ମୁମ୍ବାଇ: ସୈଫ୍ ନନ୍ଦିନୀ ସାରା ଅଲି ଖାନ୍ଙ୍କ ପାଇଁ ବିଦାୟୀ ୨୦୧୮ ବେଶ୍ ଲକି ଥିଲା। ଗତ ଡିସେମ୍ବର ପ୍ରଥମ ସପ୍ତାହରେ ‘କେଦାରନାଥ’ ଜରିଆରେ ସେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ଏହାପରେ ସେହି ମାସର ଶେଷ ସପ୍ତାହରେ ଆସିଥିଲା ଫିଲ୍ମ ‘ସିମ୍ବା’। ଉଭୟ ଫିଲ୍ମ ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିଛି। ‘ସିମ୍ବା’ ତ ଏ ଯାଏ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି। ଗୋଟିଏ ମାସରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ହିଟ୍ ଫିଲ୍ମ ଦେବା ପରେ ସାରାଙ୍କ ଡିମାଣ୍ଡ ଇଣ୍ଡଷ୍ଟ୍ରୀରେ ବି ବଢ଼ିବାରେ ଲାଗିଛି।
ବି' ଟାଉନ୍ର ଅନେକ ନାମୀ ଦାମୀ ସେଲିବ୍ରିଟି ଏବେ ସାରାଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କଲେଣି। ନିକଟରେ ଇମ୍ରାନ୍ ହାସ୍ମୀ ମଧ୍ୟ ସାରାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଉ ଏବେ ସୂଚନା ମିଳିଛି ଯେ ଆଗକୁ ସାରା ବରୁଣ ଧୱନ୍ଙ୍କ ସହ ଏକାଠି ଗୋଟିଏ ଫିଲ୍ମ୍ରେ ନଜର ଆସିପାରନ୍ତି।
ଏହା ପୂର୍ବରୁ ସାରା କରନ୍ ଜୋହର୍ଙ୍କ ଟକ୍ ଶୋ' ‘କଫି ୱିଥ୍ କରନ୍’ରେ କହି ସାରିଛନ୍ତି ଯେ ସେ ବରୁଣ ଧୱନଙ୍କ ସହ କାମ କରିବାକୁ ନେଇ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବରୁଣଙ୍କ ସହ ସ୍କ୍ରିନ୍ ସେୟାର କରିବା ତାଙ୍କର ଏକ ସ୍ୱପ୍ନ ମଧ୍ୟ ରହିଛି। କିଛିଦିନ ପୂର୍ବରୁ ସାରାଙ୍କୁ ବରୁଣ ଧୱନଙ୍କ ଅଫିସ୍ ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା।