/odisha-reporter/media/post_attachments/uploads/2021/08/IIT-DELHI.jpg)
IIT-DELHI
ନୂଆଦିଲ୍ଲୀ: ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ସମାଜର ପ୍ରମୁଖ ସ୍ରୋତରେ ସାମିଲ କରିବାକୁ ହେଲେ ଶିକ୍ଷା ହେଉଛି ଅମୋଘ ଅସ୍ତ୍ର। ଅଧିକାଂଶ ସମୟରେ ସରକାରୀ ଶିକ୍ଷାନୁଷ୍ଠାନରେ ଏପରି ବର୍ଗର ଛାତ୍ରଛାତ୍ରୀଙ୍କୁ ମୋଟ୍ ସିଟର ସିଂହଭାଗ ସିଟ୍ ସଂରକ୍ଷିତ ରଖିବା ପାଇଁ ଦାବି ହୁଏ। ସଡ଼କ ପାଖରୁ ସଂସଦ ପର୍ଯ୍ୟନ୍ତ ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇଛି। ହେଲେ ଏହି ବର୍ଗର ପିଲାମାନେ ଅଧିକାଂଶ ଏବେ ଡ୍ରପଆଉଟ ହେଉଛନ୍ତି। ରାଜ୍ୟସଭାରେ କେରଳର ସାଂସଦ ଭି ଶିବଦାସାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେଇଛନ୍ତି। ଯେଉଁଥିରୁ ଏପରି ନିରୁତ୍ସାହିତଜନକ ଫଳାଫଳ ସାମ୍ନାକୁ ଆସିଛି।
ରାଜ୍ୟସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ୫ ବର୍ଷରେ ସାରା ଦେଶରେ ଥିବା ୭ଟି ଆଇଆଇଟି ଶିକ୍ଷାନୁଷ୍ଠାନରୁ ଅଧାରେ ପାଠ ଛାଡ଼ିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୬୩ ପ୍ରତିଶତ ସଂରକ୍ଷିତ ଶ୍ରେଣୀର। ଯେଉଁଥିରେ ୪୦ ପ୍ରତିଶତ ଅନୁସୂଚିତ ଜାତି ଏବଂ ଜନଜାତି ସମୁଦାୟର ରହିଛନ୍ତି। ଏହିଭଳି ସଂସ୍ଥାରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ଉପରେ ୭୨ ପ୍ରତିଶତ ସଂରକ୍ଷଣ ରହିଛି। ଏସସି, ଏସଟି ଓ ଓବିସି ବର୍ଗ ପରି ସେନା, ଭିନ୍ନକ୍ଷମ ଓ ବିଦେଶ କୋଟା ପାଇଁ ମଧ୍ୟ ସଂରକ୍ଷଣ ରହିଛି।
ଆଇଆଇଟିରେ ମୋଟ୍ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ଶ୍ରେଣୀଙ୍କ ପାଇଁ ରହିଛି। ଯେଉଁଥିରୁ ୨୩ ପ୍ରତିଶତ ଏସସି, ଏସଟି ସମୁଦାୟ ପାଇଁ ରହିଛି। ଦଳିତ ଏବଂ ଆଦିବାସୀ ନେତାମାନେ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷିତ ବର୍ଗର ବିଦ୍ୟାର୍ଥୀମାନେ ଭେଦଭାବର ଶିକାର ହୁଅନ୍ତି ବୋଲି ଦାବି କରନ୍ତି। ତେଣେ ରାଜ୍ୟସଭାରେ ମନ୍ତ୍ରୀ ଡ୍ରପ ଆଉଟ୍ ବିଦ୍ୟାର୍ଥୀଙ୍କ ପରିସଂଖ୍ୟାନ ଯାହା ଦେଇଛନ୍ତି ତାହା ଚିନ୍ତାଜନକ।
ତେବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାକୁ ଅବଗତ କରାଇଛନ୍ତି ଯେ ଛାତ୍ରଛାତ୍ରୀମାନେ ଏହି ଅନୁଷ୍ଠାନ ଛାଡ଼ିବାର ମୁଖ୍ୟ କାରଣ ହେଉଛି ଛାତ୍ରଛାତ୍ରୀଙ୍କ ମନ ପସନ୍ଦର ବିଭାଗ କିମ୍ବା ଅନୁଷ୍ଠାନ ସେମାନଙ୍କୁ ନମିଳିବା। ଅନେକ ଥର ବିଦ୍ୟାର୍ଥୀମାନେ ସେମାନଙ୍କର ବ୍ୟକ୍ତିଗତ କାରଣରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ ନକରି ଅଧାରୁ ଛାଡ଼ିଯାଆନ୍ତି। ହେଲେ ଏହାକୁ ରୋକିବାକୁ ଯାଇ ସରକାର କି ପଦକ୍ଷେପ ନେଇଛନ୍ତି ପ୍ରଶ୍ନର ଉତ୍ତର ଦେଇ ଧର୍ମେନ୍ଦ୍ର କହିଛନ୍ତି, ଆମେ ସମସ୍ତ ବଡ଼ ଅନୁଷ୍ଠାନର ପାଠ ପଢ଼ିବା ପାଇଁ ଯେଉଁ ଦେୟ ରହିଛି ତାହା କମାଇଛୁ। ବିଦ୍ୟାର୍ଥୀଙ୍କ ପାଇଁ ବୃତ୍ତି, ଜାତୀୟ ସ୍ତରରେ ଛାତ୍ରବୃତ୍ତି ଆର୍ଥିକ ଦୁର୍ବଳ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।
ତେବେ ‘ଦ ହିନ୍ଦୁ’ରେ ପ୍ରକାଶିତ ଏ ସଂକ୍ରାନ୍ତ ରିପୋର୍ଟ ଅନୁଯାୟୀ, ଆଇଆଇଟି ଗୌହାଟିରେ ମୋଟ୍ ୮୮ ପ୍ରତିଶତ ଡ୍ରପ ଆଉଟରୁ ୨୫ ପ୍ରତିଶତ ସଂରକ୍ଷିତ ବର୍ଗରୁ ରହିଛନ୍ତି। ୨୦୧୮ରେ ଆଇଆଇଟି ଦିଲ୍ଲୀ ଛାଡ଼ିଥିବା ୧୦ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ସମସ୍ତେ ସଂରକ୍ଷିତ ବର୍ଗର ଥିଲେ। ୨୦୧୯କୁ ଛାଡ଼ି ଦେଲେ ଅନ୍ୟ ସବୁ ବର୍ଷ ପାଇଁ ଏପରି ଡ୍ରପ ଆଉଟ୍ ରେକର୍ଡ ରହିଛି। ଆଇଆଇଟି ଦିଲ୍ଲୀରେ ମୋଟ୍ ୭୬ ପ୍ରତିଶତ ଡ୍ରପ ଆଉଟ୍ ସଂରକ୍ଷିତ ବର୍ଗର ରହିଛନ୍ତି। ସେଥିମଧ୍ୟରୁ ଅଧାରୁ ଅଧିକ ଏସସି ଏବଂ ଏସଟି ବର୍ଗର।
ଆଇଆଇଟି ମାଡ୍ରାସରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ ଜଣ ଡ୍ରପଆଉଟ୍ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଏସସି /ଏସଟି ବର୍ଗର ହୋଇଥିବାବେଳେ ଅନ୍ୟ ଜଣେ ଓବିସି ବର୍ଗର। ମୋଟ ଉପରେ ଅନୁଷ୍ଠାନର ୭୦% ଡ୍ରପଆଉଟ୍ ସଂରକ୍ଷିତ ବର୍ଗର ରହିଛନ୍ତି।
ଆଇଆଇଟି ଖଡଗପୁରରେ ସର୍ବାଧିକ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୭୯ ଜଣ ବିଦ୍ୟାର୍ଥୀ ଏହି ଅନୁଷ୍ଠାନରୁ ଅଧାରୁ ପାଠ ପଢା ଛାଡିଛନ୍ତି। ସେଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ସଂରକ୍ଷିତ ବର୍ଗର। ଆଇଆଇଟି ବମ୍ବେରେ କିନ୍ତୁ ଏ ଦୃଷ୍ଟିରୁ ରେକର୍ଡ ଭଲ ରହିଛି। ସଂରକ୍ଷିତ ବର୍ଗର ଡ୍ରପଆଉଟ୍ ସଂଖ୍ୟା ସେମିତି କିଛି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
