଅଭିଯୋଗ ଅନୁସାରେ, ସ୍ଥାନୀୟ ଚିମନିଭାଟି ପଡ଼ାର ସଂକୀର୍ତ୍ତନ ବେହେରା, ୩ବର୍ଷର ଝିଅ ଅନିଷ୍କାର ଜ୍ୱର ଛାଡୁନଥିବାରୁ ଗତ ୧୫ ତାରିଖରେ ମେଡିକାଲ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସେଠି ରକ୍ତ ଓ ପରିସ୍ରା ପରୀକ୍ଷା କରାଇ ସଂକୀର୍ତ୍ତନ ବେହେରା ରିପୋର୍ଟ ନେଇ ଏମରଜେନ୍ସି ଆଉଟ୍ଡୋରରେ ଦେଖାଇଥିଲେ।
ତେବେ ଡାକ୍ତର ଲେଖିଥିବା ପ୍ରେସ୍ସ୍କ୍ରିପ୍ସନ୍ ଓ ଔଷଧ ଦେଖି ଘର ଲୋକଙ୍କ ସନ୍ଦେହ ହୋଇଥିଲା। କାରଣ ସେ ମେଡିସିନ୍ ତାଙ୍କ ଝିଅ ପାଇଁ ନୁହେଁ, ବରଂ ଜଣେ ୫୩ ବର୍ଷ ଓ ଜଣେ ୫୬ବର୍ଷର ରୋଗୀଙ୍କ ପାଥୋଲୋଜି ରିପୋର୍ଟ ଉପରେ ଲେଖା ଯାଇଥିଲା। ଏହା ଜାଣି ଝିଅକୁ ଆଉ ଔଷଧ ଦେଇନଥିଲେ ସଂକୀର୍ତ୍ତନ । ଯାହାଦ୍ୱାରା ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛି ଅନିଷ୍କା।
ଏଠି ପ୍ରଶ୍ନ କାହା ଭୁଲରୁ ୩ବର୍ଷର ଝିଅକୁ ଦିଆଗଲା ବୟସ୍କ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡିସିନ୍ ? ଡାକ୍ତର ନା ପାଥୋଲୋଜି ବିଭାଗ କିଏ ଦାୟୀ ? ଯଦି ଓ ମେଡିସିନ୍ ଖାଇ କୁନି ଝିଅଟିର କିଛି ହୋଇଥାନ୍ତା, ତା ହେଲେ ଦାୟୀ କିଏ ରହିଥାନ୍ତା । ଆଜି ଘଟଣାର ଖୋଳତାଡ଼ ପରେ ପାଥୋଲୋଜି ବିଭାଗ ତ୍ରୁଟି ତ ସ୍ୱୀକାର କରିଛି, ତେବେ ମେଡିକାଲ ଅଧୀକ୍ଷକ କିନ୍ତୁ ଘଟଣାକୁ ହାଲୁକା ଭାବେ ନେଇଥିବାବେଳେ ପ୍ରଶାସନିକ ଅଧିକାରୀ କହିଛନ୍ତି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।