ମୁମ୍ବାଇ: କ୍ୟାନ୍ସର ସହିତ ଲଢ଼େଇ କରୁଥିବା ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ୫ ମାସ ପରେ ମୁମ୍ବାଇ ଫେରିଛନ୍ତି। ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସୋନାଲୀଙ୍କ ସହିତ ତାଙ୍କ ସ୍ୱାମୀ ବି ଥିଲେ।
ସୋନାଲୀ ଏବେ ବି କ୍ୟାନ୍ସର୍ ସହିତ ଲଢ଼ୁଛନ୍ତି। ସେ ପୂରା ସୁସ୍ଥ ହୋଇ ନାହାନ୍ତି। ତେବେ ଏଭଳି ସ୍ଥିତିରେ ବି ତାଙ୍କ ମୁହଁରେ ସେହି ଚିରାଚରିତ ହସ କାଏମ ରହିଛି।
ଗତ ଜୁଲାଇ ୪ ତାରିଖରେ ଜଣାପଡ଼ିଥିଲା ଯେ ସୋନାଲୀଙ୍କୁ କ୍ୟାନ୍ସର ହୋଇଛି। ସେ ନିଜେ ସୋଶାଲ୍ ମିଡିଆ ଜରିଆରେ ଏହି ସୂଚନା ଦେଇଥିଲେ। ଚିକିତ୍ସା ପାଇଁ ଆମେରିକା ଯିବା କଥା ବି ସେ ଜଣାଇଥିଲେ।
ସେହିପରି ନ୍ୟୁୟର୍କରୁ ମୁମ୍ବାଇ ଫେରିବା କଥା ବି ସେ ସୋଶାଲ୍ ମିଡିଆ ଜରିଆରେ ଜଣାଇଥିଲେ। ଏନେଇ ସେ ଲେଖିଥିଲେ,“ମୁଁ ଫେରୁଛି, ଯେଉଁଠି ମୋ ହୃଦୟ ରହିଛି। ଏବେ ମୁଁ ଯାହା ଅନୁଭବ କରୁଛି, ତାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। କିନ୍ତୁ ମୁଁ ମୋ ଭାବନାକୁ ପ୍ରକାଶ କରିବାକୁ ଚେଷ୍ଟା କରୁଛି। ମୋ ପରିବାର ଓ ବନ୍ଧୁମାନଙ୍କୁ ପୁଣି ଦେଖିବା ଖୁବ୍ ଆନନ୍ଦଦାୟକ ହେବ। ସେମାନଙ୍କ ପାଇଁ ମୁଁ ଖୁବ୍ ଉତ୍ସାହିତ, ଯେଉଁମାନେ ମତେ ଭଲ ପାଆନ୍ତି।”
ନ୍ୟୁୟର୍କରେ ଥିବା ସମୟରେ ବିଭିନ୍ନ ସମୟରେ ସୋନାଲୀ ସୋଶାଲ୍ ମିଡିଆରେ ତାଙ୍କ ମନ କଥା ଲେଖୁଥିଲେ ଓ ଫଟୋ ବି ଶେୟାର କରୁଥିଲେ। ଏମିତି କରିବା ଦ୍ୱାରା ସେ କ୍ୟାନ୍ସର ସହିତ ଲଢ଼େଇ କରିବାକୁ ଶକ୍ତି ପାଉଥିଲେ ବୋଲି ଥରେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।