ସିଦ୍ଧାନ୍ତଙ୍କ ଏପରି ଅବସ୍ଥା ପାଇଁ ଦାୟୀ କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶସ୍ତା ସାର୍ଟ, ମଇଳା ପ୍ୟାଣ୍ଟ ଓ ବେକରେ ଗାମୁଛା । ଓଲିଉଡ୍‌ର ସୁପରଷ୍ଟାର ତଥା ବିଜେଡି ନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଯେ କେହି ଏ ବେଶରେ ଦେଖିବେ ଚମକି ପଡ଼ିବେ। କୋଟି କୋଟି ଟଙ୍କାର ମାଲିକ ସିଦ୍ଧାନ୍ତଙ୍କର ଏମିତି ଦରିଦ୍ର ବେଶ କାହିଁକି? ମନରେ ଏ ପ୍ରଶ୍ନ ଆସିବା ତ ସ୍ୱାଭାବିକ କଥା।  ଧଳା କୁର୍ତ୍ତା କି ସୁଟ୍‌ ବୁଟ୍‌ରେ ବୁଲୁଥିବା ସିଦ୍ଧାନ୍ତ ହଠାତ୍‌ ଏମିତି ବେଶରେ ଦେଖାଦେବା ପଛର କାରଣ କ’ଣ? ବେଶି ଦ୍ୱନ୍ଦ୍ୱରେ ପଡନ୍ତୁ ନାହିଁ। ରିଅଲ୍‌ରେ ନୁହେଁ ରିଲ୍‌ରେ ଏ ବେଶ। ଅର୍ଥାତ ଆଗକୁ ଆସୁଛି ଫିଲ୍ମ ‘ଓଲେ ଓଲେ ଦିଲ୍ ବୋଲେ’, ଯେଉଁଥିରେ ସିଦ୍ଧାନ୍ତ ଏକ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିବେ। ନିକଟରେ ମହୁରତ ସରି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଏ ହେଉଛି ସେହି ଫିଲ୍ମ ସୁଟିଂ ସମୟର ଏକ ଦୃଶ୍ୟ। ପିଲ୍ମରେ ସିଦ୍ଧାନ୍ତ ଉଚ୍ଚଶିକ୍ଷିତ ତଥାପି ଘରୋଇ ସହାୟକ କାମ କରିବା ପଛର କାରଣ କ’ଣ? ତାହା ଫିଲ୍ମଟି ସମ୍ପୂର୍ଣ୍ଣ ଦେଖିସାରିବା ପରେ ଜାଣିପାରିବେ। ଫିଲ୍ମରେ ପ୍ରମୁଖ ଭୂମିକାରେ ଜ୍ୟୋତି ଓ ଝିଲିକ୍ ରହିଛନ୍ତି। ସିଦ୍ଧାନ୍ତଙ୍କ ସମେତ ଫିଲ୍ମରେ ବିଜୟ ମହାନ୍ତି, ଚୌଧୁରୀ ବିକାଶ ଦାସ ଓ ପ୍ରତିଭା ସାହୁ ଭଳି ପ୍ରମୁଖ କଳାକରଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା କୈଳାସ ମହାପାତ୍ର ଦେଇଥିବା ବେଳେ କାହାଣୀ ରଚନା କରିଛନ୍ତି ଡ.ନିରଞ୍ଜନ ରେଡି ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ।