Advertisment

ଗିରଫ ଆଇଆଇସି ସୁଶାନ୍ତଙ୍କ ସହ କେଉଁ ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ରହିଛି ମଧୁର ସମ୍ପର୍କ: ବିଜେପି

ଗିରଫ ପୁଲିସ ଆଇଆଇସି ସୁଶାନ୍ତ ଶତପଥୀଙ୍କ ସହ ବିଜେଡିର କେଉଁ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପର୍କ ରହିଛି। ଭିଜିଲାନ୍ସ ଜବତ କରିଥିବା ନଗଦ ୩୭ଲକ୍ଷ ଟଙ୍କା ସୁଶାନ୍ତ ଆଣିଲେ କେଉଁଠୁ?

IIC Sushant

IIC Sushant

Advertisment

ଗିରଫ ପୁଲିସ ଆଇଆଇସି ସୁଶାନ୍ତ ଶତପଥୀଙ୍କ ସହ ବିଜେଡିର କେଉଁ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପର୍କ ରହିଛି। ଭିଜିଲାନ୍ସ ଜବତ କରିଥିବା ନଗଦ ୩୭ଲକ୍ଷ ଟଙ୍କା ସୁଶାନ୍ତ ଆଣିଲେ କେଉଁଠୁ? ଗଞ୍ଜେଇ ଚୋରାଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡ଼ର ଜଣେ ବିଧାୟକଙ୍କର ସମ୍ପୃକ୍ତି ରହିଛି କି ନାହିଁ? କାହା ସୁପାରିଶରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ଡ୍ୟୁଟି କରୁଥିଲେ? ୩ଜଣ ପୁଲିସ ଏସପିଙ୍କ ନକରାତ୍ମକ ରିପୋର୍ଟ ସତ୍ତ୍ୱେ ତାଙ୍କୁ କିଭଳି ପଦୋନ୍ନତି ମିଳିଲା? ବିଜେଡି ସାଂସଦଙ୍କ ଅଭିନୀତ ଏକ ଓଡ଼ିଆ ଫିଲ୍ମରେ ସୁଶାନ୍ତ ଅଭିନୟ କରିବା ସହ ଅର୍ଥ ବିନିଯୋଗ କରିଛନ୍ତି କି ନାହିଁ ?
ଏଭଳି ପୁଳାପୁଳା ପ୍ରଶ୍ନ ପଚାରି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛି ରାଜ୍ୟ ବିଜେପି । ପୁଲିସ ଆଇଆଇସି ସୁଶାନ୍ତ ଶତପଥୀଙ୍କଠୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ‘ନବୀନ ଓଡ଼ିଶା’ରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି ବୋଲି ବିଜେପି କହିଛି ।
ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କଳାଟଙ୍କା ରଖିବା ଅଭିଯୋଗରେ ଗିରଫ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ବିଜେଡି ଲିଙ୍କ୍ ରହିଛି । କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡ଼ ଜିଲ୍ଲାର ଜଣେ ବିଧାୟକ ବିଭିନ୍ନ ସମୟରେ ସୁଶାନ୍ତଙ୍କ ମୁଣ୍ଡରେ ଆଶୀର୍ବାଦ ରଖିଥିବାରୁ ସେ ଏଭଳି କଳାଟଙ୍କାର ମାଲିକ ହୋଇପାରିଛନ୍ତି । ନବୀନ ନିବାସରେ ଯାହିତାହି ଲୋକଙ୍କୁ ନିଯୁକ୍ତି ମିଳେନି । ସୁଶାନ୍ତଙ୍କୁ ନବୀନ ନିବାସରେ ନିଯୁକ୍ତି ପାଇଁ କେଉଁ ପ୍ରଭାବଶାଳୀ ବ୍ୟକ୍ତି ସୁପାରିଶ କରିଥିଲେ । ସୁଶାନ୍ତଙ୍କର ଗଞ୍ଜେଇ ଚୋରାଚାଲାଣ ମାମଲାରେ ଲିଙ୍କ୍ ଜଣାପଡ଼ିଛି । ଭିଜିଲାନ୍ସ ବି ଗଞ୍ଜେଇ ଚୋରାଚାଲାଣ ଦିଗର ତଦନ୍ତ କରୁଛି ବୋଲି କହିଛି । ପୂର୍ବରୁ ଜବ୍ ସ୍କାମରେ ଗିରଫ ବିରଂଚି ସାହୁଙ୍କ ସହ ସୁଶାନ୍ତଙ୍କ ଘନିଷ୍ଠ ସମ୍ପର୍କ ଥିବା କଥା ଏବେ ପଦାକୁ ଆସିଛି । ସୁଶାନ୍ତ ନିଜେ ଗୋଟିଏ ଓଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିଜର କଳାଟଙ୍କା ମଧ୍ୟ ସେଥିରେ ନିବେଶ କରିଥିବା ଅଭିଯୋଗ ହେଉଛି । ଏହି ଫିଲ୍ମରେ ବିଜେଡିର ଜଣେ ସାଂସଦ ଅଭିନୟ ମଧ୍ୟ କରିଛନ୍ତି ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସୁଶାନ୍ତଙ୍କ ବିରୁଦ୍ଧରେ ୩ଜଣ ଜିଲ୍ଲା ଏସପି ନକରାତ୍ମକ ରିପୋର୍ଟ ଦେଇଥିଲେ ମଧ୍ୟ ତାଙ୍କୁ କାହା ଚାପରେ ପଦୋନ୍ନତି ମିଳିଲା ବୋଲି ବିଜେପି ପ୍ରଶ୍ନ କରିଛି । ଜଗତସିଂହପୁର ଓ କଟକ ଜିଲ୍ଲା ଏସପି ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ଼ା ଏସପି ତାଙ୍କୁ ୨୦୨୦ ମସିହାରେ ନିଲମ୍ବନ କରିଥିଲେ । ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ନେଇଥିଲେ । କିନ୍ତୁ ଏସବୁ ଥାଇ ମଧ୍ୟ ପ୍ରଭାବଶାଳୀଙ୍କ ଚାପରେ ସେ ଚାକିରିରେ ପଦୋନ୍ନତି ପାଇବାରେ ସକ୍ଷମ ହୋଇଥିଲେ ବୋଲି ବିଜେପି ପ୍ରଶ୍ନ କରିଛି । ସୁଶାନ୍ତଙ୍କ ଗିରଫ ପରେ ବୈପାରିଗୁଡ଼ାରେ ସରଳ ଆଦିବାସୀ ଲୋକମାନେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । ଏଥିରୁ ବୁଝାପଡୁଛି ଯେ, ଓଡ଼ିଶା ପୋଲିସ ଆଜି କେତେ ଜନ ବିରୋଧୀ ହୋଇପଡ଼ିିଛି ।
ଶ୍ରୀ ବିଶ୍ୱାଳ ଆହୁରି ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ସରକାରୀସ୍ତରରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ଦୁର୍ନୀତି ଏବେ ଏତେ ଖୁଲମଖୁଲା ହେଉଛି ଯେ ଗିରଫ ହୋଇଥିବା ସୁଶାନ୍ତ ତାଙ୍କ କଳା ଟଙ୍କାକୁ ବସରେ ଖୁଲମଖୁଲା ଆଣିକି ଆସିବାର ସାହାସ କରିପାରିଥିଲେ । ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ । ଓଡ଼ିଶାରେ
ଯେଉଁଠି ଦୁର୍ନୀତି ଗନ୍ଧ ଆସୁଛି ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲିଙ୍କ ଆସୁଛି । ଓଡ଼ିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରାପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ କେମିତି ରହୁଛି ? ଆଗରୁ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ ଘଟଣାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା । ତେଣୁ ସୁଶାନ୍ତଙ୍କ ପଛରେ କାହାର ପ୍ରଛନ୍ନ ଆଶୀର୍ବାଦ ଥିଲା ତାହା ଓଡ଼ିଶାବାସୀ ଜାଣିବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
କଂଗ୍ରେସ ବି ଅନୁରୂପ ଭାବେ ସୁଶାନ୍ତଙ୍କ ସହ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛି । ଏହାସହିତ ଚୋରା ଗଞ୍ଜେଇ ଚାଲାଣରେ ସୁଶାନ୍ତଙ୍କ ସମ୍ପୃକ୍ତି ଓ ଭୂମିକାକୁ ନେଇ ମଧ୍ୟ ଅଭିଯୋଗ କରିଛି ।

Advertisment
Odisha Police Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe