କଟକ: ପୋଲିସ୍ ହେପାଜତରୁ ପୁଣି ଫେରାର ପାଟୁ

କଟକ: ପୋଲିସ୍ ହେପାଜତରୁ ଶନିବାର ପୁଣି ଫେରାର୍‌ ହୋଇଯାଇଛି ସାଜନ ଖାନ୍ ଓରଫ୍ ପାଟୁ। ତିନି ଦିନ ତଳେ ଭୁବନେଶ୍ୱରର ଘାଟିକିଆରୁ ଗିରଫ ପାଟୁ ୫ଜଣ ପୋଲିସ୍ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର୍‌ ହୋଇଯାଇଛି। ପୋଲିସ୍‌ ଏନକାଉଣ୍ଟରରେ ଆହତ ପାଟୁକୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଥିଲା। ଆଜି ତାକୁ ସର୍ଜରୀ ୱାର୍ଡରୁ ଅସ୍ଥିଶଲ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସେ ଫେରାର୍‌ ହୋଇଯାଇଥିଲା। ସେ ଫେରାର ହୋଇଯିବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ତୁରନ୍ତ ପୋଲିସ୍‌କୁ ସୂଚନା […]

pata

Rakesh Mallick
  • Published: Saturday, 05 March 2016
  • , Updated: 05 March 2016, 04:20 PM IST

କଟକ: ପୋଲିସ୍ ହେପାଜତରୁ ଶନିବାର ପୁଣି ଫେରାର୍‌ ହୋଇଯାଇଛି ସାଜନ ଖାନ୍ ଓରଫ୍ ପାଟୁ। ତିନି ଦିନ ତଳେ ଭୁବନେଶ୍ୱରର ଘାଟିକିଆରୁ ଗିରଫ ପାଟୁ ୫ଜଣ ପୋଲିସ୍ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର୍‌ ହୋଇଯାଇଛି।

ପୋଲିସ୍‌ ଏନକାଉଣ୍ଟରରେ ଆହତ ପାଟୁକୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଥିଲା। ଆଜି ତାକୁ ସର୍ଜରୀ ୱାର୍ଡରୁ ଅସ୍ଥିଶଲ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସେ ଫେରାର୍‌ ହୋଇଯାଇଥିଲା। ସେ ଫେରାର ହୋଇଯିବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ତୁରନ୍ତ ପୋଲିସ୍‌କୁ ସୂଚନା ଦେଇଥିଲେ।

ପାଟୁକୁ ଧରିବା ପାଇଁ କମିଶନରେଟ ପୋଲିସ୍ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି।

ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଛନ୍ତି,“କେଉଁ ପରିସ୍ଥିତିରେ ପାଟୁ ଫେରାର୍‌ ହୋଇଗଲା ତା’ର ତଦନ୍ତ କରାଯିବ। ଭୁବନେଶ୍ୱର ଡିସିପି ଏହାର ତଦନ୍ତ କରିବେ। ପାଟୁକୁ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ମାର୍ଚ୍ଚ ୨ ତାରିଖ ରାତିରେ ପାଟୁ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଥିବା ଜାଣି ପୋଲିସ୍ ସର୍ଚ୍ଚ ଅପରେସନ କରିଥିଲା। ପୋଲିସକୁ ଦେଖି ସେ ପ୍ରଥମେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ୍ ଦୁଇ ରାଉଣ୍ଡ୍ ପାଲଟା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ତା’ ଗୋଡ଼ରେ ବାଜିଥିଲା। ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍ପପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

ଗତବର୍ଷ ବି ସମାନ ଢଙ୍ଗରେ ଫେରାର ହୋଇଯାଇଥିଲା ପାଟୁ। ଭୁବନେଶ୍ୱର ଭୀମଟାଙ୍ଗି ଡକାୟତି ବେଳେ ଫାୟାରିଂ କରିଥିବା ଅଭିଯୋଗରେ ପୋଲିସ୍ ପାଟୁକୁ ଗିରଫ କରିଥିଲା। ଗିରଫ ପରେ ତାକୁ ଝାରପଡ଼ା ଜେଲରେ ରଖାଯାଇଥିଲା। ତେବେ ଅସୁସ୍ଥ ହୋଇପଡ଼ିବାରୁ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ଚିକିତ୍ସା ଚାଲିଥିବା ବେଳେ ସେ ଫେରାର ହୋଇଯାଇଥିଲା। ସେବେଠାରୁ ପୋଲିସ୍ ତାକୁ ଖୋଜୁଥିଲା ବେଳେ ବୁଧବାର ଧରା ପଡ଼ିଥିଲା। କମିଶନରେଟ୍ ପୋଲିସ୍‌ର ବିଭିନ୍ନ ଥାନା ସମେତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଥାନାରେ ତା’ ନାଁରେ ଏକାଧିକ ମାମଲା ରହିଛି। ବିଶେଷ କରି ଛିନତାଇ ଓ ଲୁଟ୍‌ପାଟ୍ କରିବା ମାମଲା ରହିଛି। ଫେରାର ହେବା ପରେ ସେ ପୋଲିସ୍‌ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା।

Related story