ଇଟାନଗର: ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ ଏବେ ଅଭିନେତାରୁ ପାଲଟିଲେ ପ୍ରଦେଶ ଆମ୍ବାସାଡର। ତାଙ୍କୁ ଅରୁଣାଚଳ ପ୍ରଦେଶର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ବିଜେପି ନେତୃତ୍ୱାଧୀନ ଅରୁଣାଚଳ ପ୍ରଦେଶ ସରକାର ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ସରକାର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ତଥା ବ୍ରାଣ୍ଡିଂ ବିଶେଷଜ୍ଞ ରାହୁଲ ମିତ୍ରଙ୍କୁ ବ୍ରାଣ୍ଡ ପରାମର୍ଶଦାତା ଭାବରେ ସାଇନ୍ କରିଛନ୍ତି।
ରାଜ୍ୟର ନାମକରଣର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସଞ୍ଜୟ ଦତ୍ତ ଏବଂ ରାହୁଲ ମିତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ବିଧାନସଭା ବାଚସ୍ପତି ପାସଙ୍ଗ ସୋନା ଏହି ଘୋଷଣା କରିଛନ୍ତି।
ଏହି ସମାରୋହରେ ଯୋଗଦେବା ପାଇଁ ସଞ୍ଜୟ ଦତ୍ତ ଏବଂ ରାହୁଲ ମିତ୍ର ପ୍ରଥମେ ମୁମ୍ବାଇରୁ ଏକ ଚାର୍ଟାର୍ଡ ବିମାନରେ ଡିବ୍ରୁଗଡ଼ରେ ପହଞ୍ଚିଥିଲେ, ତା’ପରେ ସେଠାରୁ ହେଲିକ୍ୟାପ୍ଟର ଯୋଗେ ମେଚୁକାର ସୁନ୍ଦର ଉପତ୍ୟକାକୁ ଯାଇଥିଲେ, ଯେଉଁଠାରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିଲା।
ଅରୁଣାଚଳ ପ୍ରଦେଶର ପର୍ଯ୍ୟଟନ ଏବଂ ପର୍ଯ୍ୟଟକ ପାଇଁ ଖାଦ୍ୟପେୟ ଓ ବିଜ୍ଞାପନ ବ୍ୟତୀତ ସଞ୍ଚୟ ଦତ୍ତ ରାଜ୍ୟର ଯୁବପୀଢ଼ିଙ୍କୁ ନିଶା ମୁକ୍ତ ଅଭିଯାନରେ ସାମିଲ ହେବାକୁ ସଚେତନତା ସୃଷ୍ଟି କରିବେ। ବିଜ୍ଞାପନ ମାଧ୍ୟମରେ ସେ ଏଭଳି ସଚେତନତା ଅଭିଯାନ ଆରମ୍ଭ କରିବେ। ଏହି ବିଜ୍ଞାପନର ଶୁଟିଂ ଜିରୋ ଗାଁ, ପକ୍କେ ଘାଟି, ଦମ୍ବୁକ, ନାମସାଇ, ପର୍ଶୁରାମ କୁଣ୍ଡ, ପାସିଘାଟ, ମେଚୁକା ଏବଂ ତମ୍ବାଗରେ କରାଯିବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ମହୋତ୍ସବ ୨୦୨୨ ଜାନୁୟାରୀ ୨୦ତାରିଖ ଦିନ ଜିରୋ ଗାଁରେ ଆରମ୍ଭ ହୋଇ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଫେବୃଆରୀ ୨୦ରେ ଇଟାନଗରରେ ସମାପନ ହେବ।
ସେପଟେ ଅଭିନେତା ସଞ୍ଜୟ ଦତ୍ତ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ରାହୁଲ ମିତ୍ରଙ୍କ ସହ ନିଜର ଏକ ଫଟୋ ଶେୟାର କରି ସେ ଅରୁଣାଚଳ ପ୍ରଦେଶ ସରକାର ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ରାହୁଲ ମିତ୍ରଙ୍କ ସହ କାମ କରିବାକୁ ନେଇ ସେ ଉତ୍ସୁକ ଥିବା କହିଛନ୍ତି।
View this post on Instagram
View this post on Instagram