ଝାରସୁଗୁଡ଼ା: ଝାରସୁଗୁଡ଼ା ସବଜେଲରେ ଆମରଣ ଅନଶନ ଚଳାଇଥିବା ଜଣେ ବିଚାରଧୀନ କଏଦୀଙ୍କ ସମ୍ପର୍କୀୟ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ବିଚାରଧୀନ କଏଦୀଙ୍କ ପତ୍ନୀ ଓ ୫ ଜଣଙ୍କୁ ଗିରଫ କରିଛି। ଏହାସହ ଅଭିଯୁକ୍ତମାନେ ଆସିଥିବା ଗୋଟିଏ କାର୍ ଓ ୨ଟି ବାଇକକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ମୁତାବକ, ଝାରସୁଗୁଡ଼ା ସବଜେଲରେ ରହିଥିବା ବିଚାରଧୀନ କଏଦୀ ସୋନୁ ଘୋଷ ଗତ ୨୫ ତାରିଖରୁ ଜେଲ ଭିତରେ ଆମରଣ ଅନଶନ କରୁଛି। ଏହାସହ ସୋନୁ ଜେଲରେ ବିଭିନ୍ନ ବେନିୟମ କାର୍ଯ୍ୟକଳାପରେ ଲିପ୍ତ ରହୁଛି। ବାରଣ କରାଗଲେ ସେ ଜେଲ ଭିତରେ ଅଶାନ୍ତି ସୃଷ୍ଟି କରୁଥିବା ଜେଲ୍ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଆଜି ସକାଳେ ସୋନୁର ପତ୍ନୀ ଓ ୨୦ ଜଣ ସାଥୀ ଏକ କାର୍ ଓ ୨ଟି ବାଇକରେ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। ଏହି ସମୟରେ ସେମାନେ ଜେଲ ବାହାରେ ଆତଙ୍କରାଜ ଚଳାଇବା ସହ ଗଣ୍ଡଗୋଳ କରିଥିଲେ। ଜାଲ କର୍ମଚାରୀଙ୍କୁ ସେମାନେ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ଏ ନେଇ ଜେଲ ଅଧ୍ୟକ୍ଷ ଏସପିଙ୍କୁ ଜଣାଇଥିଲେ। ଖବର ପାଇ ଟାଇନ ଥାନା ଆଇଆଇସି ପୋଲିସ ଫୋର୍ସ ସହ ଜେଲ ସମ୍ମୁଖରେ ପହଞ୍ଚିବା ପରେ ସମସ୍ତେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ସୋନୁର ପତ୍ନୀ ଓ ୫ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।