ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିଚାଳନାଗତ ତ୍ରୁଟି ଯୋଗୁଁ ଓଡ଼ିଶା ଖଣି ନିଗମ (ସିଏମ୍ସି) ପ୍ରାୟ ୧,୮୩୯ କୋଟି ଟଙ୍କାର ରାଜସ୍ୱ ହରାଇଛି। ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଉଦ୍ୟୋଗ ସଂପର୍କିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଓଏମସି ୨୦୧୨ ରୁ ୨୦୧୭ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୧୪ ଲକ୍ଷ ମେଟ୍ରିକ ଟନ୍ ଲୁହାପଥର କମ୍ ଉତ୍ପାଦନ କରିଥିଲା। ଖଣି ପଟ୍ଟାର ପରିଚାଳନା ସଠିକ ନଥିବା, ଭଡ଼ା ଓ ଜଗାରଖାରେ ୫୭.୨୬ କୋଟି ବେକାର ଖର୍ଚ୍ଚ ହୋଇଛି। ଯଥେଷ୍ଟ ଖଣିଜ ନଥିବା ୪ଟି ଖଣି ରଖି ଓଏମ୍ସି ୧୧୨ କୋଟି ଟଙ୍କା ଅଯଥା ଖର୍ଚ୍ଚ କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ସିଏମ୍ଜି ରିପୋର୍ଟରେ ମନରେଗା ଗଫଲତି ନେଇ ମଧ୍ୟ ତଥ୍ୟ ରହିଛି। ୩୧୧୪ କୋଟି ଟଙ୍କାର ମଜୁରି ପ୍ରଦାନରେ ବିଳମ୍ବ ହୋଇଥିବା ସିଏଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ୫୩ କୋଟି ୧୯ଲକ୍ଷ ଟଙ୍କାର କ୍ଷତିପୂରଣ ସ୍ଥାନରେ ମାତ୍ର ୧୫ ଲକ୍ଷ ଟଙ୍କା ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମର ଅନଧିକୃତ ନିର୍ମାଣ ଯୋଗୁଁ ୧ କୋଟି ୯୪ ଲକ୍ଷ ଅତିରିକ୍ତ ବ୍ୟୟ ହୋଇଛି। ଅନୁମୋଦିତ ନକ୍ସା ଅନୁସାରେ ନିର୍ମାଣ ନହେବାରୁ ୬୪ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ ହୋଇଛି। ଷ୍ଟୋର ପରିଚାଳନାରେ ଅବହେଳା ଯୋଗୁଁ ୩୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।