ମୁମ୍ବାଇ: ଚର୍ଚ୍ଚିତ ରିଆଲିଟି ଶୋ' 'ବିଗ୍ ବସ୍'ରେ ନିଜ ଜଲୱା ଦେଖାଇଥିବା ଟେଲି ଅଭିନେତ୍ରୀ ହିନା ଖାନ୍ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବେ। ଏବେ ଏକ୍ତା କପୁର୍ଙ୍କ ଲୋକପ୍ରିୟ ସିରିଏଲ୍ 'କସୌଟି ଜିନ୍ଦେଗୀ କି-୨'ରେ କମୋଲିକା ଚରିତ୍ରରେ ଅଭିନୟ କରୁଥିବା ହିନା କିଛି ଦିନ ଧରି ପରଦାରୁ ଗାଏବ ଅଛନ୍ତି। ଏଥିରୁ ଅନୁମାନ କରାଯାଉଛି, ସେ ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଲେଣି।
ଶୁଣାଯାଉଛି, ହିନା ଖୁବ୍ଶୀଘ୍ର ତାଙ୍କ ଡେବ୍ୟୁ ଫିଲ୍ମ୍ର ଶୁଟିଂ ଆରମ୍ଭ କରିବେ। ଫିଲ୍ମରେ ହିନା ୯୦ ଦଶକରେ କାଶ୍ମୀରର ଜଣେ ଦାୟିତ୍ୱବାନ୍ ଓ ଆତ୍ମନିର୍ଭରଶୀଳ ଯୁବତୀଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଭେଟେରାନ୍ ଆକ୍ଟ୍ରେସ୍ ଫରିଦା ଜଲାଲ୍ ତାଙ୍କ ଜେଜେମା' ରୋଲ୍ରେ ଦେଖାଦେବେ।
ହିନାଙ୍କ ଏହି ଡେବ୍ୟୁ ଫିଲ୍ମ୍ର ନିର୍ଦ୍ଦେଶନା ଦେବେ ହୁସେନ୍ ଖାନ୍। ଫିଲ୍ମର କାହାଣୀ ରାହାତ କାଜ୍ମି ଓ ଶକ୍ତି ସିଂହ ରଚନା କରିଥିବାବେଳେ ରାହାତ୍ ଫିଲ୍ମର ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଛନ୍ତି।
ତେବେ 'କସୌଟି ଜିନ୍ଦେଗୀ କି-୨'ର ପରଦାରୁ ଗାଏବ ରହିଥିବା ହିନା ବାସ୍ତବରେ ଏହି ସିରିଏଲ୍ର କମୋଲିକା ଚରିତ୍ରରେ ସାଇନ୍ କରିବା ପୂର୍ବରୁ ଆହୁରି ଅନେକ ପ୍ରୋଜେକ୍ଟ ସାଇନ୍ କରିଛନ୍ତି। ତେଣୁ ଏବେ ସେ ନିଜ ସମୟ ବାହାର କରି ସେସବୁର ଶୁଟିଂ ସାରିବାରେ ଲାଗିଛନ୍ତି।