ମୁମ୍ବାଇ: ବଲିଉଡ୍ର ଆଉ ଜଣେ କଳାକାରଙ୍କୁ କ୍ୟାନସର ହୋଇଛି। ତେବେ ଭଲ ଖବର ହେଉଛି ଯେ ସେ ଏଥିରୁ ପୂରା ସୁସ୍ଥ ହୋଇଯାଇଛନ୍ତି। ସେ ହେଉଛନ୍ତି ୧୯୯୭ରେ ‘ପରଦେଶ୍’ ଫିଲ୍ମରେ କିଙ୍ଗ୍ ଖାନ୍ ଶାହରୁଖଙ୍କ ସହ ବଲିଉଡ୍ରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ।
ମହିମା ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ହୋଇଥିଲେ। ତେବେ ଏ ବିଷୟରେ ମାତ୍ର ଅଳ୍ପ କେତେ ଜଣ ଲୋକଙ୍କୁ ଜଣାଥିଲା। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର। ମହିମା କ୍ୟାନସରରେ ପୀଡ଼ିତ ହୋଇଥିଲେ ବୋଲି ଆଜି ସାର୍ବଜନନୀ ହୋଇଛି। ଆଉ ଏହାକୁ ସୋଶାଲ୍ ମିଡିଆ ଯୋଗେ ସାର୍ବଜନୀନ କରିଛନ୍ତି ଅନୁପମ।
ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ୭ ମିନିଟ୍ରୁ ଅଧିକ ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ନିଜେ ମହିମା ଅଛନ୍ତି। ଏଥିରେ ସେ କ୍ୟାନସରରେ ପୀଡ଼ିତ ହେବା ନେଇ କେମିତି ଜାଣିଲେ, କେମିତି ତାଙ୍କ ଚିକିତ୍ସା ଚାଲିଲା ଓ କେଉଁମାନେ ତାଙ୍କ ମନୋବଳ ବଢ଼ାଇଥିଲେ, ସେ ସଂପର୍କରେ କହିଛନ୍ତି।
ଏହି ଭିଡିଓରେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି। ଅନୁପମ ତାଙ୍କୁ ମଝିରେ ମଝିରେ କିଛି ପ୍ରଶ୍ନ କରୁଛନ୍ତି। ଆଉ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ମହିମା ତାଙ୍କର ପୂରା କାହାଣୀ କହିଛନ୍ତି। ଅନୁପମ ଏହି ଭିଡିଓର ଶୀର୍ଷକର ନାଁ ରଖିଛନ୍ତି ମହିମା ଚୌଧୁରୀଙ୍କ ସାହାସ ଓ କ୍ୟାନସର।
ମାସେ ତଳେ ଆମେରିକାରୁ ମହିମା ଚୌଧୁରୀଙ୍କୁ ଅନୁପମ ଖେର ଫୋନ୍ କରି ତାଙ୍କର ୫୨୫ତମ ଚଳଚ୍ଚିତ୍ର ‘ଦି ସିଗ୍ନେଚର’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ପାଇଁ କହିଥିଲେ। ଆଉ କଥାବାର୍ତ୍ତା ବେଳେ ସେ ଜାଣିବାକୁ ପାଇଥିଲେ ଯେ ମହିମା ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି। ଅନୁପମଙ୍କ ପୂର୍ବରୁ ଆହୁରି କେତେକ ପ୍ରଯୋଜକ ଓ ନିର୍ଦ୍ଦେଶକ ମଧ୍ୟ ମହିମାଙ୍କୁ ଫୋନ୍ କରି ସେମାନଙ୍କ ପ୍ରୋଜେକ୍ଟ ପାଇଁ ଅଫର ଦେଇଥିଲେ। ହେଲେ ମହିମା ସମସ୍ତଙ୍କୁ କାରଣ ନ କହି ବିନମ୍ରତା ପୂର୍ବରୁ ମନା କରି ଦେଇଥିଲେ। ହେଲେ ସେ ଅନୁପମଙ୍କୁ ମିଛ କହି ପାରି ନଥିଲେ।
ବ୍ରେଷ୍ଟ କ୍ୟାନସର ନେଇ ମହିମାଙ୍କ ଠାରେ କୌଣସି ଲକ୍ଷଣ ନଥିଲା। ସେ ପ୍ରତ୍ୟେକ ବର୍ଷ ସ୍ୱାସ୍ଥ୍ୟ ଚେକ୍ଅପ୍ କରୁଥିଲେ। ଚଳିତ ବର୍ଷ ଚେକ୍ଅପ୍ କଲା ବେଳେ ଡାକ୍ତରଙ୍କୁ ସନ୍ଦେହ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ବ୍ରେଷ୍ଟ କ୍ୟାନସରର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜଣାପଡ଼ିଥିଲା। ମହିମା ଏହି ଭିଡିଓରେ ଏ ବିଷୟରେ କହିଛନ୍ତି।
ଭିଡିଓର ଶେଷ ଆଡ଼କୁ ଅନୁପମ ଖେରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେ ମହିମାଙ୍କୁ ତାଙ୍କ ହିରୋ ବୋଲି କହିଛନ୍ତି। ଏହା ସହିତ ଅନୁପମ ତାଙ୍କ ପୋଷ୍ଟରେ ମହିମା ଶୁଟିଂ ସେଟ୍କୁ ଫେରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ମହିମା ଏବେ ଉଡ଼ିବା ପାଇଁ ପ୍ରସ୍ତୁତ ବୋଲି ବି ସେ ଲେଖିଛନ୍ତି। ମହିମାଙ୍କ ପାଇଁ ପ୍ରାର୍ଥନା କରିବାକୁ ଓ ତାଙ୍କୁ ଆଶୀର୍ବାଦ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ମହିମା ‘ଦାଗ୍- ଦି ଫାୟାର’, ‘ପ୍ୟାର କୋଇ ଖେଲ୍ ନହିଁ’, ‘ଦିୱାନେ’, ‘କୁରୁକ୍ଷେତ୍ର’, ‘ଧଡ଼କନ୍’, ‘ଲଜ୍ଜା’, ‘ବାଗବାନ’, ‘ଜମୀର’, ‘ଓମ୍ ଜୟ ଜଗଦୀଶ’ ଓ ‘ଦିଲ୍ ହେ ତୁମ୍ହାରା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ୨୦୧୬ରେ ‘ଡାର୍କ ଚକୋଲେଟ୍’ରେ ତାଙ୍କୁ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଗତ ୪ ବର୍ଷ ମଧ୍ୟରେ ସୋନାଲି ବେନ୍ଦ୍ରେ, ରୁଷି କପରୁ, ଇରଫାନ ଖାନ୍, ସଞ୍ଜୟ ଦତ୍ତ ଓ କିରଣ ଖେର କ୍ୟାନସରରେ ପୀଡ଼ିତ ହୋଇଥିଲେ। ସମସ୍ତେ ଚିକିତ୍ସା ପାଇଁ ବିଦେଶ ଯାଇଥିଲେ। ରୁଷି କପୁର ଓ ଇରଫାନ ଖାନ ବିଦେଶରେ ଚିକିତ୍ସିତ ହୋଇ ଫେରିଥିଲେ ବି ଉଭୟଙ୍କର ମୃତ୍ୟୁ ହୋଇଥିଲା।
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।