କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ ଡାକ୍ତର ଦମ୍ପତିଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଚଢାଉ କରି ୩ କୋଟି ୫୮ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି। ଡାକ୍ତର ଦମ୍ପତି ହେଲେ ଡାକ୍ତର ସୁରେନ୍ଦ୍ର ସେନାପତି ଓ ଡାକ୍ତର ଦୀପ୍ତି ସାମନ୍ତ। ଉଭୟ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରେ କାର୍ଯ୍ୟରତ ଅଛନ୍ତି।
ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁସାରେ ଡାକ୍ତର ଦମ୍ପତିଙ୍କର କଟକ, ଭୁବନେଶ୍ୱର ଓ ପୁଣେରେ ୧୨ଟି ଫ୍ଲାଟ ରହିଛି। ଚଢାଉ ବେଳେ ତାଙ୍କ ଘରୁ ୧୨୫୦ ଗ୍ରାମ ସୁନା ଓ ହୀରା ଅଳଙ୍କାର, ନଗଦ ୧୪ ଲକ୍ଷ ୪୨ ହଜାର ଟଙ୍କା ଜବତ କରାଯାଇଛି। ୩୪ ଲକ୍ଷ ୫୧ ହଜାର ଟଙ୍କାର ବ୍ୟାଙ୍କ ଜମା, ୯ ଲକ୍ଷ ୮୦ ହଜାର ଟଙ୍କାର ଫିକ୍ସ ଡିପୋଜିଟ୍, ୨୩ ଲକ୍ଷ ୫୯ ହଜାର ଟଙ୍କା ସେୟାର ବଣ୍ଡ ଜବତ କରାଯାଇଛି।
ଅଧିକ ମୂଲ୍ୟରେ ଔଷଧ କିଣିବା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏହାଛଡ଼ା ଏକ ଫାର୍ମା କମ୍ପାନୀ ଓ ଔଷଧ ଦୋକାନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।