ବଲିଉଡରେ ଧୁମ୍‌ ମଚାଉଛନ୍ତି ଓଡ଼ିଶାର ବିକ୍ରମ ସ୍ୱାଇଁ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅନ୍ତରିଗାଁର ବିକ୍ରମ ସ୍ୱାଇଁ ଏବେ ମାୟା ନଗରୀ ମୁମ୍ୱାଇରେ ଦେଖାଉଛନ୍ତି କମାଲ୍। ବଲିଉଡରେ ସ୍ୱପ୍ନ ଓ ସଂଘର୍ଷକୁ ଏକାକାର କରି କୋରିଓଗ୍ରାଫର ଓ ଷ୍ଟଣ୍ଟ ମାଷ୍ଟର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ବାଗି’ ଷ୍ଟାର ଟାଇଗର ସ୍ରଫ୍ ଓ ଶ୍ରଦ୍ଧା କାପୁରଙ୍କ ପରି ଅନେକ ତାରକାଙ୍କୁ ସେ ନୃତ୍ୟ ଶିଖାଉଛନ୍ତି। ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖିଥିବା ବିକ୍ରମ ସପ୍ତମ ଶ୍ରଣୀ ଫେଲ୍ […]

bikram

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 04:47 PM IST

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅନ୍ତରିଗାଁର ବିକ୍ରମ ସ୍ୱାଇଁ ଏବେ ମାୟା ନଗରୀ ମୁମ୍ୱାଇରେ ଦେଖାଉଛନ୍ତି କମାଲ୍। ବଲିଉଡରେ ସ୍ୱପ୍ନ ଓ ସଂଘର୍ଷକୁ ଏକାକାର କରି କୋରିଓଗ୍ରାଫର ଓ ଷ୍ଟଣ୍ଟ ମାଷ୍ଟର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ବାଗି’ ଷ୍ଟାର ଟାଇଗର ସ୍ରଫ୍ ଓ ଶ୍ରଦ୍ଧା କାପୁରଙ୍କ ପରି ଅନେକ ତାରକାଙ୍କୁ ସେ ନୃତ୍ୟ ଶିଖାଉଛନ୍ତି।

ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖିଥିବା ବିକ୍ରମ ସପ୍ତମ ଶ୍ରଣୀ ଫେଲ୍ ହେବା ପରେ କାମ ଅନ୍ୱେଷଣରେ ଚାଲି ଯାଇଥିଲେ ସୁରତ। ସୁରତରୁ କାମରେ ସନ୍ତୋଷ ନ ମିଳିବାରୁ ସେ ଚାଲି ଯାଇଥିଲେ ମୁମ୍ୱାଇକୁ। ସେଠି ତାଙ୍କୁ କେତେ ବେଳେ ଚଷମା ଦୋକାନରେ କାମ କରିବାକୁ ପଡ଼ିଥିଲା ତ ଆଉ କେତେ ବେଳେ ଗ୍ୟାରେଜରେ। ଆଉ ସେଥିରୁ ସମୟ ବାହାର କରି ନିଜ ଅଭିଳାଷକୁ ପୂରଣ କରିବାକୁ ଯାଇ ସେ ଶିଖୁଥିଲେ ନୃତ୍ୟ। ଆଉ ଧିରେ ଧିରେ ତାହା ହିଁ ଆଣି ଦେଇଥିଲା ତାଙ୍କ ପାଇଁ ସଫଳତା। ଏବେ ସେ ମାୟା ନଗରୀ ମୁମ୍ୱାଇର ଜଣେ ସଫଳ କୋରିଓଗ୍ରାଫର ଓ ଷ୍ଟଣ୍ଟ୍ ମାଷ୍ଟର ରୂପେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ଜାକି ସ୍ରଫ୍‌ଙ୍କ ପୁଅ ଟାଇଗର ସ୍ରଫ୍ ଓ ଶ୍ରଦ୍ଧା କାପୁରଙ୍କୁ ସେ ନୃତ୍ୟ ଶିଖାଇଛନ୍ତି। ଟାଇଗର ସ୍ରଫଙ୍କ  ‘ହିରୋପନ୍ତି’, ସଲମନ ଖାନଙ୍କ ‘କିକ୍’, କ୍ୟାଟ୍ରିନା କୈଫ୍‌ଙ୍କ ‘ହମତୁମ୍’, ‘ଅଲ୍ ଇଜ୍‌ ୱେଲ୍‌”, ‘ରାମଲୀଲା’ ପରି ଅନେକ ଚଳଚିତ୍ରରେ ସେ ସହ ନୃତ୍ୟ ନିର୍ଦ୍ଦଶକ ରୂପେ କାମ କରିଛନ୍ତି। ଆଉ ସେମାନେ ବି ବିକ୍ରମକୁ ନିଜର ଗୁରୁ ରୂପେ ମାନି ନେଇଛନ୍ତି। ସେପଟେ ବିକ୍ରମଙ୍କ ସଫଳତାକୁ ନେଇ ତାଙ୍କ ମାଆ ବାପା ବି ବେଶ୍ ଖୁସିବ୍ୟକ୍ତ କରିଛନ୍ତି।

ଏନେଇ ‘ବାଗି’ଷ୍ଟାର ଟାଇଗର ସ୍ରଫ କହିଛନ୍ତି,“ ବିକ୍ରମ ସ୍ୱାଇଁ ମୋ ପାଇଁ ହିରୋ। ମତେ ଜିମ୍ନାଷ୍ଟିକ୍‌ ସହ କୋରିଓଗ୍ରାଫି ମଧ୍ୟ ଶିଖାଇ ଥାନ୍ତି। ଟିମ୍‌ରେ ମୋ ପାଇଁ ସବୁଠାରୁ ବଡ ସପୋର୍ଟ ହେଉଛନ୍ତି ଏହି ବିକ୍ରମ। ବିକ୍ରମଙ୍କ ଉପସ୍ଥିତିରେ ମୁଁ ସବୁ ଫାଇଟ୍‌ ସିନ୍ ସୁଟିଂ କରିଥାଏ। ବିକ୍ରମଙ୍କୁ ୬ରୁ ୭ ବର୍ଷ ତଳେ ମୁମ୍ବାଇର ଜୁହୁ ସମୁଦ୍ରକୂଳରେ ଭେଟିଥିଲେ। ସେ ସେଠାରେ କିଛି ଅଦ୍ଭୁତ କଳା ଦେଖାଉଥିଲେ। ସେହି ସମୟରେ ମୁଁ କିଛି ଶିଖିଥିଲି। ଏହା ପରେ ସେ ମତେ ଟ୍ରେନ୍‌ କରିବାକୁ କରିବାକୁ ରାଜି ହେଲେ। ଆଉ ମୁଁ ତାଙ୍କଠାରୁ ଡ୍ୟାନ୍ସ ସହ ବହୁ କଳାକୌଶଳ ଶିଖୁଛି। ବହୁ ଫିଲ୍ମରେ ସେ ମତେ ସାହାଯ୍ୟ କରୁଛନ୍ତି। ସେ ନିଶ୍ଚିତ ଭାବେ ଦିନେ କୋରିଓଗ୍ରାଫର ହେବେ। ଏହାସହ  ଖୁବ୍‌ଶୀଘ୍ର ତାଙ୍କର ଏକ ଗୀତ ରିଲିଜ୍‌ କରିବାକୁ ଯାଉଛି। ବିକ୍ରମ ପାଇଁ ଯେତେ କହିଲେ ବି ସେତେ କମ୍‌ ହେବ।”

‘ବାଗି’ ଷ୍ଟାର ଶ୍ରଦ୍ଧା କାପୁର କହିଛନ୍ତି,“ମୁଁ ବିକ୍ରମଙ୍କ ବହୁ ସମୟ ବିତେଇଛି। ‘ବାଗି’ସେଟ୍‌ରେ କାମ କରିବା ବେଳେ ଦେଖିବାକୁ ମିଳିଲା ସେ ଏକ ଭିନ୍ନ ମ୍ୟୁଜିକ୍‌ରେ ଗୁଣୁଗୁଣୁ ହେଉଥିଲା। ତାଙ୍କର ଯେଉଁ ସ୍ୱପ୍ନ ଅଛି, ଯେଉଁଭଳି ଭାବେ ତାଙ୍କର ବଡି ମୁଭ୍‌ କରୁଥିଲା ମୁଁ ଚକିତ ହୋଇଯାଇଥିଲି। ସେ ଜଣେ ଟ୍ୟାଲେଣ୍ଟେଡ୍‌ ଯୁବକ। ମୁଁ ଭାବୁଛି ସେ ଦିନେ ଦିନେ ସଫଳତା ପାଇବେ।”

ବିକ୍ରମଙ୍କ ବାପା କିଶୋର ସ୍ୱାଇଁ କହିଛନ୍ତି,”ଦିନ ଯାକ କାମକୁ ଯାଏ। କାମରୁ ଫେରି କ’ଣ ଦିଟା ଖାଇ ଦେଇ କ୍ଲବକୁ ଯାଏ। ସେଠାରେ ଡ୍ୟାନ୍ସ ଶିଖେ। ଭବବାନ ତା’ ପରିଶ୍ରମର ଫଳ ତାକୁ ଦେଇଛନ୍ତି।”

ବିକ୍ରମଙ୍କ ଉଭଣୀ ଜୟନ୍ତୀ ସ୍ୱାଇଁ କହିଛନ୍ତି,“ବହୁତ ଖୁସି ଲାଗୁଛି ଯେ ଏତେ କମ୍‌ ବିୟସର ପିଲାଟିଏ ଆଜି ଏତେ ବଡ ସ୍ଥାନକୁ ଯାଇପାରିଛି। ଭାଗବାନ ତା’ ଚଲାପଥ କୁସୁମିତ କରନ୍ତୁ।”

ବିକ୍ରମଙ୍କ ପାଇଁ ଛୋଟିଆ ଗାଁ ଅନ୍ତରି ଏବେ ଚଳଚଞ୍ଚଳ ହୋଇ ଉଠିଛି। ବିକ୍ରମ କେବଳ ମୁମ୍ୱାଇ ନୁହେଁ ଥାଇଲାଣ୍ଡ୍, ଆଫ୍ରିକା ଆଦି ଦେଶକୁ ଯାଇ ସିନେମା ସୁଟିଂରେ ନିଜକୁ ବ୍ୟସ୍ତ ରଖିପାରିଛନ୍ତି। ୧୪ ବର୍ଷ ବୟସରେ ଘର ଛାଡ଼ିଥିବା ବିକ୍ରମ ଏବେ ନିଜର ଲମ୍ୱା ଭବିଷ୍ୟତ ପାଇଁ ମୁମ୍ୱାଇରେ ଅହରହ ପ୍ରଚେଷ୍ଟା ଚଳାଇଛନ୍ତି। ଆଉ ତାହାରି ଭିତରେ ତାଙ୍କୁ ମିଳିଛି ଅନେକ ସଫଳତା। ପିଲା ବେଳେ ବିକ୍ରମ ନାଚ ଗୀତରେ ମାତିଥିବା ବେଳେ ଗ୍ରାମବାସୀ ତାଙ୍କୁ ପସନ୍ଦ କରୁ ନ ଥିଲେ। ତେବେ ବେଶ୍ ଉତ୍ସାହ ଓ ପ୍ରେରଣା ଦେଇଥିଲେ ତାଙ୍କ ଦାଦା ପ୍ରଫୁଲ୍ଲ। ଏଣୁ ଆଗକୁ ବିକ୍ରମଙ୍କର ଲମ୍ୱା ଭବିଷ୍ୟତ ପଡ଼ିଛି ଏବଂ ସିଏ ଅନେକ ସଫଳତା ପାଇ ଗଞ୍ଜ।ମ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେବେ ବୋଲି ସେ କହିଥିବା ବେଳେ ଗ୍ରାମବାସୀ ବି ବିକ୍ରମଙ୍କ ସଫଳତାକୁ ନେଇ ବେଶ୍ ଖୁସି ଅନୁଭବ କରୁଛନ୍ତି।

Related story