ସୁନ୍ଦରଗଡ଼: ଅଣଓଡ଼ିଆ ବ୍ୟବସାୟୀଙ୍କୁ ଅପହରଣ

ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ପ୍ରତୀକ ପାଟୋଡିଆ ନାମକ କୋଲକାତାର ଜଣେ ଅଣ ଓଡ଼ିଆ ବ୍ୟବସାୟୀଙ୍କୁ ଆଜି ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। କିରେଇରେ ପ୍ରତୀକଙ୍କ ସୂତାକଳ ରହିଛି। ରାସ୍ତାକଡ଼ରେ ଅପହରଣ ହୋଇଥିବା ପ୍ରତୀକଙ୍କ କାର ସହ ଚଷମା ପଡ଼ିଥିବା ଦେଖିବାକୁ ମିଳିଛି।

ଝାରସୁଗୁଡ଼ାରୁ କିରେଇ ଆସୁଥିବା ବେଳେ ବେହେରାମାଲ ନିକଟରେ ଦୁର୍ବୃତ୍ତମାନେ ପ୍ରତୀକଙ୍କୁ ଅପହରଣ  କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ପ୍ରତୀକଙ୍କ ଗାଡ଼ି ଡ୍ରାଇଭରକୁ ମଧ୍ୟ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। କିରେଇ ସୂତାକଳର କର୍ମଚାରୀମାନେ ଏ ନେଇ ଥାନାରେ ଏତଲା ଦେଇଛନ୍ତି।

ଛତିଶଗଡ଼ ଓ ଝାରଖଣ୍ଡ ସୀମାକୁ ପୋଲିସ ସିଲ୍‌ କରି ଯାଞ୍ଚ ଚଲାଇଛି। ରାଉରକେଲା ପୋଲିସକୁ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି।