Advertisment

ରେପୋ ରେଟ ବୃଦ୍ଧି କଲା ଆରବିଆଇ, ବଢ଼ିବ ଇଏମଆଇ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସୁଧହାର ବା ରେପୋ ରେଟ୍‌କୁ ବୃଦ୍ଧି କରିଛି। ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ରେପୋ ରେଟ ୪.୯%ରେ ପହଞ୍ଚି ଯାଇଛି। ଏହାର ଅର୍ଥ ଏବେ ସାଧାରଣ ଲୋକଙ୍କୁ ସେମାନଙ୍କ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡ଼ିବ। ଏହାବାଦ ଆରବିଆଇ ଚଳିତ […]

author-image
Hemant Lenka
ରେପୋ ରେଟ ବୃଦ୍ଧି କଲା ଆରବିଆଇ, ବଢ଼ିବ ଇଏମଆଇ

RBI

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସୁଧହାର ବା ରେପୋ ରେଟ୍‌କୁ ବୃଦ୍ଧି କରିଛି। ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ରେପୋ ରେଟ ୪.୯%ରେ ପହଞ୍ଚି ଯାଇଛି।

Advertisment

ଏହାର ଅର୍ଥ ଏବେ ସାଧାରଣ ଲୋକଙ୍କୁ ସେମାନଙ୍କ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡ଼ିବ। ଏହାବାଦ ଆରବିଆଇ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୭% ରହିବ ବୋଲି ଆକଳନ କରିଛି। ସାଧାରଣତଃ ମୁଦ୍ରାସ୍ଫୀତି ୨ରୁ ୬% ମଧ୍ୟରେ ରହିବା ଅର୍ଥନୀତି ପାଇଁ ଭଲ ଖବର। ହେଲେ ଏହା ୬.୭% ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି ଅର୍ଥନୀତିକ ବିଶାରଦମାନେ ମତ ଦେଇଛନ୍ତି।

ଆରବିଆଇର ମୁଦ୍ରା ନୀତି କମିଟିର ସମସ୍ତ ୬ ଜଣ ସଦସ୍ୟ ରେପୋ ରେଟ୍ ବୃଦ୍ଧି କରିବା ସପକ୍ଷରେ ମତ ରଖିଥିଲେ। ଏହି କମିଟିର ମୁଖ୍ୟ ହେଉଛନ୍ତି ନିଜେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମୁଦ୍ରା ନୀତି ବୈଠକରେ ଦେଶର ଅର୍ଥନୀତି ଉପରେ ଆଲୋଚନା ହୋଇଥିଲା। ଏହାପରେ ରେପୋ ରେଟ୍‌କୁ ୪.୯%କୁ ବୃଦ୍ଧି କରାଯାଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଯଦି ଆଗକୁ ବିଶ୍ୱ ବଜାରରେ ମାନ୍ଦାବସ୍ଥା ଲାଗି ରହିବ, ତା’ହେଲେ ଆରବିଆଇ ତା’ର ଅଗଷ୍ଟ ବୈଠକରେ ମଧ୍ୟ ରେପୋ ରେଟକୁ ଆହୁରି ବୃଦ୍ଧି କରିବ ବୋଲି କୁହାଯାଉଛି। କିନ୍ତୁ ପୂର୍ବଭଳି ରିଭର୍ସ ରେପୋ ରେଟ ଅପରିବର୍ତ୍ତିତ ରହିଛି। ଗତ ମାସରେ ମୁଦ୍ରା ନୀତି କମିଟି ରେପୋ ରେଟ୍‌କୁ ୪୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା।

Advertisment

ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ରେକର୍ଡ ଭାଙ୍ଗି ୭.୭୯% ରହିଥିବା ମୁଦ୍ରା ନୀତି ବୈଠକରେ ଆଲୋଚନା ହୋଇଛି। ଏଥିରେ ସୁଧାର ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବୈଠକରେ ମତ ପ୍ରକାଶ ପାଇଥିଲା। ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶର ମୁଦ୍ରାସ୍ଫୀତି ୫.୭% ରହିବ ବୋଲି ଆରବିଆଇ ଏପ୍ରିଲ ମାସରେ ଆକଳନ କରିଥିଲା। ହେଲେ ଏବେ ମୁଦ୍ରାସ୍ଫୀତି ୬.୭% ରହିବ ବୋଲି ପୂର୍ବାନୁମାନ କରିଛି।

ଶ୍ରୀ ଦାସ କହିଛନ୍ତି, ମୁଦ୍ରାସ୍ଫୀତିର ରିସ୍କ ଏବେ ବି ଜାରି ରହିଛି। ଟମାଟୋ ଓ ଅଶୋଧିତ ତୈଳର ହଠାତ୍‌ ମୂଲ୍ୟବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ କ୍ୱାର୍ଟରରେ ମୁଦ୍ରାସ୍ଫୀତି ୬% ଉପରେ ରହିବ। ତେବେ ଆରବିଆଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଦେଶର ଅଭିବୃଦ୍ଧି ହାର ପୂର୍ବଭଳି ୭.୨% ରହିବ ବୋଲି ଆରବିଆଇ ଆକଳନ କରିଛି।

ସୂଚନାଯୋଗ୍ୟ, ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।

ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।

ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ। କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।