/odisha-reporter/media/post_attachments/uploads/2021/06/BANK-1.jpg)
BANK
ନୂଆଦିଲ୍ଲୀ: ଗତବର୍ଷ ପାଖରୁ କୋଭିଡରେ ଛଟପଟ ହେଉଛି ଭାରତ। ଲକଡାଉନ, ଶଟଡାଉନ ନିୟମ ଯୋଗୁଁ ଅନେକଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ହେଲେ ବ୍ୟାଙ୍କଗୁଡ଼ିକ କିନ୍ତୁ ଲାଭରେ ରହିଛନ୍ତି। ଦେଶରେ ଥିବା ବ୍ୟାଙ୍କଗୁଡ଼ିକ ୨୦୨୦ରେ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ୨୦୧୯ରେ ଲାଭ ହୋଇଥିଲା ମାତ୍ର ୫ ହଜାର କୋଟି ଟଙ୍କା। ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଛାଡ଼ିଦେଲେ ବାକି ସମସ୍ତ ବ୍ୟାଙ୍କ ୨୦୧୯ ତୁଳନାରେ ଅଧିକ ଲାଭ କରିଛନ୍ତି। ଏଚଡିଏଫସି ସର୍ବାଧିକ ଲାଭ କରିଥିବା ବେଳେ ଦ୍ୱିତୀୟରେ ରହିଛି ଏସବିଆଇ ଓ ତୃତୀୟରେ ଆଇସିଆଇସିଆଇ ବ୍ୟାଙ୍କ ରହିଛି।
୨୦୨୦ରେ ଏଚଡିଏଫସି ବ୍ୟାଙ୍କ ୩୧,୧୧୬ କୋଟି ଟଙ୍କା ଲାଭ କରିଛି। ଏହା ସବୁ ବ୍ୟାଙ୍କ ଅର୍ଜନ କରିଥିବା ଲାଭର ୩୦ ପ୍ରତିଶତ। ଯାହାକି ୨୦୧୯ ତୁଳନାରେ ୧୮ ପ୍ରତିଶତ ଅଧିକ। ସେହିପରି ଏସବିଆଇର ଲାଭ ପରିମାଣ ହେଉଛି ୨୦,୪୧୦ କୋଟି ଟଙ୍କା। ଏହା ବ୍ୟାଙ୍କଗୁଡ଼ିକର ମୋଟ ଲାଭର ୨୦ ପ୍ରତିଶତ। ଆଇସିଆଇସିଆଇ ୧୬,୧୯୨ କୋଟି ଲାଭ କରି ତୃତୀୟ ଲାଭବାନ ବ୍ୟାଙ୍କ ହୋଇଛି। ଏସବିଆଇ ଏବଂ ଆଇସିଆଇସିଆଇର ୨୦୧୯ ତୁଳନାରେ ଡବଲ ଲାଭବାନ ହୋଇଥିବା ଜଣାପଡ଼ିଛି।
ତେବେ ପବ୍ଲିକ ସେକ୍ଟର ବ୍ୟାଙ୍କ ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲୋନ୍ ଦେଇ କ୍ଷତି ଅଧିକ ହେବାରୁ ବିଭିନ୍ନ କଟକଣା ଲଗାଇଛନ୍ତି। ତେଣୁ ଅଧିକାଂଶ ଲୋନ୍ ନେବାକୁ ଘରୋଇ ବ୍ୟାଙ୍କକୁ ଅଧିକ ପସନ୍ଦ କରିଥିବାରୁ ଏହାର ଫାଇଦା ପାଇଛନ୍ତି ଘରୋଇ ବ୍ୟାଙ୍କ। ବିଗତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମିଶି ୨୦୨୦ରେ ପ୍ରଥମ ଥର ପାଇଁ ନେଟ୍ ଲାଭବାନ ହୋଇଛନ୍ତି। ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ଷତିରେ ରହିଥିବା ଜଣାପଡ଼ିଛି। ସେହିପରି ଘରୋଇ ବ୍ୟାଙ୍କ କ୍ଷେତ୍ରରେ ୟେସ୍ ବ୍ୟାଙ୍କର ସ୍ଥିତିରେ ମଧ୍ୟ ସୁଧାର ଆସିଛି। ଏହି ବ୍ୟାଙ୍କ ୨୦୧୯ ଶେଷ ବେଳେ ବିଭିନ୍ନ ଋଣ ଜାଲିଆତି ପାଇଁ ବୁଡ଼ିଯିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଆରବିଆଇର ହସ୍ତକ୍ଷେପ ପରେ ୨୦୨୦ରେ ଏହି ବ୍ୟାଙ୍କର କ୍ଷତିର ପରିମାଣ ୨୦୧୯ ତୁଳନାରେ ବହୁତ କମିଛି। ଯାହାକି ୟେସ୍ ବ୍ୟାଙ୍କ ପାଇଁ ସକାରାତ୍ମକ ରହିଛି। ୨୦୧୯ରେ ଏହି ୟେସ୍ ବ୍ୟାଙ୍କ ୩,୪୬୧ କୋଟି ଟଙ୍କା କ୍ଷତି ସହିଥିଲା।
ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ସ୍ଥିତିରେ ସୁଧାର ଆସିବାର ମୂଳ କାରଣ ହେଲା ବ୍ୟାଡ୍ ଲୋନରେ ସୁଧାର। ବ୍ୟାଡ ଲୋନ୍ ବଢ଼ିବା ପରେ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସ୍ଥିତି ଖରାପ ହୋଇଯାଇଥିଲା ୨୦୧୯ରେ। ଏହାପରେ ଆରବିଆଇ ହସ୍ତକ୍ଷେପ କରି ଲୋନର ପରିମାଣକୁ ବର୍ଗୀକରଣ କରି ଆଦାୟ କରିଥିଲେ। ମାର୍ଚ୍ଚ ୨୦୨୦ ସୁଦ୍ଧା ବ୍ୟାଙ୍କଗୁଡିକ ବ୍ୟାଡ ଲୋନ୍ ପ୍ରାୟତଃ ଶେଷ କରିଥିବା ସୂଚନା ରହିଛି। ଏହାପରେ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସୁଧାର ଆସିଥିଲା।
ସେହିପରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆରବିଆଇର ନିର୍ଦ୍ଦେଶ କ୍ରମେ ସୁଧ ହାରକୁ କୋଭିଡ୍ ବେଳେ ସ୍ଥିର ରଖାଯାଇଥିଲା। ଯାହାର ପ୍ରଭାବ ସରକାରୀ ବଣ୍ଡର ମୂଲ୍ୟ ବୃଦ୍ଧି ଘଟାଇଛି। ସୁଧ ହାରକୁ କମ୍ ରଖିବା ଦ୍ୱାରା ଆୟ କରିବାରେ କୌଣସି ଅସୁବିଧା ଉପୁଜିନଥିଲା। ଏହାଦ୍ୱାରା ଟ୍ରେଜେରୀରେ ରାଜସ୍ୱ ବଢ଼ିଛି।
କିନ୍ତୁ କୋଭିଡର ପ୍ରଭାବ ଯୋଗୁଁ ଏପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକର ‘ବାଲାନ୍ସ ସିଟ୍’ ପ୍ରତିଫଳିତ ହୋଇନାହିଁ। କାରଣ ଋଣ ନେଇ ଡିଫଲ୍ଟର ହୋଇଥିବା ଗ୍ରାହକଙ୍କୁ ଋଣ ପୈଠ କରିବାକୁ ସମୟ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
