ଭୁବନେଶ୍ୱର (ଓଡିଶା ରିପୋର୍ଟର): ବିଜେପିର ମିଶନ ୨୦୧୯। ଏହି ଦାୟିତ୍ୱରେ ରହିବେ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ୩ କେନ୍ଦ୍ରୀୟ ନେତା। ୨୧ଟି ଲୋକସଭାରେ ଗଡ଼ ମଜଭୁତ ହୋଇ ଯେପରି ପଦ୍ମ ଫୁଟିବ, ସେଥିଲାଗି ଏମାନେ ଉତ୍ତରଦାୟୀ ରହିବେ। ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀରେ ଦଳ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଏହାଛଡ଼ା ଖଣି ଦୁର୍ନୀତିରୁ ଶିକ୍ଷା, ସ୍ୱାସ୍ଥ୍ୟ ଅବ୍ୟବସ୍ଥା ପର୍ଯ୍ୟନ୍ତ ୧୨ଟି ରାଜନୈତିକ ପ୍ରସ୍ତାବ ଆଣି ରାଜ୍ୟ ସରକାରଙ୍କୁ ଜବାବ ମାଗିଛି ବିଜେପି।
ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ପ୍ରକାଶ ଜାଭେଡକର, ଅନିଲ ଜୈନ, ଅରୁଣ ସିଂ। ଏହି ୫ ନେତାମାନେ ହେବେ ଅମିତ ଶାହାଙ୍କ ମିଶନ ୨୦୧୯ର ରାଜ୍ୟ କମାଣ୍ଡର। ୨୧ ଟି ଲୋକସଭାକୁ ୫ ଭାଗରେ ବିଭକ୍ତ କରି ଏମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଅମିତ ଶାହା। ଫୋକସରେ ରହିବ ସଂଗଠନ ମଜବୁତ ସହ ଭୋଟ ପ୍ରତିଶତ ବୃଦ୍ଧି। ରାଷ୍ଟ୍ରୀୟ ସାଧାରଣ ସଂପାଦକ ଥିବା ଅନିଲ ଜୈନ ରହିବେ ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡିର ଦାୟିତ୍ୱରେ। ପ୍ରକାଶ ଜାଭେଡକର ସମ୍ଭାଳିବେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ଓ ନବରଙ୍ଗପୁର ଏବଂ ଧର୍ମେନ୍ଦ୍ରଙ୍କ ଭାଗରେ ରହିଛି ଯାଜପୁର, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ା। ଜୁଏଲ୍ ଓରାମଙ୍କୁ ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଓ ଆସ୍କା ଦାୟିତ୍ୱ ମିଳିଛି। ସେହିପରି ଅରୁଣ ସିଂ ରହିବେ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଲୋକସଭା ଆସନ ଦାୟିତ୍ୱରେ। ଆସନ ରାଜ୍ୟ କାର୍ଯ୍ୟକାରିଣୀରେ ବି ଏ ନେଇ ଦଳ କରିଛି ମାନସ ମନ୍ଥନ।
ଏପଟେ ପ୍ରଥମ ଥର ପାଇଁ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଡାକି ରାଜ୍ୟ କାର୍ଯ୍ୟକାରିଣୀରେ ବିଜେପି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ବିଜେପିର ହେଭିୱେଙ୍କ ସହ ଏଥିରେ ଯୋଗ ଦେଇଥିଲେ ୪ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରକାଶ ଜାଭେଡକର, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ସରକାରଙ୍କ ବିରୋଧରେ ଦଳ ଅଭିଯୋଗର ଲମ୍ବା ତାଲିକା ପ୍ରସ୍ତୁତ କରି ଆଣିଥିଲା ୧୨ ଟି ରାଜନୈତିକ ଚିଠା ପ୍ରସ୍ତାବ। ଏଥିରେ ଥିଲା, ଖଣିଦୁର୍ନୀତିରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଖଣିମାଲିକଙ୍କ ହାତବାରିସ ସାଜିଛନ୍ତି ସରକାର। ନବୀନଙ୍କ ମିଥ୍ୟା ସତ୍ୟପାଠ ଓ ବିଜେଡିର ଆକାଉଣ୍ଟ ଅନିୟମିତତା ମାମଲା, ସହରୀ ଗରିବଙ୍କ ପାଇଁ ସରକାରଙ୍କ ଅଧ୍ୟାଦେଶର ମନ୍ଦଉଦ୍ଦେଶ୍ୟ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରି ପ୍ରସଙ୍ଗ କାର୍ଯ୍ୟକାରିଣୀରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।