ପରଦାକୁ ଫେରିବେ ରିଷି କପୁର, ଆସିବ ଶେଷ ଫିଲ୍ମ

ମୁମ୍ବାଇ: ପୁଣି ପରଦାରେ ଦେଖିବାକୁ ମିଳିବ ବଲିଉଡର ଦିବଙ୍ଗତ ଅଭିନେତା ରିଷି କପୁରଙ୍କୁ। ନିଜ ଦମଦାର ଅଭିନୟରେ ଲୋକଙ୍କୁ ହସାଇବେ ଆଉ କନ୍ଦାଇବେ ବି-ଟାଉନର ଚିଣ୍ଟୁଜୀ। ସାମ୍ନାକୁ ଆସିଛି ତାଙ୍କ ଲାଷ୍ଟ ଫିଲ୍ମର ଫାଷ୍ଟ ଝଲ୍‌କ। ରିଲିଜ ହୋଇଛି ‘ଶର୍ମାଜୀ ନମ୍‌କିନ୍‌’ର ପ୍ରଥମ ପୋଷ୍ଟର। ରିଷି କପୁରଙ୍କ ୬୯ତମ ଜନ୍ମ ଦିନ ଅବସରରେ ନିର୍ମାତା ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ସ୍ୱତନ୍ତ୍ର ଭେଟି ଦେଇଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ଜାରି ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମେକର୍ସମାନେ ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି। ତେବେ ଫିଲ୍ମ ‘ଶର୍ମାଜୀ ନମକୀନ୍’ରେ କିଛି ଖାସ୍ ରହିଛି । କାହିଁକି ନା ଏହି ଫିଲ୍ମର ଅଧା ଭାଗରେ ରିଷି କପୁର ଥିବା ବେଳେ ଅନ୍ୟ ଭାଗରେ ପରେଶ ରାୱଲ ନଜର ଆସିବେ। ଏହା ବଲିଉଡର ପ୍ରଥମ ଫିଲ୍ମ ହେବ  ଯାହାକୁ ଏଭଳି ପ୍ରସ୍ତୁତ କରାଯାଇଛି।

ଏହି ପୋଷ୍ଟର ଶେୟାର କରି ଫିଲ୍ମର ମେକର୍ସ ମାନେ ଲେଖିଛନ୍ତି, ‘ଆମେ ଏକ ସ୍ୱତନ୍ତ୍ର ଧରଣର ଫିଲ୍ମ ପୋଷ୍ଟର ରିଲିଜ୍ କରିଛୁ। ଏହା ସହ ନିଜକୁ ଗର୍ବ ଅନୁଭବ ମଧ୍ୟ କରୁଛୁ। ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ରିଷି କପୁର ଅଛନ୍ତି, ଯାହାଙ୍କର ଅଭିନୟ ଜଗତରେ ସଫଳତାର କାମକୁ ସଦାସର୍ବଦା ସମ୍ମାନୀତ କରି ରଖାଯାଇଛି। ଏହା ତାଙ୍କ ସ୍ନେହ, ସମ୍ମାନ ଓ ସ୍ମୃତିର ପ୍ରତୀକ। ତାଙ୍କର ଲକ୍ଷାଧିକ ଫ୍ୟାନ୍ସଙ୍କୁ ମଧ୍ୟ ଉପହାର ଭାବେ ଶେଷ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି।

ଅନ୍ୟପଟେ ଏହି ପୋଷ୍ଟରକୁ ନେଇ ଅଭିନେତା ପରେଶ ରାୱଲ୍ ମଧ୍ୟ  ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ‘ବହୁତ ବହୁତ ଧନ୍ୟବାଦ ଯିଏ ରିଷି କପୁରଙ୍କ ଦ୍ୱାରା କରାଯାଇଥିବା ଚରିତ୍ରକୁ ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଏବଂ ଫିଲ୍ମକୁ ପୂରା କରିଛନ୍ତି।

ଏହା ବ୍ୟତୀତ ଏହି ଫିଲ୍ମର ପୋଷ୍ଟରକୁ ରିଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହନୀ, ନୀତୁ କପୁର ଓ ଆଲିଆ ଭଟ୍ଟ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେମାନେ ‘ମିସ୍‌ ୟୁ’ ବୋଲି ଲେଖିଛନ୍ତି। ଏଥିସହ ନିର୍ମାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ରିତେଶ ସିଧବାନୀଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମର ଲିଡ୍‌ ରୋଲରେ ରିଷି କପୁର ଅଛନ୍ତି। ଏଥିରେ ପରେଶ ରାୱଲଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିସହ ଜୁହି ଚାୱାଲା ମଧ୍ୟ ନଜର ଆସିବେ। ଜଣେ ୬୦ ବର୍ଷୀୟ ବ୍ୟକ୍ତିର କାହାଣୀ ଉପରେ ଏହି ଫିଲ୍ମଟି ଆଧାରିତ।

ଏହି ଫିଲ୍ମରେ ରିଷି କପୁର ମୁଖ୍ୟ ଭୂମିକାରେ ଥିଲେ। ସେ ଏହି ଫିଲ୍ମର ସୁଟିଂ ପ୍ରାୟ ଶେଷ କରିସାରିଥିଲେ। କିନ୍ତୁ ଗତବର୍ଷ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଫିଲ୍ମର ବାକି ସୁଟିଂ ହୋଇପାରି ନଥିଲା। ଏହା ପରେ ଫିଲ୍ମର ନିର୍ମାତାମାନେ ରିଷି କପୁରଙ୍କ ବଦଳରେ ପରେଶ ରାୱଲଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।