ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ବାଲିକା ବଧୂ’ରେ ଆନନ୍ଦି ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିକା ଗୌର ଏବେ ପୁଣିଥରେ ଚର୍ଚ୍ଚାରେ, ହେଲେ କୌଣସି ନୂଆ ସିରିଏଲ୍ କି ମ୍ୟୁଜିକ୍ ଭିଡିଓ ପାଇଁ ନୁହେଁ। ଏବେ ସେ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋଶାଲ୍ ମିଡିଆରେ ଅଭିକା ତାଙ୍କ ପ୍ରେମିକଙ୍କ ନାମ ଘୋଷଣା କରିଛନ୍ତି। ନିଜ ଲଭ୍ ଲାଇଫ୍କୁ ସାର୍ବଜନୀନ କରି ନିଜ ଫ୍ୟାନ୍ମାନଙ୍କୁ ସେ ଏକଦମ୍ ସର୍ପ୍ରାଇଜ୍ କରିଦେଇଛନ୍ତି।
ଅବିକା ରିଆଲିଟି ଶୋ’ ‘ରୋଡିଜ୍’ ପ୍ରତିଯୋଗୀ ମିଲିନ୍ଦ ଚାନ୍ଦୱାନୀଙ୍କୁ ଡେଟ୍ କରୁଛନ୍ତି। ସେ ଇନଷ୍ଟାଗ୍ରାମରେ ମିଲିନ୍ଦ ଓ ନିଜର ରୋମାଣ୍ଟିକ୍ ଫଟୋ ଶେଆର୍ କରି ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଅଭିକା ଦୁଇଟି ଫଟୋର ଏକ କୋଲାଜ୍ ଶେଆର୍ କରିଛନ୍ତି। ପ୍ରଥମ ଫଟୋରେ, ସେମାନେ ପରସ୍ପରର ହାତ ଧରି ସମୁଦ୍ର କୂଳରେ ଠିଆ ହୋଇଛନ୍ତି। ଦ୍ୱିତୀୟ ଫଟୋରେ ଦୁହେଁ ଏକ ରୋମାଣ୍ଟିକ୍ ପୋଜ୍ ଦେଇ ପରସ୍ପରକୁ ପ୍ରେମଭରା ଆଖିରେ ଚାହିଁଛନ୍ତି। ଏହି ଦୁଇଟିଯାକ ଫଟୋ ତାଙ୍କର ଗୋଆ ଛୁଟି କାଟିବା ବେଳର।
ଅଭିକା ପୋଷ୍ଟରେ ଲେଖିଛନ୍ତି, ‘ମୋର ସମସ୍ତ ପ୍ରାର୍ଥନାର ଫଳ ମିଳିଯାଇଛି। ମୁଁ ମୋ ଜୀବନର ପ୍ରେମକୁ ପାଇଛି। ସବୁଦିନ ପାଇଁ ଏହି ସହୃଦୟ ବ୍ୟକ୍ତି ମୋର ଏବଂ ମୁଁ ତାଙ୍କର। ଆମେ ସମସ୍ତେ ଜଣେ ଏପରି ସାଥୀ ଚାହୁଁ, ଯିଏ ଆମକୁ ବୁଝିବ, ବିଶ୍ୱାସ କରିବ, ପ୍ରେରଣା ଦେବ ଓ ଯତ୍ନ ନେବ କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଅନୁଭବ କରନ୍ତି ଯେ ଏଭଳି ସାଥୀ ଖୋଜିବା କଷ୍ଟକର। ତେଣୁ ମୋତେ ଏହା ଏକ ସ୍ୱପ୍ନ ପରି ଲାଗୁଛି। କିନ୍ତୁ ଏହା ସତ। ବହୁତ ବହୁତ ସତ। ମୁଁ ଆପଣ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବି। ମୁଁ ଚାହେଁ ଆପଣ ସମସ୍ତେ ବି ଏହାକୁ ଅନୁଭବ କରନ୍ତୁ ଯାହା ଆଜି ମୁଁ ଅନୁଭବ କରୁଛି।’
ଅଭିକା କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି। ଜୀବନର ଏହି ସୁନ୍ଦର ମୂହୁର୍ତ୍ତଗୁଡ଼ିକ ପାଇଁ ଏବଂ ଜୀବନର ସବୁଠାରୁ ମୂଲ୍ୟବାନ ଅଧ୍ୟାୟ ପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଅଭିକା ମିଲିନ୍ଦଙ୍କୁ ଏବେ ବିବାହ କରିବାକୁ ଯାଉ ନାହାଁନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଅବିକାଙ୍କ ଏହି ପୋଷ୍ଟରେ ଉଭୟ ସେଲେବ୍ରିଟି ଏବଂ ପ୍ରଶଂସକଙ୍କ ପ୍ରତିକ୍ରିୟା ଆସୁଛି। ସମସ୍ତେ ଅଭିକାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ଅଭିକା ତାଙ୍କ କୋଷ୍ଟାର୍ ମନୀଷ ରାଇସିଂହାନଙ୍କୁ ଡେଟିଂ କରିବାର ଚର୍ଚ୍ଚା ହୋଇଥିଲା। ଦୁହେଁ ସିରିଏଲ୍ ‘ସସୁରାଲ୍ ସିମର କା’ରେ ଏକାଠି କାମ କରିଥିଲେ। ଦୁହେଁ ପରସ୍ପରର ବହୁ ନିକଟତର ଥିଲେ। ଏପରିକି ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଏମାନେ କେବେ ହେଲେ ବି ଏହି ସମ୍ପର୍କକୁ ପ୍ରେମର ନାଁ ଦେଇନଥିଲେ। ସେମାନେ ସବୁବେଳେ ନିଜକୁ ପରସ୍ପରର ଭଲ ବନ୍ଧୁ ବୋଲି କହୁଥିଲେ।