ମୁମ୍ବାଇ: ଅନୁଷ୍କା ଶର୍ମା ଆଜିକାଲି ନିଜର ଅପ୍କମିଂ ଫିଲ୍ମ ‘ସୁଇ ଧାଗା’ର ପ୍ରମୋସନ୍ରେ ବ୍ୟସ୍ତ ଥିବାବେଳେ ପତିଦେବ ବିରାଟ୍ କୋହଲି ଇଂଲଣ୍ଡରେ ଟେଷ୍ଟ୍ ମ୍ୟାଚ୍କୁ ନେଇ ବ୍ୟସ୍ତ। ଉଭୟେ ନିଜ ନିଜ କାମରୁ ବିରତି ପାଇବା ପରେ ଯାଇ ଏକାଠି ଛୁଟି କାଟିବେ।
ଏବେ କିନ୍ତୁ ଫ୍ୟାନ୍ମାନେ 'ବିରୁଷ୍କା'ଙ୍କ ଭାବୀ ସନ୍ତାନର ଅପେକ୍ଷାରେ ଅଛନ୍ତି। ତେବେ ସନ୍ତାନ ଜନ୍ମ ନେବା ପୂର୍ବରୁ ଅନୁଷ୍କା ବିରାଟ୍ଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି। ସୂଚନା ଅନୁସାରେ, ଅନୁଷ୍କା ନିଜ ଭାବୀ ସନ୍ତାନକୁ ଏକ ସାଧରଣ ପିଲା ପରି ବଢାଇବାକୁ ଚାହୁଛନ୍ତି। ସେମାନଙ୍କ କାମର ପ୍ରଭାବ ତାଙ୍କ ପିଲା ଉପରେ ପଡ଼ୁ ବୋଲି ଅନୁଷ୍କା ଚାହାନ୍ତି ନାହିଁ। ତେଣୁ ନିଜ ସନ୍ତାନଙ୍କୁ ସେଲିବ୍ରିଟି ପିଲା ଭାବେ ନବଢାଇବାକୁ ସେ ବିରାଟ୍ଙ୍କୁ ବୁଝାଇ ଦେଇଛନ୍ତି।
ବିରାଟ୍ କହିଥିଲେ, ସେ ଅନୁଷ୍କାଙ୍କଠାରୁ ବହୁତ କିଛି ଶିଖିଛନ୍ତି। ଗତ କିଛି ବର୍ଷ ଭିତରେ ଅନୁଷ୍କାଙ୍କ ପାଇଁ ସେ ନିଜ ଭିତରେ ଅନେକ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିଛନ୍ତି। ଯାହା ସେ ପୂର୍ବରୁ କେବେ କରି ନଥିଲେ, ଏବେ ସେସବୁ କରୁଛନ୍ତି। ଅନୁଷ୍କା ବହୁତ ଧର୍ମପରାୟଣା ହୋଇଥିବାରୁ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଛି ଏବଂ ଏଥିଯୋଗୁ ନିଜ ଭିତରେ ବହୁ ସକାରାତ୍ମକ ପରିବର୍ତ୍ତନ ହୋଇଛି ବୋଲି ବିରାଟ୍ କହିଥିଲେ।
ଗତ ବର୍ଷ ଅନୁଷ୍କା ଓ ବିରାଟ ଇଟାଲିରେ ବିବାହ କରିଥିଲେ।